Latest Odisha News

BREAKING NEWS

୧୦ ବର୍ଷରେ କାହାକୁ ବି ହତ୍ୟା କରିନି, ତଥାପି କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରହିଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ । ଏଥର ପଂଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ମାମଲାରେ ଲରେନ୍ସର ନାଁ ସାମ୍ନାକୁ ଆସିଛି ।

ଅନେକ ହୁଏ ତ ଜାଣିନଥିବେ ଯେ, ଭାରତର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାବେ ପରିଚିତ ଲରେନ୍ସ ନିଜ ୧୦ ବର୍ଷର ଅପରାଧିକ କ୍ୟାରିଅରରେ କାହାକୁ ବି ହତ୍ୟା କରିନାହିଁ । ବିଗତ ୮ ଦିନ ହେଲା ଲରେନ୍ସ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ କଷ୍ଟଡିରେ ରହିଛି । ରାଜସ୍ଥାନ ପୋଲିସ ଦ୍ୱାରା ଲରେନ୍ସ ଗିରଫ ହୋଇଥିଲେ ହେଁ ଆର୍ମସ୍ ଆକ୍ଟ ଆଧାରରେ ଦିଲ୍ଲୀ ପୋଲିସ ତାକୁ ହେପାଜତରେ ନେଇ ପଚରାଉଚରା ଜାରି ରଖିଛି । ତେବେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାକୁ ନେଇ ଦିଲ୍ଲୀ ପୋଲିସ ଲରେନ୍ସକୁ ଜେରା କରିଥିଲାବେଳେ ଅଦ୍ୟାବଧି କୌଣସି ସୁରାଗ ମିଳିପାରିନାହିଁ ।

ପୂର୍ବରୁ ବଲିଉଡ ଆକ୍ଟର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ଲରେନ୍ସ ବିଷ୍ଣୋଇର ନାଁ ସାମ୍ନାକୁ ଆସିଥିଲା । ଏପରିକି ଲରେନ୍ସ ନିଜର ଜଣେ ସହଯୋଗୀ ସମ୍ପତ୍ ନେହରାକୁ ସଲମାନଙ୍କ ହତ୍ୟା ପାଇଁ ନିୟୋଜିତ କରିଥିଲା । ହେଲେ ସମ୍ପତ୍ ଏଥିରେ ବିଫଳ ହେବା ପରେ ଗିରଫ ହୋଇ ଦିଲ୍ଲୀ ଜେଲରେ ସଜା କାଟୁଛି ।

ପୋଲିସ ରିପୋର୍ଟ ଅନୁଯାୟୀ ଜେଲରେ ରହି ଲରେନ୍ସ ହରିୟାଣା, ପଂଜାବ, ରାଜସ୍ଥାନ, ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶରେ ନିଜ ଗ୍ୟାଙ୍ଗକୁ ସକ୍ରିୟ ରଖିବାରେ ସଫଳ ହୋଇଥିଲା । ୨୦୧୦, ପଂଜାବ ୟୁନିଭର୍ସିଟି ନିର୍ବାଚନ ସମୟରେ ନିଜ ଗୋଷ୍ଠୀ ସହ ବ୍ଲାଙ୍କ ଫାୟରିଂ କରି ଲରେନ୍ସ ବିଷ୍ଣୋଇ ପ୍ରଥମ ଥର ପାଇଁ ଗିରଫ ହୋଇ ଜେଲ ଯାଇଥିଲା । ପୋଲିସ ରିପୋର୍ଟ କହୁଛି ଲରେନ୍ସ ବିରୋଧରେ କେବେ ହେଲେ କାହା ଉପରକୁ ଗୁଳି ଚଳାଇ ହତ୍ୟା କରିବା ନେଇ ଅଭିଯୋଗ ନାହିଁ । ତେବେ ଦିଲ୍ଲୀ, ୟୁପି, ହରିୟାଣା, ପଂଜାବ ଓ ରାଜସ୍ଥାନରେ ଅନେକ ଲୋକଙ୍କୁ ଅପହରଣ କରାଇବା ସହ ହତ୍ୟା ଯୋଜନା ରଚିଥିବା ନେଇ ଲରେନ୍ସ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି ।

ମିଳିଥିବା ଖବର ଅନୁଯାୟୀ, ଜେଲରେ କଏଦୀ ଭାବେ ଜୀବନ କାଟିବା ସମୟରେ ଲରେନ୍ସ ବିଭିନ୍ନ ପ୍ରକାର ସହାୟତାର ଲୋଭ ଦେଖାଇ ସେଠିକାର କଏଦୀଙ୍କ ସହ ବନ୍ଧୁତା ସ୍ଥାପନ କରିଥାଏ । ଏପରିକି ସେ ନିଜ ଦୃଢ ନେଟୱାର୍କ ବଳରେ ଗ୍ୟାଙ୍ଗ ୱାର୍ କରାଇବାରେ ମଧ୍ୟ ବେଶ ଧୁରନ୍ଧର । ନିଜ ସାଥୀଙ୍କ ବଳରେ ଲରେନ୍ସ ଜେଲରୁ ଫେରାର ହେବା ନେଇ ଦିଲ୍ଲୀ ପୋଲିସ ନିକଟରେ ଖବର ରହିଛି । ଖାସ ଏହି କାରଣରୁ ବର୍ତ୍ତମାନ ସ୍ଥିତିରେ ଲରେନ୍ସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave A Reply

Your email address will not be published.