ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୧
(କୋରସ୍)
ଠିକଣା ତଉଲ ବେଉସା କହି
ହାତରେ ନିକିତି ଧରିଛି ଭାଇ।
ସଂସାର ବୋଲନ୍ତେ ଯେତେ ଗହକି
ବେଗେ ନିଜ ମୂଲ ନିଅ ପରଖି।
ପାଦରେ ଡେଣା ତା ପିଠିରେ ଡେଣା
ଡେଣାକୁ ବୁଝିବା ପାଠରେ ଗଣା।
୨
(ନାଟ୍ୟାରମ୍ଭ)
:ଭାସ୍କର କିଏ?କେଉଁଠୁ?
:ସିକିଅନ୍ ରୁ ଆସିଛନ୍ତି।
:ଆଉ ତାଙ୍କର ନାଆଁ ?
:ଲିସିପସ୍।
:ଆଉ ତମେ କିଏ ?
:ସମୟ ,ଯାହା ସମସ୍ତଙ୍କୁ ପରାଭୂତ କରିଥାଏ।
:ତମେ ଦେଖିଲେ ଏପରି ବୁଢା ଆଙ୍ଗୁଠି ଉପରେ ଠିଆ ହୁଅ କାହିଁକି ?
:ମୁଁ ସବୁବେଳେ ଦୌଡୁଥାଏ।
:ଆଉ ତମ ପାଦରେ ହଳେ ଡେଣା ଅଛି କାହିଁକି ?
:ମୁଁ ପବନ ସମାନେ ଉଡିପାରେ।
:ତମ ଡାହାଣ ହାତରେ ପଟେ କ୍ଷୁର କାହିଁକି?
:ଲୋକଙ୍କୁ କହିବା ପାଇଁ ଯେ ଦେଖ ଯେତେ ଦାଢୁଆ ପଟ ଅଛି ପୃଥ୍ୱୀରେ ସେ ସବୁଠାରୁ ଅଧିକ ଦାଢ ମୋର।
:ତମର କେଶ ସବୁବେଳେ ତମ ମୁହଁ ଉପରେ ପଡିଥାଏ କାହିଁକି ?
:ଯିଏ ମୋତେ ଦେଖା କରିବ ସେ ସମୟର ଠିକ୍ ସଦବ୍ୟବହାର କରିପାରିବ।
: ତମର ମୁଣ୍ଡର ପଛପଟ ଚନ୍ଦା କାହିଁକି ?
: ମୋ ଡେଣାଲଗା ପାଦରେ ଦୌଡି ମୁଁ ଯାହାକୁ ପରାସ୍ତ କରୁଛି ସେ ଯେତେ ବିରକ୍ତ ହେଲେ ବି ମୋତେ ପଛରୁ ଧରି ପାରିବ ନାହିଁ ଜମା।
: ଜଣେ କଳାକାର ତମକୁ ସଜେଇବାକୁ ବସିବ କାହିଁକି ?
: ତମମାନଙ୍କ ଭଳି ଯେତେ ଅଜଣା ଅଛନ୍ତି ସେଇ ସମସ୍ତଙ୍କ ପାଇଁ ଆଉ ସେ ହିଁ ଚୌକାଠରେ ମୋତେ ଚିରକାଳ ସଜାଇ ରଖିବ ଏକ ଉପକରଣ ଭାବରେ ଶିକ୍ଷାଦାନର।
୩
(ଯବନୀକା ପତନ)
ଗ୍ରୀକମାନଙ୍କର ଦୁଇଟି ଶବ୍ଦ ରହିଛି ସମୟ ପାଇଁ,କ୍ରୋନସ୍ ଆଉ କାଇରସ୍।
କ୍ରୋନସ୍ ହେଉଛି ପ୍ରବହମାନ ସମୟ ଯେଉଁ ସମୟକୁ ଅତି ସରଳରେ କହିଲେ ଆମେ ନିଜ ନିଜ ଘଡି ଅନୁସାରେ ଘଣ୍ଟା ମିନିଟ୍ ଲିତା ବିଲିତା ଓ ଦଣ୍ଡ ଆଦିରେ ମାପିଥାଉ।
କ୍ରୋନସ୍ ଯେତେବେଳେ ହେଉଛି ସମୟର ପରିମାଣାତ୍ମକ ପ୍ରବହମାନ ପକ୍ଷ, ସେତେବେଳେ କାଇରୋସ୍ ସେହି ସମୟର ଗୁଣାତ୍ମକ ପକ୍ଷ ବୋଲି ବିବେଚନା କରାଯାଏ।ଏହାର ପରିମାପ ହୋଇଥାଏ ମୂହୁର୍ତ୍ତ ରେ।
ଆମେ ଘଣ୍ଟା ଆଉ ମୂହୁର୍ତ୍ତ ର ପ୍ରୟୋଗ କେଉଁପରି ଆଉ କେତେବେଳେ କରିଥାଉ ତାହାକୁ ଟିକିଏ ନିରିଖେଇ ଦେଖିଲେ ଏହି କ୍ରୋନସ୍ ଆଉ କାଇରସ୍ ଦୁଇ ଚରିତ୍ରକୁ ଠିକ୍ ରେ ବୁଝି ପାରିବା।
୪
(ଦର୍ଶକ ମଣ୍ଡଳୀ)
ଗ୍ରୀକମାନଙ୍କର ଝୁଙ୍କ୍ ସବୁକିଛିକୁ ମଣିଷ ରୂପରେ ତିଆରି କରି ଦେଖିବାରେ।
ସିକିଅନ୍ ର ଲିସିପସ୍ ମୂହୁର୍ତ୍ତ ର ପ୍ରତିଭୂ କାଇରୋସ୍ ଙ୍କର ଏଇଟି ଏକ ବିଚିତ୍ର ପ୍ରତିକୃତି ନିର୍ମାଣ କରିଛନ୍ତି ।
୫
(ପ୍ରତ୍ୟାବର୍ତ୍ତନ)
ସମସ୍ତ ସମୟ କାଇରୋସ୍ ଅର୍ଥାତ୍ ଗୁଣବାଚକ ହୁଅନ୍ତୁ ଆପଣମାନଙ୍କର ।
Comments are closed.