Latest Odisha News

ଦେଶରେ ବିଗୁଡୁଛି କରୋନା ସ୍ଥିତି, ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିଗୁଡୁଛି କରୋନା ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ମୃତ୍ୟୁସଂଖ୍ୟା ମଧ୍ୟ ତିନି ଶହ ପାଖାପାଖି ରହୁଛି । ଦେଶରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତାରେ କେନ୍ଦ୍ର ସରକାର । ଏପରିସ୍ଥଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଦିନକୁ ଦିନ ଜଟିଳ ହେଉଛି ସ୍ଥିତି । ଯାହା ପାଇଁ ସାରା ଦେଶରେ ବିପଦ ବଢ଼ିବାର ଆଶଙ୍କା ରହିଛି । ତେଣୁ ଭୁତାଣୁକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେନେଇ ଆମ ସମସ୍ତଙ୍କୁ ପଦକ୍ଷେପ ନେବାକୁ ପଡ଼ିବ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଦେଶର ସର୍ବାଧିକ ୧୦ଟି କରୋନା ପ୍ରଭାବିତ ଜିଲ୍ଲାର ତାଲିକା ପ୍ରକାଶ କରିଛି । ଜିଲ୍ଲା ହେଲେ ପୁଣେ, ମୁମ୍ବାଇ, ନାଗପୁର, ଥାଣେ, ନାସିକ, ଔରଙ୍ଗାବାଦ, ବେଙ୍ଗାଲୁରୁ ଅର୍ବାନ, ନାଣ୍ଡେଡ୍, ଦିଲ୍ଲୀ ଓ ଅହମ୍ମଦନଗର । ଏହିସବୁ ଜିଲ୍ଲାରେ ଟେଷ୍ଟିଂକୁ ବୃଦ୍ଧି କରାଯିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାର ୨୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୨୭୧ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ, ସୁସ୍ଥ ହେଲେଣି ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.