Latest Odisha News

BREAKING NEWS

Hyderabad Engineer Case: ନଗ୍ନ ଅବସ୍ଥାରେ ଦେବୀଙ୍କ ମୂର୍ତ୍ତି କୁଣ୍ଡାଇ ପୋଖରୀକୁ ଡେଇଁଲେ ସଫ୍ଟୱେୟାର ଇଞ୍ଜିନିୟର, ଦେଉଥିଲେ ମାସିକ ୧ ଲକ୍ଷ ଘର ଭଡା…ଘନାଉଛି ମୃତ୍ୟୁ ରହସ୍ୟ…

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦ ସହରର ପୀରଜାଦିଗୁଡା ଅଞ୍ଚଳରେ ଜଣେ ଯୁବ ସଫ୍ଟୱେୟାର ଇଞ୍ଜିନିୟରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପ୍ରାରମ୍ଭିକ ତଦନ୍ତରେ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଇ, କେସ୍ ଟିକୁ ରଫାଦଫା କରାଯାଇଥିବା ବେଳେ ଏବେ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଘଟଣା ଏକ ନୂଆ ମୋଡ଼ ନେଇଛି। ଯାହାକୁ ନେଇ ପୁଣି ରିଓପନ୍ ହୋଇଛି ଘଟଣା ।

ମୃତକ ହେଲେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଦେବପଲ୍ଲୀ ଗାଁର ତେଜସ୍ୱିନୀ। ସେ ପୂର୍ବରୁ ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ପ୍ରାୟ ୬ ମାସ ପୂର୍ବରୁ ଚାକିରି ଛାଡ଼ି ସେ ମା’ଙ୍କ ସହ ହାଇଦ୍ରାବାଦର ପୀରଜାଦିଗୁଡାରେ ଏକ ଭଡ଼ା ଘରରେ ରହୁଥିଲେ।

ପୋଲିସ ସୂଚନା ଅନୁସାରେ, ତେଜସ୍ୱିନୀଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ତେବେ ସେହି ପୋଖରୀ ନିକଟସ୍ଥ ମନ୍ଦିରରୁ ଦେବୀ ଅମ୍ମାଭାରୁଙ୍କ ମୂର୍ତ୍ତି ନିଖୋଜ ଥିବା ଜଣାପଡ଼ିବା ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଆଉ ଯାଞ୍ଚରେ ତେଜସ୍ବନୀଙ୍କୁ ସିସିଟିଭିରେ ଯେଉଁ ଅବସ୍ଥାରେ ଦେଖିବାକୁ ମିଳିଥିଲା ତାହା ତଦନ୍ତକାରୀ ଟିକୁ ବ୍ୟଥିତ କରିଥିଲା ।

ତଦନ୍ତରେ ଦେଖାଯାଇଛି ଯେ, ଘଟଣା ଦିନ ରାତିରେ ତେଜସ୍ୱିନୀ ନଗ୍ନ ଅବସ୍ଥାରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେଠାରୁ ଦେବୀଙ୍କ ମୂର୍ତ୍ତି ଉଠାଇ ନିକଟସ୍ଥ ପୋଖରୀ ଆଡ଼କୁ ଯାଇଥିଲେ। ପରେ ସେ ମୂର୍ତ୍ତି ସହ ପୋଖରୀକୁ ଡେଇଁପଡ଼ିଥିବା ସିସିଟିଭିରେ ଦେଖିବାକୁ ମିଳିଛି। ପରେ ତାଙ୍କ ମୃତଦେହ ମିଳିଥିଲେ ମଧ୍ୟ, ମୂର୍ତ୍ତିଟି ଏପର୍ଯ୍ୟନ୍ତ ମିଳିନାହିଁ।

ମୂର୍ତ୍ତିର ସନ୍ଧାନ ପାଇଁ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (DRF) ପୋଖରୀରେ ସ୍ୱତନ୍ତ୍ର ତଲାସି ଅଭିଯାନ ଚଳାଇଛି। ପୋଲିସର କହିବା ଅନୁସାରେ, ଏହି ମୂର୍ତ୍ତି ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷ୍ୟ ହୋଇପାରେ। ଏହି ଘଟଣାରେ ପୁଲିସ ତେଜସ୍ୱିନୀଙ୍କ ମା’ଙ୍କୁ ପଚରାଉଚରା କରିଛି। ତାଙ୍କ ଆର୍ଥିକ କାରବାର, ଘଟଣା ପୂର୍ବର କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ କରାଯାଉଛି।

ତଦନ୍ତରେ ଆଉ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ତେଜସ୍ୱିନୀ ଯେଉଁ ଫ୍ଲାଟରେ ରହୁଥିଲେ, ସେଥିପାଇଁ ସେ ପ୍ରତିଦିନ ପ୍ରାୟ ୩,୫୦୦ ଟଙ୍କା, ଅର୍ଥାତ୍ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଭଡ଼ା ଦେଉଥିବା ଜଣାପଡ଼ିଛି। ଆଉ ପୁଣି ସେହି ବିଲ୍ଡିଂର ଉପର ଦୁଇ ମହଲାକୁ ଲଜ୍ ଭାବେ ପରିଚାଳନା କରାଯାଉଥିବା ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି।

ତେବେ ତେଜସ୍ୱିନୀ ଏଭଳି ପଦକ୍ଷେପ କାହିଁକି ନେଲେ, ଏହା ପଛରେ ପ୍ରକୃତ କାରଣ କ’ଣ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ସିସିଟିଭି ଫୁଟେଜ୍, ଫରେନ୍ସିକ୍ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.