Latest Odisha News

BREAKING NEWS

ଜେଲ୍ ରୁ କେଜ୍ରିଓ୍ୱାଲଙ୍କ ଚିଠି, ‘ମୋର ନାମ ଅରବିନ୍ଦ କେଜ୍ରିଓ୍ବାଲ, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ ବଢିବାରେ ଲାଗିଛି । ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି କେଜ୍ରିଓ୍ବାଲଙ୍କ ଜେଲ୍ ରୁ ମୁକୁଳିବା ଆଶା ମଉଳିବାରେ ଲାଗିଛି । ଏନେଇ ଆଜି ଜେଲରୁ ବାର୍ତ୍ତା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ନେତା ସଞ୍ଜୟ ସିଂହ ତିହାର ଜେଲରୁ କେଜ୍ରିଓ୍ୱାଲ ଦିଲ୍ଲୀବାସୀଙ୍କ ପାଇଁ ଲେଖିଥିବା ଚିଠିକୁ ପଢ଼ିଛନ୍ତି । ଯେଉଁଥିରେ ଲେଖାଅଛି ଯେ, ‘ମୋର ନାମ ଅରବିନ୍ଦ କେଜ୍ରିଓ୍ବାଲ, ମୁଁ ଆତଙ୍କବାଦୀ ନୁହେଁ’। ଏଥିସହ ସେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସଞ୍ଜୟ କହିଛନ୍ତି, ‘ଆପଣ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରୁଛନ୍ତି । ଆପଣଙ୍କୁ ଲଜ୍ଜା ଲାଗୁ ନାହିଁ ? ପ୍ରଧାନମନ୍ତ୍ରୀଙ୍କ ମନରେ କେଜ୍ରିଓ୍ୱାଲଙ୍କ ପ୍ରତି ଘୃଣା ଭାବନା ଏତେ ମାତ୍ରାରେ ଭରି ରହିଛି ଯେ, କେଜ୍ରିଓ୍ବାଲଙ୍କୁ ତାଙ୍କ ପରିବାର ଲୋକେ ଦେଖା କରିବାକୁ ଗଲେ ପ୍ରତ୍ୟକ୍ଷ ଭାବେ ସାକ୍ଷାତ କରାଇଦିଆଗଲାନାହିଁ’ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ୍‌ ରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି । ସେହିପରି ତାଙ୍କୁ ନିର୍ଯାତନା ଦେବାର ଯୋଜନା ରହିଛି ଏବଂ ତାଙ୍କୁ ହତାଶ କରିବା ପାଇଁ ଉଦ୍ୟମ କରାଯିବା ସହିତ ତାଙ୍କ ପରିବାରକୁ ଅପମାନିତ କରାଯାଉଛି । କିନ୍ତୁ ଅରବିନ୍ଦ କେଜ୍ରିଓ୍ବାଲ ମାଟିରେ ଗଢା, ସେ ଭାଙ୍ଗିପଡିବା ବଦଳରେ ଅଧିକ ଶକ୍ତିଶାଳୀ ହୋଇ ଦୃଢତାର ଠିଆ ହେବେ ।

ସୂଚନାଯୋଗ୍ୟ, ନିକଟରେ କେଜ୍ରିଓ୍ବାଲଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ମଧ୍ୟ ଭେଟିବାକୁ ଯାଇଥିଲେ । କାଚ କାନ୍ଥ ଜରିଆରେ ଭଗବନ୍ତ ମାନ ତାଙ୍କୁ ସାକ୍ଷାତ କରିଥିଲେ । ଏହାକୁ ନେଇ ଭଗବନ୍ତ ମାନ୍‌ ବର୍ଷିଥିଲେ। ଜେଲ୍‌ରେ କେଜ୍ରିଓ୍ୱାଲଙ୍କ ସହ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଆଜି ବିଜୋପି ଉପରେ ବର୍ଷିଛି ଆପ୍ ।

Leave A Reply

Your email address will not be published.