Latest Odisha News

ହରିୟାଣାରେ ବିଜେପିକୁ ଦମ୍ ଦେଖାଇବ ‘ଇଣ୍ଡିଆ’ !

ଭୁବନେଶ୍ୱର: ନିର୍ବାଚନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରସ୍ତୁତି ଜୋର ଧରିଛି। ଦେଶର ସାଧାରଣ ନିର୍ବାଚନ ସହ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ବିଶେଷ କରି ଏନଡିଏ ଓ ଇଣ୍ଡିଆ ମେଣ୍ଟରେ ଥିବା ବିଭିନ୍ନ ଦଳ ତତ୍ପର ହୋଇଉଠିଛନ୍ତି।

ଏହି ଅବସରରେ ଆସନ୍ତା ୨୫ ତାରିଖରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବିଲାଲଙ୍କ ଜୟନ୍ତୀରେ ହରିୟାଣାର କଇଥଲରେ ସମ୍ମାନ ଦିବସ ମହରାଲିରେ ବିରୋଧୀ ଇଣ୍ଡିଆର ବହୁ ଶୀର୍ଷ ନେତା ସାମିଲ ହେବେ। ଏ ନେଇ ଇଣ୍ଡିଆନ ନ୍ୟାସନାଲ ଲୋକଦଳ ନେତା ଅଭୟ ସିଂ ଚୌତାଲା ସୂଚନା ଦେଇଛନ୍ତି।

ସେଥିପାଇଁ ଏହି ଶୀର୍ଷ ନେତାମାନଙ୍କୁ ନିମନ୍ତ୍ରଣ ଦିଆସରିଥିବା ବେଳେ ଆହୁରି ଅନେକ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ମହାରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ, ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ ଅବବ୍ଦୁଲ୍ଲା, ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ସୁଖବିନ୍ଦର ସିଂ ବାଦଲ, ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ ଏବଂ ବାମପନ୍ଥୀ ନେତା ସୀତାରାମ ୟେଚୁରି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସେ କହିଛନ୍ତି।

ଏପରିକି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଉଦ୍ଧବ ଗୋଷ୍ଠୀ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାୱାର ଆଦିଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମେଣ୍ଟ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ତେଣୁ ଇଣ୍ଡିଆ ମେଣ୍ଟର ତିନୋଟି ବୈଠକ ପରେ ଏବେ ବଡ ବଡ଼ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି।

ସେପଟେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଆଦି ରାଜ୍ୟରେ ସିଟ ସେୟାରିଂକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ପଞ୍ଜାବରେ ଆପ ଆଦମୀ ପାର୍ଟି ସହ ମିଶି କଂଗ୍ରେସ କିଭଳି ନିର୍ବାଚନ ଲଢ଼ିବ ତାକୁ ନେଇ ପ୍ରଶ୍ନ ଉଠିଛି।

ପଞ୍ଜାବରେ କଂଗ୍ରେସ ନିଜେ ନେତାଙ୍କୁ ଏକାକୀ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ ପ୍ରଦେଶ ନେତୃତ୍ୱ କହିଥିବା ବେଳେ ଆପ ମଧ୍ୟ ନିଜେ ଲଢ଼ି ଜିତିବାକୁ ସମର୍ଥ ବୋଲି କହିଛି। ସେପଟେ ହରିୟାଣାରେ ମଧ୍ୟ ଇଣ୍ଡିଆ ମେଣ୍ଟ ମଧ୍ୟରେ ଥିବା ଦଳଗୁଡିକ ନିଜ ନିଜ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

ହରିୟାଣାରେ ଆଠ ମାସ ପରେ ଲୋକସଭା ଓ ୧୩ ମାସ ପରେ ବିଧାନସଭା ନିର୍ବାଚନ ହୋଇପାରେ। ସେଥିପାଇଁ କଂଗ୍ରେସ, ବିଜେପି, ଜେଜେପି, ଇଣ୍ଡିଆନ ନ୍ୟାସନାଲ ଲୋକଦଳ ଓ ଆପ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି।

ତେଣୁ ଗୋଟିଏ ପଟେ ଇଣ୍ଡିଆ ମେଣ୍ଟ ଲଢେଇ ପାଇଁ ଜୋରଦାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ବେଳେ ସେପଟେ ବିଭିନ୍ନ ରାଜ୍ୟରେ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳିଛି। ତେଣୁ ଇଣ୍ଡିଆର ଶୀର୍ଷ ନେତୃତ୍ୱ କିଭଳି ଏସବୁକୁ ସମ୍ମୁଖୀନ ହୋଇ ଏକାଠି ଲଢ଼ିବେ ତାକୁ ନେଇ ଆଲୋଚନା ଜୋର ଧରିଛି।

Comments are closed.