ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କରିଛି । ଦିନିକିଆ ବିଶ୍ୱକପ ୧୪ ଟିମ ସହିତ ଥ୍ରୀ ଷ୍ଟେଜ ଫର୍ମାଟରେ ଖେଳାଯିବ । ପ୍ରଥମ ଥର ପାଇଁ ସୁପର ୭ ରାଉଣ୍ଡ ଲାଗୁ ହେବ । ଯାହା ଟୁର୍ଣ୍ଣାମେଂଟର ମୂଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି । ସେହିପରି ଟି୨୦ ବିଶ୍ୱକପରେ ସୁପର ୮ ବଦଳରେ ସୁପର ୧୦ ଷ୍ଟେଜ ଖେଳାଯିବ । ସେମିଫାଇନାଲରେ ପ୍ରବେଶ ପାଇଁ ୨ଟି ନୂତନ ଏଲିମିନେଟର ମୁକାବିଲା ଯୋଡାଯାଇଛି । ଏଡିନବର୍ଗରେ ଆୟୋଜିତ ଆଇସିସି ବୈଠକରେ ଏହା ଉପରେ ମୋହର ଲାଗିଛି ।
ଦିନିକିଆ ବିଶ୍ୱକପରେ ୧୪ଟି ଟିମ ଖେଳିବେ । ପ୍ରଥମେ ସୁପର ସିରିଜ ଖେଳାଯିବ । ର୍ୟାଙ୍କିଙ୍ଗରେ ଶେଷ ୩ଟି ସ୍ଥାନରେ ଥିବା ଟିମ ରାଉଣ୍ଡ ରବିନ ଫର୍ମାଟରେ ପରସ୍ପରକୁ ସାମ୍ନା କରିବେ । ଶୀର୍ଷ ଟିମ ୨ୟ ରାଉଣ୍ଡରେ ପ୍ରବେଶ କରିବ । ଦ୍ୱିତୀୟ ରାଉଣ୍ଡରେ ୧୨ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯିବ । ଓଭରାଲ ୩୦ ମ୍ୟାଚ ଖେଳାଯିବ । ୩ଟି ଲେଖାଏଁ ଟିମ ପ୍ରତ୍ୟେକ ଗ୍ରୁପରୁ ଏବଂ ୭ମ ସ୍ଥାନରେ ଥିବା ଟିମ ସୁପର ସେଭେନକୁ ଉନ୍ନୀତ ହେବେ । ଏହା ପରେ ରାଉଣ୍ଡ ରବୀନ ଫର୍ମାଟରେ ୨୧ ମ୍ୟାଚ ଖେଳାଯିବ । ଏହା ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ ।
ସେହିପରି ଟି୨୦ ବିଶ୍ୱକପରେ ସୁପର ୮ ବଦଳରେ ୧୦ କରାଯାଇଛି । ନୂଆ ଫର୍ମାଟରେ ୪ଟି ଲେଖାଏଁ ଟିମକୁ ନେଇ ୫ଟି ଗ୍ରୁପ କରାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଏଁ ଟିମ ସୁପର ୧୦କୁ ଉନ୍ନୀତ ହେବେ । ଏହାକୁ ୨ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପର ଶୀର୍ଷ ଟିମ ସିଧାସଳଖ ସେମିରେ ପ୍ରବେଶ କରିବେ । ଏହା ପରେ ଏଲିମିନେଟର ମାଧ୍ୟମରେ ବାକି ୨ଟି ଟିମ ଚୟନ ହେବ । ଶେଷରେ ଫାଇନାଲ ମ୍ୟାଚ ଖେଳାଯିବ ।