Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ ୨୦୧୯: କେତେ ଶକ୍ତିଶାଳୀ ବିରାଟଙ୍କ ଟିମ୍ ଇଣ୍ଡିଆ, ଜାଣନ୍ତୁ

ଇଂଲଣ୍ଡ ଓ ୱେଲ୍ସଠାରେ ଆଜି ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ କ୍ରିକେଟ୍ ୨୦୧୯ । ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତକୁ ମଧ୍ୟ ବିଶ୍ୱକପ ଦାବିଦାର୍ ଭାବେ କ୍ରିକେଟ୍ ପଣ୍ଡିତମାନେ ଗଣନା କରିଛନ୍ତି । ଭାରତୀୟ ଦଳ ଏକ ସୁନ୍ଦର ସନ୍ତୁଳିତ ଦଳ ବୋଲି କ୍ରିକେଟ ବିଶାରଦ ଆଲୋଚନା କରୁଛନ୍ତି । ଭାରତୀୟ ଦଳରେ ଉଭୟ ବ୍ୟାଟ୍ସମ୍ୟାନ ଓ ବୋଲର୍ ଉନ୍ନତ ଫର୍ମରେ ରହିଥିବା ବେଳେ ଦଳରେ ରହିଛନ୍ତି ଦକ୍ଷ ଅଲରାଉଣ୍ଡର୍ ।

ମେ’ ୩୦ ତାରିଖ ଅର୍ଥାତ୍ ଆଜି ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଭେଟୁଛି । ଭାରତ ଜୁନ ୫ ତାରିଖରେ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟୁଛି । ଭାରତୀୟ ସମୟ ଦିନ ୩ଟା ସମୟରେ ଅଧିକାଂଶ ମ୍ୟାଚ ଆରମ୍ଭ ହେଉଥିବା ବେଳେ ଅନେକ ମ୍ୟାଚ ସନ୍ଧ୍ୟା ୬ଟା ସମୟରେ ଖେଳାଯିବ ।

ବିରାଟ କୋହଲୀ: (ଅଧିନାୟକ) ଆଇସିସି କ୍ରିକେଟ ର‌୍ୟାଙ୍କିଂ ଅନୁଯାୟୀ ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ହେଲେ ବିରାଟ କୋହଲୀ । ତିରିଶ ବର୍ଷ ବୟସ୍କ ଏହି ବିଶ୍ୱର ଶ୍ରେଷ୍ଠ କପ୍ତାନଙ୍କ ସର୍ବାଧିକ ଦିନିକିଆ ସ୍କୋର ହେଲା ୧୮୩ ରନ । ସେ ୨୨୭ଟି ଦିନିକିଆ ମ୍ୟାଚରେ ମୋଟ ୧୦,୮୪୩ ରନ କରିବା ସହିତ ୪୧ଟି ଶତକ ଏବଂ ୪୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ରୋହିତ ଶର୍ମା: (ଉପ ଅଧିନାୟକ) ଆଇସିସି ଦିନିକିଆ ର‌୍ୟାଙ୍କିଂରେ ବିଶ୍ୱର ୨ ନମ୍ବର ବ୍ୟାଟ୍ସମ୍ୟାନ ହେଉଛନ୍ତି ରୋହିତ । ଜଣେ ଦୁର୍ଦ୍ଦଶ ଓପନର ଭାବେ କ୍ରିକେଟ ଦୁନିଆରେ ସେ ବେଶ୍ ପରିଚିତ । ଧୁଆଁଧାର ଇନିଂସ ଖେଳି କ୍ରିକେଟ ଜଗତରେ ଚର୍ଚ୍ଚିତ ହୋଇପଡ଼ିଛନ୍ତି ଏହି ଭାରତୀୟ ବ୍ୟାଟ୍ସମ୍ୟାନ । ସମୁଦାୟ ୨୦୬ଟି ଦିନିକିଆ ମ୍ୟାଚ୍ ଖେଳି ରୋହିତ ୮୦୧୦ ରନ କରିପାରିଛନ୍ତି । ସେ ୨୨ଟି ଚମତ୍କାର ଶତକ ହାସଲ କରିପାରିଥିବା ବେଳେ ଅନେକ ମ୍ୟାଚରେ ଅଧିନାୟକତ୍ୱ ମଧ୍ୟ କରିଛନ୍ତି । ଦଳ ତାଙ୍କଠାରୁ ଅନେକ କିଛି ଆଶା ରଖିଛି ।
ଶିଖର ଧାୱନ: ବିଶ୍ୱର ଅନ୍ୟତମ ବିପଦପୂର୍ଣ୍ଣ ଓପନର୍ ହେଲେ ଶିଖର ଧାୱନ । ଯେକୌଣସି ବୋଲର୍ କିମ୍ବା ଯେକୌଣସି ପିଚରେ ସେ ଭଲ ପ୍ରଦର୍ଶନ କରିପାରନ୍ତି । ବିପକ୍ଷ ବୋଲରଙ୍କୁ ସେ ନିର୍ମମ ପ୍ରହାର କରି ଭାରତକୁ ଅନେକ ମ୍ୟାଚରେ ଜିତାଇବାର ଶ୍ରେୟ ନେଇଛନ୍ତି । ୩୩ ବର୍ଷୀୟ ଧାୱନ ୧୨୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ୧୬ଟି ଶତକ ହାସଲ କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ: ଦଳର ନିର୍ଭରଯୋଗ୍ୟ ୱିକେଟ କିପର ଏବଂ ଅନୁଭବୀ ବ୍ୟାଟ୍ସମ୍ୟାନ ଭାବେ ଧୋନୀ ଟିମ ଇଣ୍ଡିଆର ଜଣେ ମୂଲ୍ୟବାନ ଖେଳାଳି । ଜଣେ ସଫଳ ଅଧିନାୟକ ରୂପେ ଦଳ ତାଙ୍କଠାରୁ ସବୁ ସମୟରେ ପରାମର୍ଶ ସହିତ ଉନ୍ନତ ପ୍ରଦର୍ଶନ ଆଶା ରଖିଛି । ଏପର୍ଯ୍ୟନ୍ତ ୩୪୧ଟି ଦିନିକିଆରୁ ୧୦ଟି ଶତକ ସହିତ ୭୧ଟି ଅର୍ଦ୍ଧଶତକ ହାସଲ କରିଥିବା ଧୋନୀ ଜଣେ ମ୍ୟାଚ୍ ଫିନିଶର୍ ଭାବେ ଦଳକୁ ଜିତାଇବେ ବୋଲି ଟିମ୍ ଆଶା ବାନ୍ଧିଛି ।
ରବୀନ୍ଦ୍ର ଜାଡ଼େଜା: ଦଳର ଜଣେ ମୁଖ୍ୟ ଅଲରାଉଣ୍ଡର ଏବଂ ମଧ୍ୟମ ଭାଗର ବ୍ୟାଟି ତଥା ବୋଲିଂ ବିଭାଗକୁ ସମ୍ଭାଳିବେ ରବୀନ୍ଦ୍ର । ଦଳର ମ୍ୟାଚ୍ ୱିନିଂ ପ୍ଲେୟାର ଭାବେ ତାଙ୍କଠାରୁ ଦଳ ଉଭୟ ବ୍ୟାଟିଂ ବୋଲିଂ ଏବଂ ଫିଲ୍ଡିଂରେ ଅନେକ କିଛି ଆଶା ପୋଷଣ କରିଛି ।

ଜଶପ୍ରିତ୍ ବୁମରା: ଭାରତୀୟ ଦଳର ମୁଖ୍ୟ ବୋଲିଂ ଅସ୍ତ୍ର ହେଲେ ବୁମରା । ପୂର୍ବରୁ ଅନେକ ମ୍ୟାଚରେ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ମ୍ୟାଚ ଜିତାଇଥିବାର ପ୍ରମାଣ ଦେଇଛନ୍ତି ବୁମରା ।

ୟୁଜବେନ୍ଦ୍ର ଚହଲ: ଚହଲଙ୍କ ଲେଗବ୍ରେକ ଗୁଗଲୀ ବୋଲିଂ ଇଂଲଣ୍ଡ ପିଚରେ ବେଶ୍ ସୁହାଇବ ବୋଲି କ୍ରିକେଟ ବିଶାରଦ ଆଲୋଚନା କରିଛନ୍ତି । ଦଳ ଜଣେ ମ୍ୟାଚ୍ ୱିନିଂ ବୋଲର୍ ଭାବେ ତାଙ୍କୁ ଉପଯୋଗ କରିବ ।

କେଦାର ଯାଦବ: କେଦାର ଯାଦବ ମଧ୍ୟକ୍ରମ ବ୍ୟାଟିଂକୁ ସମ୍ଭାଳିବାର ଦାୟିତ୍ୱ ନେଇଥିଲେ ମଧ୍ୟ ଦଳ ଲାଗି ଜଣେ ଭଲ ଅଲରାଉଣ୍ଡର୍ ଭାବେ ସାବ୍ୟସ୍ତ ହୁଅନ୍ତି ।

ଦିନେଶ କାର୍ତ୍ତିକ: ଦଳର ଅନ୍ୟତମ ୱିକେଟ କିପର ଦିନେଶ ହେଲେ ମଧ୍ୟ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ । ବ୍ୟାଟିଂ ବ୍ୟତୀତ ପଡ଼ିଆରେ ଜଣେ ଭଲ ଫିଲ୍ଡର ହୋଇଥିବା ଯୋଗୁଁ ଦଳ ଦିନେଶଙ୍କ ନିକଟରୁ ଭଲ ପ୍ରଦର୍ଶନ ଆଶା ରଖିଛି ।

କୁଲଦୀପ ଯାଦବ: ଦଳର ବାମହାତୀ ଚୀନାମ୍ୟାନ୍ ସ୍ପିନ ବୋଲର୍ ହେଲେ କୁଲଦୀପ ଯାଦବ । କୁଲଦୀପ ପିଚ ଓ ପାଣିପାଗକୁ ଉପଯୋଗ କରି ୱିକେଟ ହାସଲ କରିବାରେ ଧୁରନ୍ଧର । ଅଧିକ ସମୟ କ୍ରିଜରେ ତିଷ୍ଠି ରହିଥିବା ବ୍ୟାଟ୍ସମ୍ୟାନଙ୍କୁ କିପରି ଆଉଟ୍ କରିବା ହୁଏ ସେହି କୌଶଳ ଭଲଭାବେ ଜଣା କୁଲଦୀପଙ୍କୁ । ତେଣୁ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ।

ଭୁବନେଶ୍ୱର କୁମାର: ଟିମ୍ ଇଣ୍ଡିଆର ମୁଖ୍ୟ ଫାଷ୍ଟ ବୋଲର୍ ହେଲେ ଭୁବନେଶ୍ୱର । ଦଳର ପେସ ବୋଲିଂ ବିଭାଗ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଭୁବନେଶ୍ୱର କୁମାର ଦଳର ବୋଲିଂ ଓପନ କରିବେ ଏବଂ ଯଦି ସେ ସହଳ ସଫଳ ହୁଅନ୍ତି ତେବେ ଭାରତକୁ ମ୍ୟାଚ ଜିତାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିପାରିବେ ଭୁବନେଶ୍ୱର ।

ମହମ୍ମଦ ସାମି: ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅଧିକ ହଇରାଣ କରିବେ ସାମି । ଇଂଲଣ୍ଡର ସ୍ୱିଂ ପିଚର ବେଶ୍ ଫାଇଦା ନେବେ ସାମି । ଯଦି ବୋଲିଂରେ ସାମି ସଫଳ ହୁଅନ୍ତି ତେବେ ଭାରତୀୟ ଦଳ ଆରାମରେ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିବ ।

ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ଦଳର ମୂଲ୍ୟବାନ ତଥା ମ୍ୟାଚ ୱିନିଂ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା । ଡ଼ାହାଣ ହାତି ମିଡ଼ିୟମ ଫାଷ୍ଟ ବୋଲିଂ ସାଙ୍ଗକୁ ଦୁର୍ଦ୍ଦଶ ବ୍ୟାଟିଂ ପ୍ରଦର୍ଶନ କରିବେ ପାଣ୍ଡ୍ୟା । ପାଣ୍ଡ୍ୟା ଯଦି କ୍ରିଜରେ ମଜ୍ଜି ଯାଆନ୍ତି ତେବେ ତାଙ୍କୁ ସହଜରେ ପ୍ରତିପକ୍ଷ ବୋଲର୍ ଆଉଟ କରିପାରିବେ ନାହିଁ ।

କେ ଏଲ ରାହୁଲ: ଭାରତର ଅନ୍ୟତମ ରିଜର୍ଭ ଓପନର ହେଲେ ରାହୁଲ । ସେ ଦଳର ବ୍ୟାଟିଂ ବିଭାଗର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ । ଇଂଲଣ୍ଡ ପିଚରେ ସେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଦଳ ଆଶା ରଖିଛି ।

ବିଜୟ ଶଙ୍କର: ବିଜୟ ଦଳର ଅନ୍ୟତମ ଅଲରାଉଣ୍ଡର । ବୋଲିଂ ହେଉ କି ମଧ୍ୟକ୍ରମ ବ୍ୟାଟିଂ ଦଳ ଯେବେବି ତାଙ୍କୁ ଦାୟିତ୍ୱ ଦେଇଛି ସେ ତାହାର ସଦୁପଯୋଗ କରିଛନ୍ତି । ଦଳର ବିଜୟ ଲାଗି ବିଜୟ ହିଁ ନିଶ୍ଚିତ ରୂପେ ଅଧିକ ମୂଲ୍ୟବାନ ସାବ୍ୟସ୍ତ ହେବେ ବୋଲି ଚୟନକର୍ତ୍ତା ଆଶା ରଖିଛନ୍ତି ।

Leave A Reply

Your email address will not be published.