Latest Odisha News

BREAKING NEWS

IED blast targets Assam Rifles: ଆସାମ ରାଇଫଲ୍ସ କନଭୟ ନିକଟରେ ଆଇଇଡି ବିସ୍ଫୋରଣ; ଜଣେ ଯବାନ ସହିଦ, ୪ ଆହତ

ନୂଆଦିଲ୍ଲୀ:ନାଗାଲାଣ୍ଡର ଶୋଖୁଭି-ଚୁମୌକେଡିମା ରାସ୍ତାରେ ଏକ ସନ୍ଦିଗ୍ଧ ଆଇଇଡି( ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ -IED) ବିସ୍ଫୋରଣରେ ଆସାମ ରାଇଫଲ୍ସର ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।

ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆସାମ ରାଇଫଲ୍ସର ଏକ କନଭୟ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିବା ରିପୋର୍ଟ ଆସିଛି। ଏହି ଘଟଣା ପରେ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ଏବଂ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି।

କୋହିମାର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ (PRO) କହିଛନ୍ତି ଯେ ସୋମବାର ନାଗାଲାଣ୍ଡର ଚୁମୌକେଡିମା ଜିଲ୍ଲାର ସୁଖୋଭି (ଶୋଖୁଭି) ନିକଟରେ ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ଆସାମ ରାଇଫଲ୍ସର ଏକ ପ୍ରମୁଖ ତାଲିମ କେନ୍ଦ୍ର ରହିଛି।

ସୁରକ୍ଷା କର୍ମୀମାନେ ନିୟମିତ ଗତିବିଧି ସମୟରେ ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ ପୂର୍ବରୁ ଲଗାଯାଇଥିବା ଏକ ଆଇଇଡି ଆସାମ ରାଇଫଲ୍ସ କନଭୟକୁ ଟାର୍ଗେଟ କରିଥିଲା। ଆହତ ଚାରି ଜଣ ଯବାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ, ସେହି ଅଞ୍ଚଳରେ ଆସାମ ରାଇଫଲ୍ସ, ନାଗାଲାଣ୍ଡ ପୋଲିସ ଏବଂ ସେନାର ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି।

ବିସ୍ଫୋରଣ ଘଟଣା ପରେ ତୁରନ୍ତ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଆକ୍ରମଣକାରୀଙ୍କୁ ଠାବ କରିବା ପାଇଁ ଆଖପାଖ ଜଙ୍ଗଲ ଅଞ୍ଚଳରେ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ବିଦ୍ରୋହୀ ଗୋଷ୍ଠୀ ଆକ୍ରମଣ ପାଇଁ ଦାୟୀ ହୋଇନାହାଁନ୍ତି। ସ୍ଥାନୀୟ ଅଧିକାରୀ ଏବଂ ଫୋରେନସିକ୍ ଦଳ ବିସ୍ଫୋରଣର ସଠିକ୍ କାରଣ ଏବଂ ପ୍ରକୃତି ତଦନ୍ତ କରୁଛନ୍ତି।

ଏହି ଘଟଣା ଚିନ୍ତାର କାରଣ ପାଲଟିଛି କାରଣ ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ଆସାମ ରାଇଫଲ୍ସକୁ ଟାର୍ଗେଟ କରି ଦ୍ୱିତୀୟ ବଡ଼ ଆକ୍ରମଣ ବୋଲି ରିପୋର୍ଟ କରାଯାଉଛି। ଏହା ପୂର୍ବରୁ, ଜୁଲାଇ ୬ ତାରିଖରେ, ସନ୍ଦିଗ୍ଧ ଆତଙ୍କବାଦୀମାନେ ମଣିପୁରର ଉଖରୁଲ ଜିଲ୍ଲାରେ ଆସାମ ରାଇଫଲ୍ସର ଏକ କନଭୟ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ଆସାମ ରାଇଫଲର ୪୦ତମ ବାଟାଲିୟନର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ।

Leave A Reply

Your email address will not be published.