ରାଜଧାନୀ ରାଜରାସ୍ତାରେ ମହିଳା ସରପଞ୍ଚଙ୍କ ଜିଦ୍: ‘ନ୍ୟାୟ ନ ମିଳିବା ଯାଏଁ ଉଠିବିନି…’ ଜାଣନ୍ତୁ କାହା ବିରୋଧରେ ଏହି ଲଢ଼େଇ କହିଲେ ଚାମେଲି?
ଭୁବନେଶ୍ୱର: ରାଜଧାନୀର ଲୋୟର ପିଏମଜି ଛକରେ ଏବେ ଦେଖିବାକୁ ମିଳିଛି ଜଣେ ମହିଳା ଲୋକପ୍ରତିନିଧିଙ୍କ ଅସନ୍ତୋଷର ନିଆଁ। ନ୍ୟାୟ ଦାବିରେ ଆମରଣ ଅନଶନରେ ବସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ସରକାରୀ ବାବୁଙ୍କ ମନମାନି ଏବଂ ପୋଲିସର ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ଆଣି ସେ ଏହି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।
ଘଟଣାର ସୂତ୍ରପାତ ଗତ ଜୁନ୍ ୧୧ ତାରିଖରୁ ହୋଇଥିଲା। ସରପଞ୍ଚ ଚାମେଲିଙ୍କ କହିବା ଅନୁଯାୟୀ, ସେ ପଞ୍ଚାୟତର କିଛି ଉନ୍ନୟନମୂଳକ କାର୍ଯ୍ୟ ଏବଂ ବକେୟା ବିଲ୍ ସମ୍ପର୍କରେ ଆଲୋଚନା କରିବା ପାଇଁ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କ ଅଫିସକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କ କଥା ଶୁଣିବା ବଦଳରେ ତାଙ୍କୁ ଘୋର ଅପମାନିତ କରାଯାଇଥିଲା। ବିଡିଓ ଏବଂ ମହାକାଳପଡ଼ା ଥାନା ଅଧିକାରୀ (ଆଇଆଇସି) ମାନସ ମଲ୍ଲିକ ତାଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରିବା ସହ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏପରିକି ଯୁକ୍ତିତର୍କ ସମୟରେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଥିଲା ଏବଂ ପରେ ପୋଲିସ ତାଙ୍କ ସମେତ ତାଙ୍କ ଭାଇଙ୍କୁ ଗିରଫ କରି ହଇରାଣ କରିଥିଲା।
ଏହି ଘଟଣାକୁ ନେଇ ସେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ସେ ଭୁବନେଶ୍ୱର ଆସି ରାଜରାସ୍ତାରେ ଧାରଣା ଦେଇଛନ୍ତି। ଦୋଷୀ ବିଡିଓ ଏବଂ ଆଇଆଇସିଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ ନ ହେବା ପର୍ଯ୍ୟନ୍ତ ସେ ଅନଶନରୁ ଉଠିବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ଜଣେ ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ଅମଲାତନ୍ତ୍ରର ଏଭଳି ବ୍ୟବହାର ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।