Latest Odisha News

BREAKING NEWS

ଚୌଦ୍ୱାର ରାଜନୀତିକୁ ନେଇ ନବୀନ ନିବାସରେ ବଡ଼ ହଲଚଲ, ସାମ୍ନାକୁ ଆସିଲା ନୂଆ ରଣନୀତି…

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ରାଜନୀତି ସରଗରମ ହୋଇଉଠିଛି। ଦଳ ଭିତରେ ବଡ଼ ଓଲଟପାଲଟ ଆଶଙ୍କା ପ୍ରକାଶ ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଶଙ୍ଖ ଭବନ ଓ ନବୀନ ନିବାସ ଏବେ ପୂରା ସକ୍ରିୟ। ଆଜି ନବୀନ ନିବାସରେ ଚୌଦ୍ୱାର ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଗାମୀ ଦିନ ପାଇଁ ଏକ ବଡ଼ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

 

କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ ଆଜି ଚୌଦ୍ୱାର ବିଜେଡିର ଏକ ପ୍ରତିନିଧି ଦଳ ନବୀନ ନିବାସରେ ପହଞ୍ଚି ସାଂଗଠନିକ ସ୍ଥିତି ସମ୍ପର୍କରେ ସୁପ୍ରିମୋଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ ଦଳକୁ କିପରି ସୁଦୃଢ଼ କରାଯିବ, ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ଏହି ବୈଠକ ଚାଲିଥିବା ସମୟରେ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ଦୁଇଜଣ ପୂର୍ବତନ କର୍ପୋରେଟର ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଚୌଦ୍ୱାର ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କର୍ମସ୍ଥଳୀ, ତେଣୁ ଏଠାରେ ଦଳ ସବୁବେଳେ ଶକ୍ତିଶାଳୀ ସ୍ଥିତିରେ ଅଛି ଏବଂ ଆଗାମୀ ମ୍ୟୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନରେ ବିଜେଡି ଚମତ୍କାର ପ୍ରଦର୍ଶନ କରିବ ବୋଲି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

ଅନ୍ୟପଟେ, ନିକଟରେ ବିଜେପିରେ ମିଶିବା ପରେ ପ୍ରଭାତ ବିଶ୍ୱାଳଙ୍କ ଦେଇଥିବା ‘ନବୀନ ବାବୁ ସୁନାକୁ ଚିହ୍ନିପାରିଲେନି’ ବୟାନ ଉପରେ ବିଜେଡି ଶିବିର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଭାତଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ଦେଇ ପ୍ରଫୁଲ୍ଲ ସିଂହ କହିଛନ୍ତି ଯେ ନବୀନ ବାବୁ ପ୍ରଭାତ ବିଶ୍ୱାଳଙ୍କୁ ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କ ପୁଅଙ୍କୁ ମଧ୍ୟ ଦୁଇଥର ଟିକେଟ ମିଳିଥିଲା ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ନବୀନ ବାବୁ ବ୍ଲକ୍ ଅଧ୍ୟକ୍ଷା କରିଥିଲେ। ଏତେ ସବୁ ପାଇବା ପରେ ମଧ୍ୟ ତାଙ୍କ ପୁଅ ନିର୍ବାଚନରେ କ୍ରସ୍ ଭୋଟିଂ କରି ଦଳ ସହ ବିଶ୍ୱାସଘାତକତା କରିଛନ୍ତି।

 

ଜିଲ୍ଲା ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଭାତ ବିଶ୍ୱାଳଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ଚୌଦ୍ୱାରବାସୀ ତାଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି। ବିଜେଡିରେ ନବୀନ ପଟ୍ଟନାୟକ ହିଁ ସର୍ବେସର୍ବା, ସେ ଯାହାକୁ ଟିକେଟ ଦେବେ ସେହିଁ ନେତା ହେବ। ଚୌଦ୍ୱାରର ସମସ୍ତ କର୍ପୋରେଟର, କାଉନସିଲର ଏବଂ କର୍ମୀ ଏବେ ବି ସମ୍ପୂର୍ଣ୍ଣ ଭାବେ ନବୀନ ବାବୁଙ୍କ ସହ ଅଛନ୍ତି ଏବଂ କୌଣସି ନେତାଙ୍କ ଦଳ ବଦଳ ଦ୍ୱାରା ବିଜେଡି ସଙ୍ଗଠନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବୈଠକ ପରେ ଦଳୀୟ କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ ମଧ୍ୟ ଚୌଦ୍ୱାରରେ ଦଳ ଏକଜୁଟ୍ ଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.