Latest Odisha News

BREAKING NEWS

କୋଭିଡ ଲକ୍ଷଣ ଥିଲେ ରଥଯାତ୍ରା ଠାରୁ ଦୁରେଇ ରୁହନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ବର୍ତ୍ତମାନ ଦେଶ ସମେତ ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବ୍ୟାପୁଛି । ଏହି ସମୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ଏହି ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆଜି ରଥଯାତ୍ରା ସମନ୍ବୟ ବୈଠକ ଶେଷ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହା କହିଛନ୍ତି ।

ସେହିପରି, ରଥଯାତ୍ରା ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ୩୦୦ ଡାକ୍ତର ନିୟୋଜିତ ହେବେ । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ, ରଥଯାତ୍ରା, ବାହୁଡା ଓ ସୁନାବେଶ ପାଇଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ । ଭକ୍ତଙ୍କ ନିମନ୍ତେ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ହେବ ମାଗଣା ଅଟୋସେବା । ପୁରୀକୁ ୨୫୦ ଟି ବସ୍ ଚଳାଚଳ କରିବା ନେଇ ସ୍ୱତନ୍ତ୍ର ପରମିଟ ଦିଆଯିବ ସହ ରେଟ୍ ଚାର୍ଟ ଲଗାଯିବ । ଏନେଇ ରଥଯାତ୍ରା ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି ।

ରଥଯାତ୍ରା ପାଇଁ ଚଳିତ ବର୍ଷ ଏଆଇର ବ୍ୟବହାର କରାଯିବ । ଅପରାଧ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସିସିଟିଭି ଓ ଇଣ୍ଟି ଗ୍ରେଟେଡ଼ କଣ୍ଟ୍ରୋଲ ରୁମର ସହାୟତା ନିଆଯିବ । ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଲେ ପୁରୀ ଏସପି ବିନୀତ ଅଗ୍ରୱାଲ ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ଶେଷ ହେବ । ବିଭିନ୍ନ ବିଭାଗର ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ କାମ ସାରିଲେଣି । ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ କାମ ସରିଯିବ ବୋଲି ମୋର ବିଶ୍ବାସ । ରଥଯାତ୍ରା ଲାଗି ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

Comments are closed.