Latest Odisha News

ସରକାରଙ୍କ ଅଣଦେଖା ନୀତି ଭୋଟ୍ ବର୍ଜନ କରିବାର କାରଣ ସାଜିପାରେ

ରାୟଗଡା: ରାସ୍ତା ମରାମତି ପାଇଁ  ବାରମ୍ବାର କହିଲା ପରେ ନିରାଶ ହୋଇ ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ତୁଟିଯିବା ପରେ ବାଧ୍ୟ ହୋଇ ଶ୍ରମଦାନ କରି ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମ ବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଡ଼ିବୋଲ ପାଡ଼ୁ ଗ୍ରାମରେ ।  ଗ୍ରାମର ପୁରୁଷ ମହିଳା ସମସ୍ତେ ଏକତ୍ରିତ  ହୋଇ ଭଡ଼ା ରେ ଟ୍ରାକ୍ଟର ଆଣି ଶ୍ରମଦାନ କରି  ମାଟି ମୋହରମ୍ ପକାଇ ଦେଢ଼ କିଲୋମିଟର ରାସ୍ତା ମରାମତି କରିବା ସହିତ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ।

 

କଲ୍ୟାଣସିଂହପୁର ବ୍ଲକର  ଏହି ଡ଼ିବୋଲ ପାଡ଼ୁ  ଗ୍ରାମରେ ୭୦ ଆଦିବାସୀ ପରିବାର ବସବାସ କରୁଥିବାବେଳେ କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାକୁ ଯୋଗାଯୋଗ କରୁଥିବା ଏହା ଏକ ମାତ୍ର ସବୁଦିନିଆ ରାସ୍ତା । ଗ୍ରୀଷ୍ମ କିମ୍ବା ଶିତଋତୁରେ ଏହି ରାସ୍ତାରେ  ଯାତାୟାତ କରିବା କିଛି ମାତ୍ରାରେ ସମ୍ଭବପର  ହୋଇଥାଏ କିନ୍ତୁ ଟିକିଏ ବର୍ଷା ହୋଇଗଲେ ଗାଁକୁ ଚାରି ଚକିଆ ଗାଡିଟିଏ ଆସିବା ସମ୍ଭବପର  ହୋଇନଥାଏ । ଏପରିକି ବର୍ଷାଦିନେ ଗାଁରେ କେହି ଅସୁସ୍ଥ ହେଲେ ଦୁଇ କିଲୋମିଟର ଖଟିଆରେ ବୁହାହେବା ପରେ ଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚି ହୁଏ ଏବଂ  ସେଠାରୁ ଆମ୍ବୁଲାନ୍ସ ଯୋଗେ  କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥାଏ ।


ତେବେ ଏ ସମସ୍ୟାକୁ  ନେଇ ଦୀର୍ଘ ଦିନ ଧରି ସ୍ଥାନୀୟ  ସରପଞ୍ଚ ଓ ପ୍ରଶାସନକୁ ଗୁହାରୀ କରି ଆସୁଥିଲେ ମଧ୍ୟ କେହି ଶୁଣି ନାହାନ୍ତି ବୋଲି ଗ୍ରାମବାସୀ ରମେଶ ୱଡେକା ଅଭଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀମାନେ ମିଳିତ ଭାବେ ଏକ ଆଲୋଚନା କରିବା ପରେ କିଛି ଟଙ୍କା ଆଦାୟ  କରି ଏକ ଟ୍ରାକ୍ଟର ଭଡ଼ାରେ ଆଣି ମାଟି ମହୋରମ ପକାଇ ଦେଢ଼ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳର ବିକାଶ ପାଇଁ ଗାଁ’ ମାନଙ୍କରେ ପକ୍କା ରାସ୍ତା ନିର୍ମାଣ କରାଯିବା ସହିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କିମ୍ବା ବିଜୁ ଗାଁ ରାସ୍ତା ଯୋଜନା ମାଧ୍ୟମରେ ପିଚୁ ରାସ୍ତା ନିର୍ମାଣ କରିବାର ବ୍ୟବସ୍ଥା ରହିଛି । ହେଲେ ଡ଼ିବୋଲ ପାଡ଼ୁ ଗାଁ ଉପରେ ଏଯାଏଁ ସରକାରୀ ବାବୁମାନଙ୍କ ଦ୍ରୁଷ୍ଟି ପଡି ନାହିଁ । ଯଦି ଆସନ୍ତା ନିର୍ବାଚନ ପୂର୍ବରୁ ଏହି ରାସ୍ତା ମରାମତି ନହୁଏ, ତେବେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସେହି ଗାଁର କାମେସ ପ୍ରାସ୍କା।

Leave A Reply

Your email address will not be published.