କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବିୟୁଟି ମହାନ୍ତିଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି । ଶ୍ବାସରୁଦ୍ଧ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ।
ଡିସିପି ଆହୁରି କହିଛନ୍ତି ଯେ, ପରିବାର, ଥାନାରେ ଥିବା କର୍ମଚାରୀ ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ବିୟୁଟି ପୂର୍ବରୁ ପାହାଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିବା ବେଳେ ସେଠାରେ କାହା ସହ ତାଙ୍କର ବିବାଦ ଥିଲା କି ନାହିଁ ସେ ଦିଗରେ ପୋଲିସ ତଦନ୍ତ କରୁଛି ।
ଏହି ଘଟଣାରେ କଟକ କମିଶନରେଟ୍ ପୋଲିସ ବିୟୁଟିଙ୍କ ମୋବାଇଲ୍ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ।
ସୂଚନାଯୋଗ୍ୟ, ବିୟୁଟି ଥାନା କାର୍ଯ୍ୟାଳୟ ଉପରେ ଥିବା ଆଇଆଇସି ରେଷ୍ଟରୁମ୍ ରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ । ବାରମ୍ବାର କବାଟ ବାଡେଇବା ସତ୍ବେ ସେ ପ୍ରତିକ୍ରିୟା ଦେଇ ନ ପାରିବାରୁ ତାଙ୍କ ସହକର୍ମୀମାନେ ଚିନ୍ତିତ ହୋଇ ପଡ଼ିଥିଲେ । କଟକ ଆଡିସନାଲ୍ ଡିସିପି ଅମରେନ୍ଦ୍ର ପଣ୍ଡା, ଜୋନ୍-୫ ଏସିପି ସୁଧାଂଶୁ ଜେନାଙ୍କ ଉପସ୍ଥିତିରେ ଏହି ରୁମ୍ର କବାଟ ଭଙ୍ଗା ଯାଇଥିଲା । ତାଙ୍କୁ ତୁରନ୍ତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।