IIFA Awards 2026: ଆଇଫା ୨୦୨୬ରେ ‘ଧୁରନ୍ଧର’ର ଦବଦବା! ବାଜି ମାରିଲେ ରଣବୀର ସିଂ, ଅନୀତ ପଡ୍ଡାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
ମୁମ୍ବାଇ: ବଲିଉଡ୍ରେ ଏବେ ଗୋଟିଏ ଫିଲ୍ମର ଚର୍ଚ୍ଚା। ଆକ୍ସନ୍, ଡ୍ରାମା ଓ ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ମନ ଜିଣିଥିବା ଫିଲ୍ମ ‘ଧୁରନ୍ଧର’ ଏବେ IIFA ଆୱାର୍ଡସ୍ ୨୦୨୬ରେ ମଧ୍ୟ ନିଜ ଦବଦବା ଦେଖାଇଛି। ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀର ୨୬ତମ ସଂସ୍କରଣର ବିଜେତାଙ୍କ ନାଁ ଘୋଷଣା ହୋଇଛି। ଏଥିରେ ଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂ ପୁରସ୍କାର ଜିତିଥିବା ବେଳେ ‘ସୈୟାରା’ ଫିଲ୍ମ ପାଇଁ ଅନୀତ ପଡ୍ଡା ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ସେହିପରି ‘ଧୁରନ୍ଧର’ର ନିର୍ଦ୍ଦେଶକ ଆଦିତ୍ୟ ଧର ମଧ୍ୟ ଏକାଧିକ ବିଭାଗରେ ପୁରସ୍କାର ଜିତିଛନ୍ତି।
IIFA ଆୱାର୍ଡସ୍ର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ପେଜ୍ରେ ବିଜେତାଙ୍କ ନାଁ ପ୍ରକାଶ କରାଯାଇଛି। ଶ୍ରେଷ୍ଠ ଫିଲ୍ମ ଭାବେ ‘ଧୁରନ୍ଧର’କୁ ବାଛିଛନ୍ତି ଜୁରି। ଏହି ଫିଲ୍ମର ପ୍ରଯୋଜକ ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଓ ଲୋକେଶ ଧର ଏହି ସମ୍ମାନ ପାଇଛନ୍ତି। ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ଆଦିତ୍ୟ ଧରଙ୍କ ଖାତାକୁ ଯାଇଛି। କେବଳ ସେତିକି ନୁହେଁ, ଶ୍ରେଷ୍ଠ ମୌଳିକ କାହାଣୀ, ପଟ୍ଟକଥା ଓ ସଂଳାପ ପାଇଁ ମଧ୍ୟ ଆଦିତ୍ୟ ଧର ପୁରସ୍କୃତ ହୋଇଛନ୍ତି।
ଅଭିନୟ ବିଭାଗରେ ରଣବୀର ସିଂଙ୍କୁ ‘ଧୁରନ୍ଧର’ ପାଇଁ ଶ୍ରେଷ୍ଠ ଅଭିନେତାର ସମ୍ମାନ ମିଳିଛି। ସେହି ଫିଲ୍ମରେ ନକାରାତ୍ମକ ଚରିତ୍ରରେ ଦମଦାର ଅଭିନୟ ପାଇଁ ଅକ୍ଷୟ ଖାନ୍ନା ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ସହାୟକ ଅଭିନେତା ଭାବେ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ‘ଧୁରନ୍ଧର’ ପାଇଁ ପୁରସ୍କାର ମିଳିଛି। ଅନ୍ୟପଟେ ‘ଜଲି LLB 3’ ପାଇଁ ହୁମା କୁରେଶୀ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ହୋଇଛନ୍ତି।
‘ସୈୟାରା’ ମଧ୍ୟ ଏହି ପୁରସ୍କାର ଉତ୍ସବରେ ନିଜର ଛାପ ଛାଡ଼ିଛି। ଏହି ଫିଲ୍ମ ପାଇଁ ଅନୀତ ପଡ୍ଡା ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିବା ବେଳେ ଇରଶାଦ କାମିଲ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇଛନ୍ତି। ଫହିମ ଅବଦୁଲ୍ଲା ଶ୍ରେଷ୍ଠ ପୁରୁଷ ପାର୍ଶ୍ୱଗାୟକ ଏବଂ ଶ୍ରେୟା ଘୋଷାଲ ଶ୍ରେଷ୍ଠ ମହିଳା ପାର୍ଶ୍ୱଗାୟିକା ଭାବେ ସମ୍ମାନିତ ହୋଇଛନ୍ତି। ଏହା ସହ ରାଶା ଥଡାନୀ ‘ଆଜାଦ’ ପାଇଁ ଶ୍ରେଷ୍ଠ ମହିଳା ଡେବ୍ୟୁ ଏବଂ ଆହାନ ପାଣ୍ଡେ ‘ସୈୟାରା’ ପାଇଁ ଶ୍ରେଷ୍ଠ ପୁରୁଷ ଡେବ୍ୟୁ ପୁରସ୍କାର ହାତେଇଛନ୍ତି।
ଟେକ୍ନିକାଲ୍ ବିଭାଗରେ ମଧ୍ୟ ‘ଧୁରନ୍ଧର’ର ଦବଦବା ରହିଛି। ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ବିକାଶ ନୌଲଖା, ଶ୍ରେଷ୍ଠ ସମ୍ପାଦନା ପାଇଁ ଶିବକୁମାର ଭି. ପଣିକର ଏବଂ ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ ପାଇଁ ବିଶ୍ୱଦୀପ ଚାଟାର୍ଜୀ ପୁରସ୍କାର ପାଇଛନ୍ତି। ସେହିପରି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶାଶ୍ୱତ ସଚଦେବଙ୍କୁ ପୁରସ୍କୃତ କରାଯାଇଛି। ‘ଛାୱା’ ମଧ୍ୟ ଟେକ୍ନିକାଲ୍ ବିଭାଗରେ ଭଲ ପ୍ରଦର୍ଶନ କରିଛି। ଏହି ଫିଲ୍ମ ପାଇଁ ଆଲୋକ ଦେ ଶ୍ରେଷ୍ଠ ସାଉଣ୍ଡ ମିକ୍ସିଂ, ଏ.ଆର୍. ରହମାନ ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ସ୍କୋର ଏବଂ ଆସେମ୍ବଲେଜ୍ ଏଣ୍ଟରଟେନମେଣ୍ଟ ଓ ରିଡିଫାଇନ୍ ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ ପାଇଁ ପୁରସ୍କାର ଜିତିଛନ୍ତି। ‘ୱାର୍ ୨’ର ‘ଆୱାଁ ଜାୱାଁ’ ଗୀତର କୋରିଓଗ୍ରାଫି ପାଇଁ ବସ୍କୋ ଲେସଲି ମାର୍ଟିସ୍ ମଧ୍ୟ ପୁରସ୍କୃତ ହୋଇଛନ୍ତି।
ଅନ୍ତର୍ଜାତୀୟ ଫିଲ୍ମ ବିଭାଗରେ ‘ଅବତାର: ଫାୟାର ଆଣ୍ଡ ଆଶ୍’କୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ଭାବେ ଚୟନ କରାଯାଇଛି। ଏହି ପୁରସ୍କାର ୨୦ଥ୍ ସେଞ୍ଚୁରୀ ଷ୍ଟୁଡିଓଜ୍, ଜନ୍ ଲାଣ୍ଡାଉ ଓ ଜେମ୍ସ କାମେରନଙ୍କୁ ମିଳିଛି। ଅନ୍ୟପଟେ ‘ହୋମବାଉଣ୍ଡ’ ପାଇଁ ବଶାରତ ପୀର, ସୁମିତ ରୟ ଓ ନୀରଜ ଘେୱାନ ଶ୍ରେଷ୍ଠ ରୂପାନ୍ତରିତ କାହାଣୀ ପୁରସ୍କାର ପାଇଛନ୍ତି।
ଏଥର IIFAର ଡିଜିଟାଲ୍ ଫିଲ୍ମ ବିଭାଗରେ ‘ବାରାଓରିଜିନଲା’ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ମୌଳିକ କାହାଣୀ ପୁରସ୍କାର ଜିତିଛି। ‘ଷ୍ଟୋଲେନ୍’ ପାଇଁ କରଣ ତେଜପାଲ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅଭିଷେକ ବାନାର୍ଜୀ ଶ୍ରେଷ୍ଠ ପୁରୁଷ ମୁଖ୍ୟ ଅଭିନୟ ପୁରସ୍କାର ପାଇଛନ୍ତି। ‘ମିସେସ୍’ ପାଇଁ ସାନ୍ୟା ମଲହୋତ୍ରା ଶ୍ରେଷ୍ଠ ମହିଳା ମୁଖ୍ୟ ଅଭିନୟ, ‘ନିଶାଞ୍ଚି ୨’ ପାଇଁ ମୋନିକା ପାନୱାର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଏବଂ ‘ଦ ମେହତା ବୟଜ୍’ ପାଇଁ ଅବିନାଶ ତିୱାରୀ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ହାସଲ କରିଛନ୍ତି।
OTT ଓ ଡିଜିଟାଲ୍ ସିରିଜ୍ ବିଭାଗରେ ଆର୍ୟନ ଖାନଙ୍କ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ର ଦବଦବା ଦେଖିବାକୁ ମିଳିଛି। ଏହି ସିରିଜ୍ ଶ୍ରେଷ୍ଠ ସିରିଜ୍ ପୁରସ୍କାର ପାଇଥିବା ବେଳେ ଆର୍ୟନ ଖାନ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ମାନିତ ହୋଇଛନ୍ତି। ସେହି ସିରିଜ୍ ପାଇଁ ଅନ୍ୟା ସିଂ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ, ରାଘବ ଜୁୟାଲ ଶ୍ରେଷ୍ଠ ସହାୟକ ଅଭିନେତା ଏବଂ ଉଜ୍ଜ୍ୱଳ ଗୁପ୍ତା ଶ୍ରେଷ୍ଠ ଟାଇଟଲ୍ ଟ୍ରାକ୍ ପୁରସ୍କାର ଜିତିଛନ୍ତି । ‘ପାତାଳ ଲୋକ ୨’ ପାଇଁ ଜୟଦୀପ ଅହଲାୱତ ଶ୍ରେଷ୍ଠ ପୁରୁଷ ମୁଖ୍ୟ ଅଭିନୟ, ତିଲୋତ୍ତମା ଶୋମ୍ ଶ୍ରେଷ୍ଠ ମହିଳା ମୁଖ୍ୟ ଅଭିନୟ ଏବଂ ଏହି ସିରିଜ୍ର କାହାଣୀକୁ ଶ୍ରେଷ୍ଠ ମୌଳିକ କାହାଣୀ ଭାବେ ପୁରସ୍କୃତ କରାଯାଇଛି। ଡକ୍ୟୁସିରିଜ୍ ବିଭାଗରେ ‘ଦ ରୋଶନ୍’ ଶ୍ରେଷ୍ଠ ପୁରସ୍କାର ପାଇଥିବା ବେଳେ ରିଅଲିଟି ଓ ନନ୍-ସ୍କ୍ରିପ୍ଟେଡ୍ ବିଭାଗରେ ‘ଦ ଟ୍ରେଟର୍ସ’ ବାଜି ମାରିଛି।

