Latest Odisha News

BREAKING NEWS

US-Iran Peace Proposal: ଯୁଦ୍ଧ ଶେଷ ପାଇଁ ବଡ଼ ପ୍ରସ୍ତାବ! ୟୁରେନିୟମ୍ ଅନ୍ୟ ଦେଶକୁ ପଠାଇବ ଇରାନ, ୭ ଦିନରେ ଖୋଲିବ ହର୍ମୁଜ୍ ପ୍ରଣାଳୀ; ଟ୍ରମ୍ପ କହିଲେ…

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ୭ ମାସ ଧରି ଚାଲିଥିବା ସଂଘର୍ଷର ଅନ୍ତ ହେବ କି? ଯୁଦ୍ଧବିରତି ପାଇଁ ଏବେ କୂଟନୈତିକ ଉଦ୍ୟମ ଜୋରଦାର ହୋଇଛି। ଏହାରି ଭିତରେ ଏକ ବଡ଼ ପ୍ରସ୍ତାବ ସାମ୍ନାକୁ ଆସିଛି। ଇରାନ ନିଜ ପାଖରେ ଥିବା ଅତ୍ୟଧିକ ସମୃଦ୍ଧ ୟୁରେନିୟମ୍ ଭଣ୍ଡାରକୁ ଅନ୍ୟ ଦେଶକୁ ପଠାଇବା କିମ୍ବା ଏହାର ସମୃଦ୍ଧିକରଣ ସ୍ତର କମାଇବାକୁ ରାଜି ହୋଇପାରେ। ସେହିପରି ଆନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ହର୍ମୁଜ୍ ପ୍ରଣାଳୀକୁ ମଧ୍ୟ ପୁଣି ଖୋଲିବାର ପ୍ରସ୍ତାବ ରହିଛି।

ରିପୋର୍ଟ ଅନୁସାରେ, ଆମେରିକା-ଇରାନ ଆଲୋଚନା ପାଇଁ ପ୍ରସ୍ତୁତ ପ୍ରାରମ୍ଭିକ ରୂପରେଖାରେ ଏହି ପ୍ରସ୍ତାବ ରହିଛି। ପ୍ରାରମ୍ଭିକ ସହମତି ହେବାର ୭ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ଅନ୍ତର୍ଜାତୀୟ ଜାହାଜ ପାଇଁ ଖୋଲିବାକୁ କୁହାଯାଇଛି। ଏହି ଚୁକ୍ତିର କାର୍ଯ୍ୟକାରିତା ଓ ସ୍ଥିରତା ସୁନିଶ୍ଚିତ କରିବାରେ ଚୀନ୍ ଏକ ସମ୍ଭାବ୍ୟ ଗ୍ୟାରେଣ୍ଟର ଭାବେ ଭୂମିକା ନେଇପାରେ। ଏଥିପାଇଁ ଚୀନ୍‌ରେ ଏକ ବୈଠକ ଆୟୋଜନ କରିବାର ମଧ୍ୟ ପ୍ରସ୍ତାବ ରହିଛି। ଏଥର ଇସ୍ତାନବୁଲ ବଦଳରେ କତାରର ଦୋହାରେ ଆମେରିକା ଓ ଇରାନ ମଧ୍ୟରେ ସିଧାସଳଖ ଆଲୋଚନା ହେବାର ଯୋଜନା ରହିଛି। ପ୍ରସ୍ତାବ ଅନୁସାରେ, ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଓ ସାମୁଦ୍ରିକ ସୁରକ୍ଷାକୁ ନେଇ କିଛି ପ୍ରତିଶ୍ରୁତି ପାଳନ କରିବ। ଏହାର ପ୍ରତିବଦଳରେ ଆମେରିକା ଇରାନ ଉପରେ ଲାଗିଥିବା ଆର୍ଥିକ କଟକଣା, ନାକାବନ୍ଦୀ ଓ ଅନ୍ୟ ପ୍ରତିବନ୍ଧକକୁ କୋହଳ କରିପାରେ। ଚୁକ୍ତିର ପ୍ରତ୍ୟେକ ପର୍ଯ୍ୟାୟରେ ଉଭୟ ପକ୍ଷର ପ୍ରତିଶ୍ରୁତି ପାଳନ ହୋଇଛି କି ନାହିଁ, ତାହା ଯାଞ୍ଚ କରିବାକୁ ଏକ ସ୍ୱାଧୀନ ବ୍ୟବସ୍ଥା ରଖିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ୍, ଗୋଟିଏ ପକ୍ଷର ପ୍ରତିଶ୍ରୁତି ଯାଞ୍ଚ ନହେବା ଯାଏଁ ଅନ୍ୟ ପକ୍ଷ ବଡ଼ ରିହାତି ଦେବ ନାହିଁ।

ଇରାନର ସରକାରୀ ସମ୍ବାଦ ସଂସ୍ଥା IRNA ଅନୁସାରେ, ଶୁକ୍ରବାର ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ପୁଣି ଲାଗୁ କରିବା ପାଇଁ କୂଟନୈତିକ ଉଦ୍ୟମ ତୀବ୍ର ହୋଇଛି। ଏହି ଉଦ୍ୟମର ଅଂଶ ଭାବେ କତାରର ଏକ ପ୍ରତିନିଧିମଣ୍ଡଳ ଇରାନର ରାଜଧାନୀ ତେହେରାନରେ ପହଞ୍ଚିଛି। କତାର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଏହି ଦଳର ନେତୃତ୍ୱ ନେଇଛନ୍ତି। ଆମେରିକା ସହ ମିଶି ଏହି ପ୍ରତିନିଧିମଣ୍ଡଳ ଆଲୋଚନାକୁ ଆଗକୁ ବଢ଼ାଉଛି। ଖବର ଅନୁସାରେ, କତାରର ଦୂତମାନେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଏକ ଚିଠି ଇରାନର ସୁରକ୍ଷା ଅଧିକାରୀ ମୋହସେନ ରେଜାଇଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଚିଠିରେ ଆମେରିକାର ସାମରିକ ଆକ୍ରମଣ ବନ୍ଦ କରିବା ପାଇଁ ଏକ ନୂଆ କୂଟନୈତିକ ରାସ୍ତାର ପ୍ରସ୍ତାବ ଥିବା କୁହାଯାଉଛି। ତେହେରାନ ମଧ୍ୟ ଏହି ଚିଠିକୁ ସ୍ୱାଗତ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହ ସଂଘର୍ଷ ଶେଷ କରିବାକୁ ଆମେରିକାର କୌଣସି ତରବର ନାହିଁ। ହ୍ୱାଇଟ୍ ହାଉସ୍‌ର ଓଭାଲ୍ ଅଫିସ୍‌ରେ ସାମ୍ବାଦିକଙ୍କ ସହ କଥା ହୋଇ ସେ କହିଛନ୍ତି, ଇରାନ ଆଲୋଚନା କରିବାକୁ ଆଗ୍ରହୀ ଏବଂ ଲଗାତାର ଯୋଗାଯୋଗରେ ରହିଛି। ଟ୍ରମ୍ପଙ୍କ ଦାବି ଅନୁସାରେ, ଇରାନ ଏବେ ଗୁରୁତର ଆର୍ଥିକ ସମସ୍ୟାରେ ପଡ଼ିଛି। ଏପରିକି ନିଜ ସୈନିକ ଓ ପୋଲିସ କର୍ମଚାରୀଙ୍କୁ ଦରମା ଦେବାରେ ମଧ୍ୟ ଅସୁବିଧା ହେଉଛି। ଏହି ସଂଘର୍ଷକୁ ସେ କୌଣସି ସାଧାରଣ ଯୁଦ୍ଧ ନୁହେଁ ବୋଲି କହିବା ସହ ଆମେରିକା ପାଖରେ ପର୍ଯ୍ୟାପ୍ତ ସମୟ ରହିଛି ବୋଲି କହିଛନ୍ତି। ଯୁଦ୍ଧ ପାଇଁ ଆମେରିକାର ଆର୍ଥିକ ଖର୍ଚ୍ଚ ମଧ୍ୟ ତାଙ୍କ ମତରେ ଯଥେଷ୍ଟ କମ୍ ରହିଛି ଏବଂ ଅନ୍ୟ କ୍ଷେତ୍ରରୁ ମିଳିଥିବା ଲାଭ ଏହି ଖର୍ଚ୍ଚକୁ ଭରଣା କରିଦେଇଛି।

ଏହି ସମୟରେ ତୁର୍କୀ ମଧ୍ୟ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କମାଇବାକୁ ଉଦ୍ୟମ କରୁଛି। ଶୁକ୍ରବାର ଆମେରିକାରେ ଆୟୋଜିତ G20 ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ଏହି ବୈଠକରେ ଆମେରିକା-ଇରାନ ଆଲୋଚନା, ଆଞ୍ଚଳିକ ପରିସ୍ଥିତି ଓ ଦୁଇ ଦେଶର ସମ୍ପର୍କ ଉପରେ ଚର୍ଚ୍ଚା ହୋଇଛି। ଏହା ପୂର୍ବରୁ ତୁର୍କୀର ରାଷ୍ଟ୍ରପତି ରଜବ ତୟବ ଏର୍ଦୋଗାନ ଟ୍ରମ୍ପଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସେହି ଆଲୋଚନାରେ ସାମୁଦ୍ରିକ ରାସ୍ତାର ସୁରକ୍ଷାକୁ ନେଇ ତୁର୍କୀ ନିଜ ଚିନ୍ତା ପ୍ରକାଶ କରିବା ସହ ଅଞ୍ଚଳରେ ଉତ୍ତେଜନା କମାଇବା ପାଇଁ କୂଟନୈତିକ ପ୍ରୟାସକୁ ସମର୍ଥନ କରିଥିଲା।

ତେବେ ଏସବୁ ଉଦ୍ୟମ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ହେବ କି ନାହିଁ, ତାହା ଏବେ ଆଲୋଚନାର ଫଳାଫଳ ଉପରେ ନିର୍ଭର କରୁଛି।

Leave A Reply

Your email address will not be published.