Latest Odisha News

BREAKING NEWS

ଆଇଆଇଏମ୍‍ସିରେ ‘ଉନ୍ନୟନ ଅର୍ଥନୀତି’ ଉପରେ ସ୍ୱତନ୍ତ୍ର ବକ୍ତୃତା“

ଢେଙ୍କାନାଳ: ଗୋଟିଏ ସମୃଦ୍ଧଶାଳୀ ଦେଶ ଗଠନ କରିବାକୁ ହେଲେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମିଳିବା ଦରକାର । ଏଥିରେ ଉନ୍ନୟନ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ପ୍ରଫେସର ଏସ୍‍.ଏନ୍‍. ମିଶ୍ର।   ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଅନୁଷ୍ଠିତ ସ୍ୱତନ୍ତ୍ର ବକ୍ତୃତାରେ ଯୋଗଦେଇ କିଟ୍‍ ସ୍କୁଲ୍‍ ଅଫ୍‍ ମ୍ୟାନେଜମେଣ୍ଟର ପ୍ରଫେସର ମିଶ୍ର ‘ଉନ୍ନୟନ ଅର୍ଥନୀତି’ ଉପରେ ଆଲୋଚନା କରିଛନ୍ତି ।

ସେ କହିଛନ୍ତି, ଦେଶ ଗଠନରେ ଜନମଙ୍ଗଳ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‍ ଜନମଙ୍ଗଳ ଅର୍ଥନୀତି ପାଇଁ ୧୯୯୮ରେ ନୋବେଲ୍‍ ପୁରସ୍କାର ପାଇଥିଲେ । ତେବେ ଦେଶର ବିକାଶ ପାଇଁ ଅର୍ଥନୀତିର ତିନୋଟି ମୁଖ୍ୟ ଶାଖା ବିକାଶ, ଅଭିବୃଦ୍ଧି ଓ ପରିଚାଳନାକୁ ଗୁରୁତ୍ୱ ଦେବା ଉଚିତ । ଦେଶର ଉନ୍ନତି ପାଇଁ ଗରିବଙ୍କୁ ବେଶୀ ଧ୍ୟାନ ଦେବା ଦରକାର । କେବଳ ମାଗଣା ସେବା ଯୋଗାଇ ଦେଇ ସବୁ ସମସ୍ୟାର ସମାଧାନ ହୋଇଗଲା ବୋଲି ଭାବିବା ଭୁଲ ।

ସହାନୁଭୂତିର ସହ ସେବା ଯୋଗାଇଲେ ଏହା ବେଶୀ ପ୍ରଭାବ ପକାଇବ । ଭାରତରେ ଶିକ୍ଷାର ଗୁଣାତ୍ମକ ମାନ ବହୁତ ଖରାପ ରହିଛି । ତେଣୁ ଗୁଣାତ୍ମକ ଶିକ୍ଷା ଉପରେ ବେଶୀ ଧ୍ୟାନ ଦେବାକୁ ହେବ । ସେହିପରି ଯେଉଁସବୁ ଯୋଜନା କରାଯାଉଛି, ତାହା ଗରିବ ଲୋକଙ୍କ ସୁବିଧାକୁ ଦେଖି କରିବା ଉଚିତ । ତେବେ ସର୍ବେକ୍ଷଣ କରିବା ବେଳେ ମିଛ ତଥ୍ୟ ଯେପରି ନ ରହେ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ସର୍ବେକ୍ଷଣ ପାଇଁ ଅନେକ ବାଟ ରହିଛି । ପ୍ରଥମେ ଉପଯୁକ୍ତ ପ୍ରଶ୍ନପତ୍ର ତିଆରି କରି ଏସବୁକୁ ତର୍ଜମା କରିବା ଦରକାର ବୋଲି ସେ କହିଛନ୍ତି ।

ପ୍ରଫେସର ମିଶ୍ର ଆହୁରି କହିଛନ୍ତି, ସବୁ ଡଙ୍ଗାର ଗଠନ ଶୈଳୀ ସମାନ ନୁହେଁ । ବେଶୀ ଚାପ ପଡ଼ିଲେ ଡଙ୍ଗା ମଧ୍ୟ ଭାଙ୍ଗିବାର ଆଶଙ୍କା ରହିଛି । ତେଣୁ ସରକାର ଦରିଦ୍ର ଲୋକଙ୍କୁ ଆଖି ଆଗରେ ରଖି ସବୁବେଳେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଛନ୍ତି ।   ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଫେସର ମିଶ୍ର । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.