ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ତତପରତା ଦେଖାଇଛନ୍ତି ସରକାର । ଏଥିପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ସରକାର । ଏହିକ୍ରମରେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ଟିମ୍ ବୁଧବର ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହ ଆଲୋଚନା କରିଥିଲେ । ଏହି ପରିପେକ୍ଷିରେ ଆଜି ଟିମ୍ ବ୍ରହ୍ମପୁରରେ ପହଞ୍ଚି ଏସପି ଶ୍ରବଣା ବିବେକଙ୍କ ସହ ଆଇଆଇଟି ମାଡ୍ରାସ ପ୍ରଫେସର ଭେଙ୍କଟେଶ ବାଲ ସୁବ୍ରମନିୟନ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ରାଜ୍ୟରେ ଯେଉଁ କେତେକ ଜିଲ୍ଲାରେ ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଉଛି ସେଥିରୁ ଗଞ୍ଜାମ ଅନ୍ୟତମ । ଗଞ୍ଜାମରେ ସଡ଼କ ଦୁର୍ଘଟଣାର କାରଣ କ’ଣ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।
ବିଶେଷକରି ଦ୍ରୁତଗତି, ମଦ୍ୟପାନ କରି ଗାଡି ଚାଳନାରୁ କିଭଳି ଜନସାଧାରଣ ନିବୃତ୍ତ ରହିବେ, ସେନେଇ ରଣନୀତି ପ୍ରସ୍ତୁତ ହେବ । ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ପାଳନ ମାନସିକତାକୁ ବୃଦ୍ଧି କରିବାକୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ । ବ୍ରହ୍ମପୁରର ଯେଉଁ ଯେଉଁ ରାସ୍ତାରେ ଅଧିକ ଦୁର୍ଘଟଣା ଘଟୁଛି ବା ବ୍ଲାକସ୍ପଟ୍ ଅଞ୍ଚଳକୁ ଟିମ ପରିଦର୍ଶନ କରିଥିଲା ।
ସେଠାରେ ରୋଡ ଇଞ୍ଜିନିୟରିଂରେ ଥିବା ତ୍ରୁଟିକୁ ମଧ୍ୟ ଚିହ୍ନଟ କରାଯାଇ ସଂପୃକ୍ତ ବିଭାଗକୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଛି । ସେଭଳି ସ୍ଥାନରେ ଦୁର୍ଘଟଣା ରୋକିବାକୁ ସଚେତନତାକୁ ବ୍ୟାପକ କରାଯିବ । ଜନସାଧାରଣଙ୍କୁ କିଭଳି ସଡ଼କ ସୁରକ୍ଷାରେ ଅଧିକ ଭାଗୀଦାର କରାଯିବ ଏବଂ ସେଥିପାଇଁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରିପାରିବ ସେନେଇ ଆଲୋଚନା ହୋଇଥିଲା। ବିଶେଷ କରି ଯେଉଁ ସମୟରେ ଅଧିକ ଦୁର୍ଘଟଣା ଘଟୁଛି ସେହି ସମୟରେ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯିବାର ନିଷ୍ପତ୍ତି ହୋଇଛି ।
Comments are closed.