Latest Odisha News

୪୦୦ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରି ମୁଁ ଥକିପଡିଲିଣି !

ଆସାମ: ଶେଷକୃତ୍ୟ ସମ୍ପନ୍ନ କରିବା ସହଜ କଥା ନୁହେଁ । ହେଲେ ଯଦି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କଥା ଉଠେ, ସେଠି କଣ କରିବେ ଆପଣ? ଏହି ମାମଲାରେ କିନ୍ତୁ ପଛଘୁଂଚା ଦେଇନଥିଲେ ୪୩ ବର୍ଷୀୟ ରାମାନନ୍ଦ ସରକାର । ବିନା ଦ୍ୱିଧାରେ ସେ ୪୦୦ରୁ ଅଧିକ କରୋନା ସଂକ୍ରମିତଙ୍କ ଶେଷକୃତ୍ୟୁ ସମ୍ପନ୍ନ କରିସାରିଲେଣି ।

ଆସାମ ଗୌହାଟିର ରାମାନନ୍ଦ ବିଗତ ୫ମାସ ଧରି କରୋନା ସଂକ୍ରମିତଙ୍କ ଶେଷକୃତ୍ୟୁ ସମ୍ପନ୍ନ କରିଆସୁଛନ୍ତି । ଏପ୍ରିଲରୁ ଏହି ମହତ ତଥା ସାହାସିକ କାମରେ ଲିପ୍ତ ଥିବା ରାମାନନ୍ଦ ମଙ୍ଗଳବାର ସୁଦ୍ଧା ୪୦୦ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । କେତେବେଳେ ଦିନକୁ ଗୋଟିଏ କି ଦିଟା ତ କେତେବେଳେ ତାଙ୍କ ନିକଟକୁ ୧୧ରୁ ୧୨ଟି ମୃତଦେହ ଆସୁଛି ।

ଉଲୁବାରି ମଶାଣୀରେ କାମ କରୁଥିବା ରାମାନନ୍ଦ ଦିନ ୩ଟାରୁ କାମ ଆରମ୍ଭ କରି ରାତି ୩ଟାରେ ଶେଷ କରିଥାନ୍ତି । ଏଥିପାଇଁ ତାଙ୍କୁ ସହାୟତା କରିଥାନ୍ତି ଦୁଇଜଣ ସହକାରୀ କର୍ମଚାରୀ । ଦିନକୁ ଦିନ ମୃତଦେହର ସଂଖ୍ୟା ବଢୁଥିବାବେଳେ ସେ ହାଲିଆ ହୋଇପଡିଲେଣି । ପ୍ରଥମେ ସେ କରୋନା ରୋଗୀଙ୍କୁ ଭୟ କରୁଥିଲେ । ହେଲେ ଏବେ ତାଙ୍କ ମନରେ କୌଣସି ଭୟ ନାହିଁ ।

ମୋରିଗାଓଁ ଜିଲ୍ଲାର ରାମାନନ୍ଦ ଦୁଇବର୍ଷ ପୂର୍ବେ ଗୌହାଟି ଆସିଥିଲେ । ପ୍ରଥମେ ଭୂତନାଥ ମଶାଣୀ ଓ ପରେ ଉୁଲୁବାରି ମଶାଣୀକୁ ତାଙ୍କର ବଦଳି ହୋଇଥିଲା । ସରକାରୀ ଖର୍ଚ୍ଚରେ ସେ ଏବେ ହୋଟେଲରେ ରହୁଛନ୍ତି । ବାରମ୍ବାର କୋଭିଡ ଟେଷ୍ଟ ହୋଇଥିଲେ ହେଁ ତାଙ୍କର ରିପୋର୍ଟ କେବେ ବି ପଜିଟିଭ ବାହାରିନି ।

କରୋନାରେ ଖୋଦ ନିଜ ଭିଣୋଇକୁ ହରାଇଥିବା ରାମାନନ୍ଦ, ଦିନେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ୧୭ ନମ୍ବର କ୍ରମାଙ୍କରେ ଥିଲେ । ସେବେଠୁ ଯେପରି କାହାକୁ ଏପରି ସ୍ଥିତିର ସାମ୍ନା କରିବାକୁ ନ ପଡେ, ସେଥିପାଇଁ ସେ ଅନବରତ ଭାବେ ଖଟିଚାଲିଛନ୍ତି ।

Leave A Reply

Your email address will not be published.