ଚେନ୍ନାଇ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫେଙ୍ଗଲ୍’ । ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ କରିବ ଲ୍ୟାଣ୍ଡଫଲ୍ l କରାଇକାଲ୍ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ନେଇ ସମ୍ଭାବନା ରହିଛି l ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁରେ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଆଗାମୀ ୨ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଘଣ୍ଟାପ୍ରତି ୭କିମି ବେଗରେ ଉପକୂଳମୁହାଁ ହେଉଛି ‘ଫେଙ୍ଗଲ’ । ବର୍ତ୍ତମାନ ଚେନ୍ନାଇଠାରୁ ୧୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି ବାତ୍ୟା । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୭୦ରୁ ୮୦ କିମି ବେଗରେ ପବନ ବହିବ l ଝଟକା ପବନ ୯୦କିମି ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀକୁ ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି ହୋଇଛି । ସେପଟେ ବାତ୍ୟା ପାଇଁ ତାମିଲନାଡ଼ୁ ଏବଂ ପୁଡୁଚେରୀରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଏଥିସହ ଚେନ୍ନାଇରେ ବିମାନ ଉଡ଼ାଣ ମଧ୍ୟ ବନ୍ଦ କରାଯାଇଛି l ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ ବିମାନ ଉଡ଼ାଣ l ସେପଟେ ପ୍ରବଳ ବର୍ଷା ଜାରି ରହିଥିବାରୁ ବହୁତ ଅଞ୍ଚଳରେ ପାଣି ପଶିଯାଇଛି l
ତେବେ ବାତ୍ୟା ‘ଫେଙ୍ଗଲ’ ଅତି ଭୀଷଣ ରୂପ ଧାରଣ କରିବ ନାହିଁ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅନ୍ୟପଟେ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ବାତ୍ୟା ମୁକାବିଲା ନେଇ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଥିବା ବେଳେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨,୨୨୯ ରିଲିଫ୍ କ୍ୟାମ୍ପରେ ଟିମ୍ ପ୍ରସ୍ତୁତ ରହିଛି । ତିରୁଭାରୁର୍ ଏବଂ ନାଗାପାଟ୍ଟିମ୍ ଜିଲ୍ଲାର ୪୭୧ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସମୁଦ୍ରରୁ ୪,୧୦୦ ବୋଟ୍ ଉପକୂଳକୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.