ନୂଆଦିଲ୍ଲୀ: ଯେମିତି ତଳକୁ ଖସିବ, ସେମିତି ଉପରକୁ ଉଠିବ । ୨୦୨୦-୨୧ରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୧୦.୩ ପ୍ରତିଶତ ତଳକୁ ଖସିବ । କିନ୍ତୁ ୨୦୨୧ରେ ବାଉନ୍ସ ବ୍ୟାକ୍ କରିବ ଦେଶର ଅର୍ଥନୀତି । ଦେଶର ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଭଳି ଆକଳନ କରିବ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ୍ ।
ଓ୍ୱାର୍ଲଡ ଇକୋନୋମିକ୍ ଆଉଟ୍ଲୁକ୍ ରିପୋର୍ଟରେ ଆଇଏମଏଫ କହିଛି, ୨୦୨୧ରେ ଭାରତର ଅଭିବୃଦ୍ଧି ୮.୮ ପ୍ରତିଶତ ଆକଳନ କରାଯାଇଛି । ସେତେବେଳେ ଚୀନ୍ର ଜିଡିପିକୁ ବି ଟପିଯିବ ଭାରତ । ୨୦୨୧ରେ ଚୀନ୍ର ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଆକଳନ କରାଯାଇଛି ।
ସାରା ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି କରୋନା ମହାମାରୀ । ବିଶ୍ୱରେ ଜିଡିପି ଅଭିବୃଦ୍ଧି ଚଳିତ ବର୍ଷ ୪.୪ ପ୍ରତିଶତ ହ୍ରାସ ଘଟିବ । ତେବେ ୨୦୨୧ରେ ଏହା ୫.୨ ପ୍ରତିଶତ ରହିବ ବୋଲି ଆଇଏମଏଫ ଆକଳନ କରିଛି ।
ସେହିଭଳି ୨୦୨୦ରେ ଆମେରିକାର ଜିଡିପି ୫.୮ ପ୍ରତିଶତ ତଳକୁ ଖସିବ ଓ ୨୦୨୧ରେ ୩.୯ ପ୍ରତିଶତ ରହିବ । ଚୀନ୍ କେବଳ ଏକମାତ୍ର ରାଷ୍ଟ୍ର ଯାହାର ଅଭିବୃଦ୍ଧି ହାର ଚଳିତ ବର୍ଷ ଶୂନ ତଳକୁ ଖସିବ ନାହିଁ ।
Comments are closed.