Latest Odisha News

BREAKING NEWS

ବିଶ୍ୱରେ ପ୍ରଥମ! କାମଚାପ ସହିନପାରି ରବୋର୍ଟ କଲା ଆତ୍ମହତ୍ୟା

ସିଓଲ: ମଣିଷ କାମ କରି ଥକି ଗଲାପରେ ପୁଣିଥରେ ସତେଜ ହୋଇ କାମ କରିବାରୁ ସର୍ବନିମ୍ନ ଆଠ ଘଣ୍ଟାର ବିରତି ଆବଶ୍ୟକ। କାମର ଭିଡ ଭିତରେ ଏହି ବ୍ୟବଧାନକୁ କମାଇବା ପାଇଁ ମେସିନ ବା ଆଜିର ଯୁଗର ରବୋର୍ଟ ଉପରେ ସାରା ବିଶ୍ୱ କାମ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଦକ୍ଷିଣ କୋରିଆରୁ ରବୋର୍ଟକୁ ନେଇ ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ହତବାକ କରିଛି। କାରଣ ସେଠିକାର ରିପୋର୍ଟ ଅନୁଯାୟୀ କାମଚାପ ସହିନପାରି ରବୋର୍ଟ ଆତ୍ମହତ୍ୟା କରିଛି।

ଦକ୍ଷିଣ କୋରିଆର ଗୁମି ସିଟି କାଉନସିଲ ଦ୍ୱାରା ନିୟୋଜିତ ଏକ ରବୋର୍ଟ ସିଡ଼ିରୁ ଖସି ପଡ଼ିବା ପରେ ଅସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଛି। ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ଗତ ଗୁରୁବାର ଅପରାହ୍ନ ପ୍ରାୟ ୪ଟା ରେ ଘଟିଥିବା ଏହି ଘଟଣା ସ୍ଥାନୀୟ ସମୁଦାୟକୁ ଦେଶର ପ୍ରଥମ ରବୋର୍ଟର ଆତ୍ମହତ୍ୟା ବୋଲି କୁହାଯାଉଛି।

ସିଟି କାଉନସିଲର ସୂଚନା ଅନୁଯାୟୀ, କାଉନସିଲ ବିଲ୍ଡିଂର ପ୍ରଥମ ଓ ଦ୍ୱିତୀୟ ମହଲା ମଝିରେ ଥିବା ସିଡିରେ ‘ରବୋର୍ଟ ସୁପରଭାଇଜର’ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣା ଘଟିବା ପୂର୍ବରୁ ରବୋର୍ଟଟି ଗୋଟିଏ ସ୍ଥାନରେ ବୁଲୁଥିବାର ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି। ଏପରି ହେବାର ପ୍ରକୃତ କାରଣ ଜଣାପଡିନି। ଏହାର ତଦନ୍ତ ଜାରି ରହିଛି । ସିଟି କାଉନସିଲ ଅଧିକାରୀ କହିଛନ୍ତି ଯେ ରବୋର୍ଟରେ ଲାଗିଥିବା ଖଣ୍ଡଗୁଡିକ ସଂଗ୍ରହ କରାଯାଇଛି ଏବଂ କମ୍ପାନୀ ଦ୍ୱାରା ଏହାର ବିଶ୍ଳେଷଣ କରାଯିବ।

ସିଟି ହଲ କର୍ମଚାରୀଙ୍କ ଏକ ଅଂଶ ଥିବା ଏହି ରବୋର୍ଟ ସ୍ଥାନୀୟ ବାସିନ୍ଦାଙ୍କୁ ସୂଚନା ଯୋଗାଇବାରେ ସହଯୋଗ କରୁଥିଲା। ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଏହା ଆନୁଷ୍ଠାନିକ ଭାବେ ସିଟି ହଲର ଏକ ଅଂଶ ଥିଲା। ଆମ ମଧ୍ୟରୁ ଜଣେ। ଏହି ରବୋର୍ଟ ନିଷ୍ଠାର ସହ କାମ କରୁଥିଲା। ରୋବୋର୍ଟର ଆତ୍ମହତ୍ୟା ଖବର ସ୍ଥାନୀୟ ଗଣମାଧ୍ୟମ ଏବଂ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲୋକମାନେ କାର୍ଯ୍ୟଭାର ଚାପ ଏବଂ ଘଟଣା ପଛର କାରଣ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅଗଷ୍ଟ ୨୦୨୩ରେ ନିଯୁକ୍ତ ହୋଇଥିବା ଏହି ରବୋର୍ଟ ସହରରେ ପ୍ରଥମେ ବ୍ୟବହୃତ ହୋଇଥିଲା। କାଲିଫର୍ଣ୍ଣିଆର ରବୋର୍ଟ-ୱେଟର ଷ୍ଟାର୍ଟଅପ୍ ବେୟାର ରବୋଟିକ୍ସ ଦ୍ୱାରା ବିକଶିତ ଏହି ରବୋର୍ଟ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରିଥିଲା । ଏହାର ନିଜସ୍ୱ ସିଭିଲ ସର୍ଭିସ୍ ଅଫିସର କାର୍ଡ ଥିଲା। ସାଧାରଣତଃ ଗୋଟିଏ ମହଲାରେ ସୀମିତ ଥିବା ଅନ୍ୟ ରବୋର୍ଟ ଠାରୁ ଏହା ଭିନ୍ନ, ଗୁମି ସିଟି କାଉନସିଲ୍ ରବୋର୍ଟରେ ଲିଫ୍ଟ ଡାକିବା ଏବଂ ସ୍ୱାଧୀନ ଭାବରେ ଫ୍ଲୋର୍ ମଧ୍ୟରେ ଚାଲିବାର କ୍ଷମତା ଥିଲା।

ଉଲ୍ଲେଖଯୋଗ୍ୟ, ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ରୋବୋଟିକ୍ସ ଅନୁଯାୟୀ, ଦକ୍ଷିଣ କୋରିଆ ବିଶ୍ୱର ସର୍ବାଧିକ ରବୋର୍ଟ ବ୍ୟବହାର କରୁଥିବା ଦେଶ। ପ୍ରତି ୧୦ ଜଣ କର୍ମଚାରୀଙ୍କ ପାଇଁ ଗୋଟିଏ ଶିଳ୍ପ ରବୋର୍ଟ ରହିଛି।

Leave A Reply

Your email address will not be published.