Latest Odisha News

BREAKING NEWS

କେନ୍ଦ୍ରର ଟିକା ପ୍ଲାନ: ଅଗଷ୍ଟରୁ ଡିସେମ୍ବରରେ ମିଳିବ ୧୩୫ କୋଟି ଡୋଜ୍, ମେ’ ଆକଳନ ଅପେକ୍ଷା ୮୧ କୋଟି କମ୍

ନୂଆଦିଲ୍ଲୀ: ଦେଶରେ ଅଗଷ୍ଟରୁ ଡିସେମ୍ବର ଭିତରେ ୧୩୫ କୋଟି ଡୋଜ୍ ଟିକା ଉପଲବ୍ଧ ହେବ । ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ଏଥିରେ କୋଭିସିଲ୍ଡର ୫୦ କୋଟି, କୋଭାକ୍ସିନର ୪୦ କୋଟି, ବାୟୋ ଇ ସବ୍ ୟୁନିଟ୍ ଭ୍ୟାକସିନର ୩୦କୋଟି, ଯାଇଡସ୍ କାଡିଲା ଡିଏନଏ ଟିକାର ୫କୋଟି, ସ୍ଫୁଟନିକ୍-ଭିର ୧୦ କୋଟି ଡୋଜ୍ ଟିକା ସାମିଲ ଅଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମେ ମାସରେ ଯେତେବେଳେ ଟିକା ସମସ୍ୟା ସାମନାକୁ ଆସିଥିଲା ସେତେବେଳେ କେନ୍ଦ୍ର ସରକାର କହିଥିଲେ ଡିସେମ୍ବର ସୁଦ୍ଧା ଦେଶରେ ୨୧୬ କୋଟି ଡୋଜରୁ ଅଧିକ ଟିକା ଉପଲବ୍ଧ ହେବ । ଏବେ ସୁପ୍ରିମକୋର୍ଟରେ ସତ୍ୟପାଠରେ ୧୩୫ କୋଟି ଡୋଜ୍ କଥା କହିଛନ୍ତି । ଅର୍ଥାତ୍ ୮୧ କୋଟି ଡୋଜ୍ କମ୍ ।

ମେ ମାସରେ କେନ୍ଦ୍ର ସରକାର ଅଗଷ୍ଟରୁ ଡିସେମ୍ବର ଭିତରେ ୮ କମ୍ପାନୀର ୨୧୬ କୋଟିରୁ ଅଧିକ ଡୋଜ୍ ଟିକା ଉପଲବ୍ଧ ହେବ ବୋଲି ଆଶା ଦେଖାଇଥିଲେ । ଏବେ କିନ୍ତୁ ୫ଟି କମ୍ପାନୀର ଟିକା ବାବାଦରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।

କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି, ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କ ସଂଖ୍ୟା ଦେଶରେ ୯୩ରୁ ୯୪ କୋଟି । ସେମାନଙ୍କୁ ଟିକାକରଣ ପାଇଁ ୧୮୬ରୁ ୧୮୮ କୋଟି ଡୋଜ୍ ଆବଶ୍ୟକ । ଏଥିରୁ ୫୧କୋଟି ୬୦ ଲକ୍ଷ ଡୋଜ୍ ଟିକା ଜୁଲାଇ ମାସ ସୁଦ୍ଧା ରାଜ୍ୟଗୁଡ଼ିକୁ ଦିଆଯିବ । ଏହାପରେ ସମସ୍ତଙ୍କୁ ଟିକାକରଣ କରିବାକୁ ୧୩୫ କୋଟି ଡୋଜ୍ ଟିକା ଆବଶ୍ୟକ ହେବ ।

Comments are closed.