Latest Odisha News

BREAKING NEWS

୪୦ ବର୍ଷରେ ପାଦ ଦେଲେ ଶ୍ରେୟା, ଆମେରିକାରେ କାହିଁକି ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ’?

ମୁମ୍ବାଇ: ଆଜି ହେଉଛି ପ୍ରସିଦ୍ଧ ହିନ୍ଦୀ ସିନେମା ଗାୟିକା ଶ୍ରେୟା ଘୋଷାଲଙ୍କ ଜନ୍ମ ଦିନ । ୪୦ ବର୍ଷରେ ପାଦ ଦେଲେ ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗୀୟ ଲଳନା ଶ୍ରେୟା । ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବଙ୍ଗାଳୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ଶ୍ରେୟା । ଏକ ଛୋଟ ସହର ରାଓତଭାଟା, କୋଟା, ରାଜସ୍ଥାନରେ ତାଙ୍କ ପିଲାଦିନ ବିତିଛି ।

ପିଲାଟି ଦିନୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ଶ୍ରେୟା ମାତ୍ର ୪ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରି ଦେଇଥିଲେ । ଏହାପରେ ମାତ୍ର ୧୬ ବର୍ଷ ବୟସରେ ପପୁଲାର ଶୋ’ ସାରେ ଗା ମା ପା ପ୍ରତିଯୋଗିତାରେ ସେ ଓ୍ବିନର ହୋଇଥିଲେ । ଏହାପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଦେବଦାସରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ବୁଲି ଚାହିଁ ନଥିଲେ ।

ଖୁବ୍ କମ୍ ବୟସରେ ଶ୍ରେୟା କଣ୍ଠ ଦାନ କରିଥିଲେ ଶ୍ରେୟା । ସେ ମାତ୍ର୨୬ ବର୍ଷ ବୟସରେ ରାଷ୍ଟ୍ରୀୟ ପୁରସ୍କାର ହାତେଇଥିଲେ । ଫିଲ୍ମ ଫେୟାର ଆଓ୍ବାର୍ଡ ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାର ଓ ନୂଆ ସଙ୍ଗୀତ ପ୍ରତିଭା ପାଇଁ ଆର.ଡ଼ି ବର୍ମନ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ଏହା ପରଠାରୁ ସେ ୨୦୦ ରୁ ଅଧିକ ସିନେମାରେ ଗାଇ ସାରିଛନ୍ତି ଏବଂ ୪ଟି ଜାତୀୟ ଓ ୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।

ଶ୍ରେୟା ତାଙ୍କ ସ୍ୱରର ଯାଦୁ ସହିତ ଏପରି ନିଶା ସୃଷ୍ଟି କରନ୍ତି, ଯାହା ସର୍ବଦା ଶ୍ରୋତାମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥାଏ । ଶ୍ରେୟା ଅନେକ ଅସିମୀୟା, ଓଡ଼ିଆ, ବଙ୍ଗଳା, କନ୍ନଡ, ମାଲୟାଲମ, ମରାଠୀ, ପଞ୍ଜାବୀ, ତାମିଲ,ତେଲଗୁ ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ୍ ଆଲବମରେ କଣ୍ଠଦାନ କରିଛନ୍ତି ।

ତେବେ ଶ୍ରେୟାଙ୍କର ଆଜି ଜନ୍ମ ଦିନ ଥିବାବେଳେ, ଆମେରିକାର ଓହିୟୋ ରାଜ୍ୟରେ ୨୬ ଜୁନ୍ କୁ ଶ୍ରେୟା ଘୋଷାଲ ଡେ’ ଭାବେ ପାଳନ କରାଯାଇଥାଏ । ୨୦୧୦ରେ ଶ୍ରେୟା ଆମେରିକାର ଓହିୟୋ କୁ ଯାଇଥିଲେ । ସେଠିକାର ଗଭର୍ଣ୍ଣର ଟେଡ୍ ଷ୍ଟ୍ରିକଲ୍ୟାଣ୍ଡ ୨୬ ଜୁନ୍ କୁ ଶ୍ରେୟା ଘୋଷାଲ ଡେ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ ।

ଏହା ବ୍ୟତୀତ ଲଣ୍ଡନର ମ୍ୟାଡାମ୍ ତୁସଦ ମ୍ୟୁଜିୟମରେ ଗାୟିକାଙ୍କ ମହମ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରାଯାଇଛି ।

ଶ୍ରେୟା ତାଙ୍କ ପିଲାଦିନର ବନ୍ଧୁ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ୨୦୧୫ ରେ ପ୍ରେମ ବିବାହ କରିଥିଲେ । ବିବାହର ୫ ବର୍ଷ ପରେ ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି ।

Leave A Reply

Your email address will not be published.