ପାରାଦ୍ଵୀପ:ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ସ୍ୱର୍ଣ୍ଣିମ ଚିହ୍ନ ଛାଡି ଯାଇଥିଲା ଏହି ଅଞ୍ଚଳ । ହେଲେ ଇତିହାସରେ ଏହାକୁ ବିକୃତ କରି ଉଦ୍ଧୃତ କରାଯାଇଛି । ଆମର ଦୁର୍ବଳ ଭାଷାପ୍ରୀତି ହେଉ ବା ଜ୍ଞାନର ଅଭାବ ଯୋଗୁ ହେଉ, ଲବଣ ସତ୍ୟାଗ୍ରହବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର କିଛି ଅଞ୍ଚଳକୁ ବିକୃତ କରି ଇତିହାସରେ ଲେଖା ଯାଇଛି । ଆଉ ଦୁଃଖର କଥା, ବର୍ଷ ବର୍ଷ ଧରି ପିଲାମାନେ ଏହି ତ୍ରୁଟିକୁ ପଢି ଆସୁଥିଲେ ହେଁ କେହି କେବେ ଏହାର ପ୍ରତିବାଦ କରୁନାହାନ୍ତି ।
ବର୍ଷ ବର୍ଷ ଧରି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଇତିହାସ ଓ ରାଜନୀତି ବିଜ୍ଞାନ ପୁସ୍ତକରେ ଥିବା ଭୁଲ ତଥ୍ୟ ପଢି ଆସୁଛନ୍ତି। ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରି ଲବଣ ସତ୍ୟାଗ୍ରହରେ ସଫଳ ହୋଇଥିବା କୁଜଙ୍ଗ ଅଞ୍ଚଳର ତିନୋଟି ଐତିହାସିକ ସ୍ଥାନର ନାମକୁ ଭୁଲ ଭାବେ ପଢା ଯାଉଛି । ଏହାକୁ ନେଇ ଏବେ ପ୍ରତିକ୍ରିୟାଶୀଳ ହୋଇଛନ୍ତି କୁଜଙ୍ଗ ଅଞ୍ଚଳର ସାହିତ୍ୟିକ ଓ ଶିକ୍ଷାବିଦ୍। ତୁରନ୍ତ ସଂଶୋଧନ ନହେଲେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।
ଇଂରେଜମାନଙ୍କ ବିରୋଧରେ ୧୯୩୦ ମସିହା ମେ’ ୮ ତାରିଖରେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନ କ୍ରମେ ଲବଣ ସତ୍ୟାଗ୍ରହ ଡାକରା ଦିଆ ଯାଇଥିଲା କୁଜଙ୍ଗରେ । କୁଜଙ୍ଗ ମହାରାଣୀଙ୍କ ଡାକରାରେ ହଜାର ହଜାର ମହିଳା କୁଜଙ୍ଗର କାଳିଆପାଟ, ଚଟୁଆ ଓ ବାଘାଡିଆ ଠାରେ ଏକାଠି ହୋଇ ଲୁଣ ମାରିଥିଲେ। କାଳିଆପାଟ୍ଟରେ ନିଜେ ମହାରାଣୀ ହଳଦୀପାଣି ନଦୀରୁ ପାଣି ଆଣି ଲୁଣ ମାରିଥିଲେ। ଚଟୁଆ ଓ ବାଘାଡିଆରେ ଇଂରେଜମାନେ ଲୁଣ ମାରିଥିବା ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ। ଯାହାର ମୁକସାକ୍ଷୀ ଭାବେ ଏବେବି ଚଟୁଆରେ ରହିଛି ବେଡିମଠ । ସେଠାରେ ବିଭିନ୍ନ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି।
ମାତ୍ର ଶିକ୍ଷା ବିଭାଗର ଦଶମ ଶ୍ରେଣୀ ବହିର ଇତିହାସ ଓ ରାଜନୀତି ବିଜ୍ଞାନ ବହିର ୨୨ ତମ ପୃଷ୍ଠାରେ ଏହି ତିନୋଟି ଗ୍ରାମର ନାମକୁ ଭୁଲ ଭାବେ ଦର୍ଶାଯାଇଛି। କାଳିଆପାଟ ସ୍ଥାନରେ କାଳିଘାଟ, ଚଟୁଆ ସ୍ଥାନରେ ଗଗୁଆ, ବାଘାଡିଆ ବଦଳରେ ବରଡିଆ ହୋଇଛି। ଏହି ତଥ୍ୟ ବର୍ଷ ବର୍ଷ ଧରି ପିଲାମାନଙ୍କୁ ପଢ଼ାଯାଉଛି। ଏହା ଆମ ଜାତୀୟତାର କଥା, ସ୍ୱାଭିମାନର କଥା । ହେଲେ ଆମେ ସାରା ବିଶ୍ବକୁ ଖାଲି ଭୁଲ୍ ତଥ୍ୟ ଦେଉନେ, ଓଡିଆ ଭାଷାକୁ ବିକୃତ ରୂପ ଦେଇଛେ । ଶିକ୍ଷା ବୋର୍ଡରେ ଏତେ ବିଦ୍ୱାନ ବ୍ୟକ୍ତି ଥାଇ ମଧ୍ୟ ଏଭଳି ତ୍ରୁଟି କିପରି ହେଉଛି ତାହା ହିଁ ପ୍ରଶ୍ନବାଚୀ।
ଯଦି ଖୁବ୍ ଶୀଘ୍ର ଏହାର ସମାଧାନ କରାନଯାଏ ତେବେ ବୋର୍ଡ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ କବି ତଥା ସାହିତ୍ୟିକ ପିତାମ୍ବର ତରାଇ।