ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦୁବାଇରେ ରଚା ଯାଇଥିବା ସ୍ପିନ ଜାଲରେ ଏବେ ଦୁଇ ଶକ୍ତିଶାଳୀ ଟିମ ମୁହାଁମୁହିଁ ହୋଇଛନ୍ତି । କ୍ରମାଗତ ମ୍ୟାଚ ଖେଳିବ ଭାରତ ପିଚର ଗଣିତକୁ ଭଲ ଭାବେ କଷି ପାରିଛି । ଏବେ ନ୍ୟୁଜିଲାଣ୍ଡ ଏହାର କିପରି ମୁକାବିଲା କରିବ ତାହା ଦେଖିବ କଥା । ରିପୋର୍ଟ ମୁତାବକ ଭାରତ ପୂନର୍ବାର ୪ ସ୍ପିନର ରଣନୀତିରେ ଓହ୍ଲାଇବ । ଭାରତର ରଣନୀତିକୁ କିପରି କିୱି ଟିମ ସାମ୍ନା କରୁଛନ୍ତି ସେଥିପ୍ରତି ନଜର ରହିବ ।
ଭାରତର ୪ଜଣ ପ୍ରଫେଶନାଲ ସ୍ପିନର(ବରୁଣ ଚକ୍ରବର୍ତି, ଅକ୍ଷର ପଟେଲ, କୂଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା) ଥିବା ବେଳେ ନ୍ୟୁଜିଲାଣ୍ଡ ନିକଟରେ ୨ଜଣ ( ମିଚେଲ ସାଂଟେନର, ଡଗ ବ୍ରେସୱେଲ ) ରହିଛନ୍ତି । ଗ୍ଲେନ ଫିଲିପ୍ସ ଔ ରଚୀନ ରବୀନ୍ଦ୍ର କାମଚଳା ସ୍ପିନର ଦାୟିତ୍ୱ ତୁଲାଉଛନ୍ତି । ତେବେ ବାମହାତୀ ସ୍ପିନର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିପରି ହଇରାଣ କରନ୍ତି ତାହା ଆମେ ପୂର୍ବରୁ ଦେଖିଛୁ । ଓଭରାଲ ବିଚାର କଲେ ଭାରତର ସ୍ପିନ ଜାଲ ମଜଭୁତ ରହିଛି ।
ବରୁଣ, ଅକ୍ଷର, ଜାଡେଜା ଓ କୂଲଦୀପ ମୋଟ ୧୨୫.୩ ଓଭର ବୋଲିଂ କରିଛନ୍ତି । ଏଥିରୁ ସେମାନେ ୫୯୪ ରନ ଦେଇ ୨୧ ୱିକେଟ ନେଇଛନ୍ତି । ବରୁଣ ୭, ଅକ୍ଷର ଓ କୂଲଦୀପ ୫ଟି ଏବଂ ଜାଡେଜା ୪ଟି ୱିକେଟ ନେଇଛନ୍ତି । ୪.୭୦ ଇକୋନୋମି ରେଟରେ ସେମାନେ ବୋଲିଂ କରିଛନ୍ତି । ଅବଶ୍ୟ ନ୍ୟୁଜିଲାଣ୍ଡର ସ୍ପିନ ବିଭାଗ ମଧ୍ୟ ଏତେଟା ଦୁର୍ବଳ ନୁହେଁ ।
ନ୍ୟୁଜିଲାଣ୍ଡ ସ୍ପିନର ୧୦୪ ଓଭର ବୋଲିଂ କରିଛନ୍ତି । ଯାହାକି ଭାରତ ତୁଳନାରେ ୨୦ ଓଭର କମ । କିୱି ସ୍ପିନର ୫୧୮ ରନ ଦେଇ ୧୭ ୱିକେଟ ନେଇଛନ୍ତି । ସାଂଟେନର ୭, ବ୍ରେସୱେଲ ୬ ଏବଂ ଫିଲିପ୍ସ, ରଚୀନ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ସେମାନଙ୍କ ରନରେଟ ୪.୯୮ ରହିଛି । ଉଭୟ ଟିମର ବ୍ୟାଟ୍ସମ୍ୟାନଙ୍କ ପାଇଁ ଏବେ ସ୍ପିନରଙ୍କୁ ଖେଳିବା ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।
ଭାରତ ୨୫ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ତେବେ ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ହରାଇବା ଏବଂ କ୍ରମାଗତ ଭାବେ ଦୁବାଇରେ ମ୍ୟାଚ ଖେଳିବା ଭାରତକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।
Comments are closed.