ମସ୍କୋ: ଭାରତ-ଚୀନ ସୀମା ବିବାଦ ଭିତରେ ଋଷର ରାଜଧାନୀ ମସ୍କୋରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଚୀନ ପ୍ରତିପକ୍ଷ ଓ୍ୱାଙ୍ଗ ଓ୍ୱିଙ୍କ ସହ ଆଲୋଚନା କରିଛନ୍ତି । ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ସାକ୍ଷାତ ଆଲୋଚନାରେ ଜୟଶଙ୍କର ପୂର୍ବ ଲଦାଖରେ ଲାଗି ରହିଥିବା ଅସ୍ଥିରତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଏଲଏସିରେ (ବାସ୍ତବିକ ନିୟନ୍ତ୍ରଣ ରେଖା) ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ ସାମଗ୍ରୀ ସହ ବହୁ ସଂଖ୍ୟାରେ ଚୀନ୍ ସୈନିକ ଠୁଳ କରିବା ପ୍ରସଙ୍ଗ ଉଠାଇଥିଲେ ଜୟଶଙ୍କର । ସେ କହିଥିଲେ, ଏତେ ସଂଖ୍ୟକ ସୈନିକଙ୍କୁ ଏକାଠି କରିବା ୧୯୯୩ ଓ ୧୯୯୬ ବୁଧାମଣାର ବିରୁଦ୍ଧାଚରଣ କରୁଛି ।
ଆଲୋଚନା ପରେ ଉଭୟ ପକ୍ଷ ସୀମା ସ୍ଥିତିରେ ନେଇ ପଞ୍ଚ ସୂତ୍ରୀ ଆଲୋଚନା ଉପରେ ସହମତି ପ୍ରକାଶ କରିଛନ୍ତି । ଶାନ୍ତି ବଜାୟ ରଖିବା, ଆଲୋଚନା ଜାରି ରଖିବା ଓ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ୱ ଦେଇଛନ୍ତି ।
ପାଞ୍ଚ ସୂତ୍ରୀ ଆଲୋଚନା
୧. ଭାରତ-ଚୀନ୍ ସମ୍ପର୍କରେ ସୁଧାର ପାଇଁ ଉଭୟ ପକ୍ଷ ନେତାଙ୍କ ସହମତି ଭିତ୍ତିରେ ମାର୍ଗଦର୍ଶନ କରିବା ଉଚିତ ଓ ମତଭେଦକୁ ବିବାଦୀୟ ହେବାକୁ ଦିଅନ୍ତୁ ନାହିଁ ।
୨. ସୀମାରେ ସାମ୍ପ୍ରତିକ ପରିସ୍ଥିତି ଉଭୟ ଦେଶ ସପକ୍ଷରେ ନାହିଁ । ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ଜାରି ରହିବ ଓ ସୀମାରେ ପୂର୍ବ ପରିସ୍ଥିତିକୁ ସୁଧାରିବା ପାଇଁ ପରିବେଶ ସୃଷ୍ଟି କରିବେ ।
୩. ଉଭୟ ଦେଶ ଭାରତ ଏବଂ ଚୀନ୍ ସୀମାରେ ଥିବା ଚୁକ୍ତିନାମାକୁ ଅନୁସରଣ କରିବେ ଏବଂ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରିବେ ।
୪. ସୀମା ବିବାଦକୁ ନେଇ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିବ ।
୫. ଶାନ୍ତି ପ୍ରତିଷ୍ଠା ହେବା ପରେ ଉଭୟ ଦେଶ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ଦିଗରେ କାମ କରିବେ ।
Comments are closed.