Latest Odisha News

BREAKING NEWS

ଭାରତ-ପାକିସ୍ତାନ ମଧ୍ୟରେ ହେବ କି ପରମାଣୁ ଯୁଦ୍ଧ ?

ନୂଆଦିଲ୍ଲୀ: ପାକିସ୍ତାନ ସେନାର ମିସାଇଲ୍ ନଷ୍ଟ କରୁଛି ଭାରତ । ପଡୋଶୀ ଦେଶ ଉପରେ କରିଚାଲିଛି ପ୍ରହାର । ଭାରତର ଆକ୍ରମଣରେ ବ୍ୟାପକ କ୍ଷତି ସହିବା ପରେ ନ୍ୟାସମାଲ କମାଣ୍ଡ ଅଥରିଟିର ବୈଠକ ଡାକିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ । ପରମାଣୁ ହତିଆର ନେଇ କମାଣ୍ଡ, ନିୟନ୍ତ୍ରଣ ଓ ସଞ୍ଚାଳନ ନିଷ୍ପତି ନିଏ ଏନସିଏ । ତେଣୁ ଭାରତ ସହ ଅଶାନ୍ତି ଚରମରେ ରହିଥିବା ବେଳେ ଏନସିଏ ବୈଠକ ପାକିସ୍ତାନର ରଣନୈତିକ ପଦକ୍ଷେପ ଆଡ଼କୁ ସଂକେତ କରୁଛି । ଏନସିଏର ସ୍ଥାପନା ପାକିସ୍ତାନର ସୁରକ୍ଷା ପରିଷଦ ଦ୍ବାରା ୨୦୦୦ମସିହାରେ କରାଯାଇଥିଲା। ଏନସିଏର ମୁଖ୍ୟାଳୟ ଇସଲାମାବାଦରେ ରହିଥିବା ବେଳେ ଏହା ପାକିସ୍ତାନର ପ୍ରତିରକ୍ଷା ନୀତି ଓ କ୍ଷତ୍ରିୟ ସ୍ଥିରତା ନେଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଏ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଏନସିଏ ବୈଠକ ଡାକିଛି ପାକିସ୍ତାନ? ଭାରତ ଓ ପାକିସ୍ତାନ ମଧ୍ୟରେ ହେବ କି ପରମାଣୁ ଯୁଦ୍ଧ ?

ହେବ କି ପରମାଣୁ ଯୁଦ୍ଧ ?

୧୯୯୮ ପରଠୁ ନା ଭାରତ ନା ପାକିସ୍ତାନ, କେହିବି ପରମାଣୁ ପରୀକ୍ଷଣ କରିନାହାନ୍ତି । ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀ ଅଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଏହାପରେ ପ୍ରତିଶୋଧ ନେବାକୁ କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ। ପାକିସ୍ତାନ ଭାରତର ସୀମାବର୍ତ୍ତୀ ସହରକୁ ଟାର୍ଗେଟ୍ କରି ଆକ୍ରମଣ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାକୁ ପଣ୍ଡ କରିଛନ୍ତି । ଭାରତ ପକ୍ଷରୁ ଜବାବି ଆକ୍ରମଣ କରାଯାଉଛି । ତେବେ ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଥିବାକୁ ପରମାଣୁ ଯୁଦ୍ଧ ନେଇ ଆଶଙ୍କା ରହିଛି । ଭାରତ ପ୍ରଥମେ ପରମାଣୁ ହତିଆର ବ୍ୟବହାର ନକରିବା ନୀତି ପାଳନ କରିଆସିଛି । ଯେବେକି ପାକିସ୍ତାନର ଅନେକ ମନ୍ତ୍ରୀ ମଧ୍ୟ ପରମାଣୁ ଯୁଦ୍ଧ ନେଇ ଖୋଲାଖୋଲି ଧମକ ଦେଇ ସାରିଛନ୍ତି । ତେବେ ପରମାଣୁ ଯୁଦ୍ଧର ଭୟାବହତା ଦୃଷ୍ଟିରୁ ଉଭୟ ପକ୍ଷ ଏଥିରୁ ନିବୃତ ରହିପାରନ୍ତି ବୋଲି କୁହାଯାଉଛି ।

ପରମାଣୁ ବୋମା…୫୦କିମି ଯାଏଁ ବିନାଶ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିବା ବେଳେ ପରମାଣୁ ଯୁଦ୍ଧ ନେଇ ଆଶଙ୍କା କରାଯାଉଛି । ଯଦି ପରମାଣୁ ବୋମା ପଡେ ତେବେ ସୂର୍ଯ୍ୟ କିରଣର ଶହେଗୁଣା ଆଲୋକ ହେବ । ଯେଉଁ ସ୍ଥାନରେ ପରମାଣୁ ବୋମା ପଡିବ, ତାର ୫୦କିଲୋମିଟର ପରିସରରେ ଲୋକେ ଅନ୍ଧ ହୋଇପାରନ୍ତି । ପ୍ରବଳ ଆଲୋକ ସହ ତାପମାତ୍ରା ମଧ୍ୟ ଦଶ ଲକ୍ଷ ଡିଗ୍ରୀରେ ପହଞ୍ଚିଯିବ । ଲୋକଙ୍କ ସହ କୋଠା ନଷ୍ଟ ହୋଇଯିବ । ପବନ ଏତେ ବେଗରେ ବହିବ ଯେ, ୧୦ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ଘର, ଗଛ ବରବାଦ ହୋଇଯିବ । ପବନ ସାଙ୍ଗକୁ ନିଆଁ ବ୍ୟାପିବା ସହ ପୃଥିବୀ ଗରମ ହୋଇଯିବ ।

ତରଳିଯିବ ଷ୍ଟିଲ, କାଚ

ପରମାଣୁ ବିସ୍ଫୋରଣ ହେଲେ ତାତି ଏତେ ହେବ ଯେ, ଷ୍ଟିଲ ଓ କାଚ ବି ତରଳିଯିବ । ଶହେ କିଲୋମିଟର ପର୍ଯ୍ୟନ୍ତ ରେଡିଓଆକ୍ଟିଭ କଣିକା ଘାତକ ରେଡିଏସନର ପ୍ରଭାବ ପକାଇବ । ପରମାଣୁ ବୋମା ବିସ୍ଫୋରଣର ପ୍ରଥମ ଘଣ୍ଟାରେ ହିଁ ୨ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ । ମାସେ ମଧ୍ୟରେ ୧ଲକ୍ଷ ଲୋକ କ୍ୟାନସରରେ ପୀଡିତ ହେବେ । ବିସ୍ଫୋରଣ ହୋଇଥିବା ଜାଗା ବିଶାଳ ଶ୍ମଶାନରେ ପରିଣତ ହୋଇଯିବ । ବଡ଼ ବଡ଼ କୋଠାରେ ବ୍ୟବହୃତ ହୋଇଥିବା ଷ୍ଟିଲ ତଥା ବଡ ଖମ୍ବ ତରଳିଯିବ । ପ୍ରବଳ ଗରମ ସାଙ୍ଗକୁ ବିସ୍ପୋରଣ ହୋଇଥିବା ସ୍ଥାନର ଆଖପାଖ ଅଞ୍ଚଳରେ ପ୍ରବଳ ଜ୍ବଳନ ଅନୁଭୁତ ହେବ । ପରମାଣୁ ଯୁଦ୍ଧ ହେଲେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଥିବା ବେଳେ ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ସଶକ୍ତ ଦେଶ ହୋଇଥିବାରୁ ଚିନ୍ତା ବଢିଛି ।

Comments are closed.