‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
ନୂଆଦିଲ୍ଲୀ: ନିର୍ବାଚନ କମିଶନକୁ ନେଇ ବଢ଼ିଲା ବିବାଦ। SIR ପ୍ରସଙ୍ଗରେ ଏବେ ରାସ୍ତାକୁ ଓହ୍ଲାଇବ ବିରୋଧୀ INDIA ମେଣ୍ଟ। ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଜିଲ୍ଲାରେ ‘ସେଭ୍ ଡେମୋକ୍ରାସି’ ନାଁରେ ବିକ୍ଷୋଭ କରିବାକୁ ଘୋଷଣା କରିଛି ଇଣ୍ଡି ମେଣ୍ଟ। ଏହାସହ ଅକ୍ଟୋବର ୬ ତାରିଖରେ ସମସ୍ତ ବିରୋଧୀ ସାଂସଦ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ଅଭିମୁଖେ ମାର୍ଚ୍ଚ କରିବେ।
ବୁଧବାର ଇଣ୍ଡି ମେଣ୍ଟର ନେତାମାନଙ୍କ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଅକ୍ଟୋବର ୨ରୁ ୮ ଯାଏଁ ପ୍ରତ୍ୟେକ ଜିଲ୍ଲାରେ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରିବେ। ଅକ୍ଟୋବର ୬ରେ ସମସ୍ତ ବିରୋଧୀ ସାଂସଦ ଏକାଠି ହୋଇ ନିର୍ବାଚନ କମିଶନଙ୍କ ନିକଟକୁ ମାର୍ଚ୍ଚ କରିବେ। ଏହାସହ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବ ଇଣ୍ଡି ମେଣ୍ଟ। ନିର୍ବାଚନ କମିଶନ ଏବଂ ଅନ୍ୟାନ୍ୟ ସଂସ୍ଥାର କାର୍ଯ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକର ଯେଉଁ ଆପତ୍ତି ରହିଛି, ସେ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବ ବୋଲି ଖଡଗେ କହିଛନ୍ତି।
ବିଶେଷ କରି ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଏବଂ ନିର୍ବାଚନ କମିଶନଙ୍କ ଭିତରେ ମତଭେଦକୁ ନେଇ ବିବାଦ ଚାଲିଛି। ବିରୋଧୀ ଦଳଗୁଡ଼ିକ SIR ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମିଶନ ବିରୋଧରେ ପଦକ୍ଷେପ ଦାବି କରୁଛନ୍ତି।
ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଖଡଗେ କହିଛନ୍ତି ଯେ ସମସ୍ତ ଦଳ ଏହି ପ୍ରସଙ୍ଗରେ ଏକାଠି ଲଢ଼ିବାକୁ ସହମତ ହୋଇଛନ୍ତି। ଇଣ୍ଡି ମେଣ୍ଟର ଏକତାକୁ ନେଇ ପ୍ରଶ୍ନ ହେବାରୁ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ କହିଛନ୍ତି, “ଇଣ୍ଡି ମେଣ୍ଟ ଏକାଠି ଅଛନ୍ତି” ।
ଖଡଗେ ନିର୍ବାଚନ କମିଶନକୁ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ନିର୍ବାଚନ କମିଶନ ଭିତରେ ଦୁଇ-ତିନି ଜଣଙ୍କୁ ‘ମୋହରା’ ଭାବେ ବ୍ୟବହାର କରାଯାଉଛି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ନିଜ ଇଚ୍ଛା ଅନୁସାରେ ପରିଚାଳନା କରୁଛନ୍ତି। ଏହା ଖଡଗେଙ୍କ ଅଭିଯୋଗ, ଯାହାକୁ ସେ ବୈଠକ ପରେ ଦେଇଥିବା ବିବୃତିରେ ଉଠାଇଛନ୍ତି।
ବୈଠକରେ INDIA ମେଣ୍ଟ ପକ୍ଷରୁ ମୋଟ ଛଅଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏଥିରେ ଅକ୍ଟୋବର ୨ରୁ ୮ ଯାଏଁ ଦେଶବ୍ୟାପୀ ‘ସେଭ୍ ଡେମୋକ୍ରାସି’ ବିକ୍ଷୋଭ, ଅକ୍ଟୋବର ୬ରେ ନିର୍ବାଚନ କମିଶନ ଅଭିମୁଖେ ବିରୋଧୀ ସାଂସଦଙ୍କ ମାର୍ଚ୍ଚ ଏବଂ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବା ଭଳି କାର୍ଯ୍ୟକ୍ରମ ସାମିଲ ରହିଛି।
SIRକୁ ନେଇ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ INDIA ମେଣ୍ଟର ଏହି ଆନ୍ଦୋଳନ ଘୋଷଣା ପରେ ଆଗକୁ ବିରୋଧୀ ଦଳଗୁଡ଼ିକର ରଣନୀତି କେମିତି ରହିବ, ତା’ ଉପରେ ଏବେ ନଜର।

