ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ନିଷ୍ପତ୍ତି ନେଉଛି । ବୁଧବାର ସନ୍ଧ୍ୟାରେ, ଭାରତ ପାକିସ୍ତାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା ଏବଂ ଆଜି ସକାଳେ ପାକିସ୍ତାନର ISPR ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ମଧ୍ୟ ଭାରତରେ ବ୍ଲକ୍ କରାଯାଇଛି । ପୂର୍ବରୁ, କେନ୍ଦ୍ର ସରକାର ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜାଙ୍କ ଏକ୍ସ ହ୍ୟାଣ୍ଡେଲକୁ ବ୍ଲକ୍ କରିଛନ୍ତି ।
ଏବେ ଭାରତରେ ଡନ୍ ସମେତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ କୁ ବ୍ଲକ୍ କରାଯାଇଛି ଏବଂ ଭାରତ ଏବଂ ପାକିସ୍ତାନ ବିଷୟରେ ରିପୋର୍ଟିଂ କରିବାରେ ସତର୍କ ରହିବାକୁ ବିବିସିକୁ ମଧ୍ୟ ଚେତାବନୀ ଦେଇଛି । ଭାରତୀୟ ସେନା, ଭାରତ ସରକାର, ଭାରତୀୟ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ମିଥ୍ୟା, ଭ୍ରାମକ, ଅସାମାଜିକ ଏବଂ ଉତ୍ତେଜନାମୂଳକ ସୂଚନା ପ୍ରସାରଣ କରିବା କାରଣରୁ ଭାରତ ପାକିସ୍ତାନର ୟୁଟ୍ୟୁବ୍ ଏବଂ ଏକ୍ସ ହ୍ୟାଣ୍ଡେଲଗୁଡ଼ିକୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନେଇଛି ।
ଅନ୍ୟପଟେ, ବୁଧବାର ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କରିଦେଇଛି ଭାରତ । ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା । ୩୦ ଏପ୍ରିଲରୁ ୨୩ ମେ, ୨୦୨୫ ପର୍ଯ୍ୟନ୍ତ କୌଣସି ପାକିସ୍ତାନୀ ବିମାନକୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ତେବେ ଭାରତୀୟ ବାୟୁସୀମା ବନ୍ଦ ହେବା ପରେ, ପାକିସ୍ତାନୀ ବିମାନ କମ୍ପାନୀଗୁଡ଼ିକୁ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକୁ ଯିବା ପାଇଁ ଶ୍ରୀଲଙ୍କା ଏବଂ ଚୀନର ବାୟୁସୀମାରେ ପ୍ରବେଶ କରିବାକୁ ପଡିବ । ଏହା କରିବା ଦ୍ୱାରା ବିମାନ ରାସ୍ତା ଲମ୍ବା ହେବ, ଯାହାଦ୍ୱାରା ବିମାନ କମ୍ପାନୀଗୁଡ଼ିକର ଖର୍ଚ୍ଚ ବୃଦ୍ଧି ପାଇବ । ଯଦି ଖର୍ଚ୍ଚ ବୃଦ୍ଧି ପାଏ, ତେବେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍ ମହଙ୍ଗା କରିବେ, ଯାହା ଲୋକଙ୍କ ପକେଟ ଉପରେ ବୋଝ ପକାଇବ । ଏୟାରଲାଇନ୍ସ ଏବଂ ଲୋକଙ୍କ ପକେଟ ଉପରେ ବୋଝ ପଡ଼ିବ ଏବଂ ଲୋକଙ୍କ ସମୟ ମଧ୍ୟ ନଷ୍ଟ ହେବ ।
Comments are closed.