Latest Odisha News

BREAKING NEWS

୨୦୨୨ର ଏହି ପରାଜୟକୁ ଭୁଲି ପାରିବେନି ଭାରତୀୟ କ୍ରିକେଟପ୍ରେମୀ

୨୦୨୨ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ମିଶ୍ରିତ ଫଳ ଆଣିଛି । ଓଭରାଲ ଟିମ ଇଣ୍ଡିଆ ୬୭ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୪୩ ବିଜୟ ହାସଲ କରିଛି । ପ୍ରଦର୍ଶନ ବିଚାରକୁ ନେଲେ ଏହା ଏତେଟା ଖରାପ ନୁହେଁ । ମାତ୍ର ୬ଟି ପରାଜୟକୁ ଭାରତୀୟ ପ୍ରଶଂସକ ଭୁଲି ପାରି ନାହାନ୍ତି ।
ଦକ୍ଷିଣ ଆଫ୍ରିକାଠାରୁ ସିରିଜ ପରାଜୟ: ଦକ୍ଷିଣ ଆଫ୍ରିକାରେ ଭାରତ ପ୍ରଥମ ଟେଷ୍ଟକୁ ୧୧୩ ରନରେ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା । ମାତ୍ର ଏହା ପରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୨ଟି ବିଜୟ ସହ ସିରିଜକୁ ୨-୧ରେ ପୋଛି ନେଇଥିଲା । ଦିନିକିଆ ସିରିଜ ବି ଦକ୍ଷିଣ ଆଫ୍ରିକା ୩-୦ରେ ଜିତିଥିଲା ।
ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ: ୨୦୨୧ ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଥିଲା । ତେବେ ୨୦୨୨ରେ ଏହାର ଖେଳାଯିବାକୁ ଥିବା ବଳକା ମ୍ୟାଚରେ ଭାରତ ହାରିଯିବା ଫଳରେ ସିରିଜ ୨-୨ରେ ସମାନ ରହିଥିଲା ।

ଏସିଆ କପ: ଏସିଆ କପ କ୍ରିକେଟରେ ଭାରତ ସୁପର ୪ରୁ ବାଦ ପଡିବା ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ପାକିସ୍ତାନକୁ ପ୍ରଥମ ମ୍ୟାଚରେ ପରାଜିତ କରି ଭାରତୀୟ ଦଳ ବେଶ ବାହା ବାହା ଲୁଟିଥିଲା । ମାତ୍ର ସୁପର ୪ରେ ଶ୍ରୀଲଙ୍କାଠାରୁ ହାରି ଭାରତ ଫାଇନାଲ ଦୌଡରୁ ବାଦ ପଡିଥିଲା ।

ଟି୨୦ ବିଶ୍ୱକପ: ଭାରତଠାରୁ ଏଥର ଟି୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ଆଶା କରାଯାଉଥିଲା । ଗ୍ରୁପ ପର୍ଯ୍ୟାୟରେ ୫ରୁ ୪ ମ୍ୟାଚ ଜିତି ଭାରତ ସେମିକୁ ଉନ୍ନୀତ ହୋଇଥିଲା । ମାତ୍ର ସେମିରେ ଇଂଲଣ୍ଡ ଭାରତକୁ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ କରିଥିଲା । ଭାରତର ବିଶ୍ୱକପ ଅଭିଯାନ ଏଠାରେ ସମାପ୍ତ ହୋଇଥିଲା ।

୭ ବର୍ଷ ପରେ ବାଂଲାଦେଶଠାରୁ ହାରିଲା: ୭ ବର୍ଷ ପରେ ବାଂଲାଦେଶଠାରୁ ଦିନିକିଆରେ ଭାରତ ପରାଜିତ ହୋଇଥିଲା । ଲୋକେଶ ରାହୁଲଙ୍କ ୭୩ ରନ ବଳରେ ଭାରତ ୧୮୪ ରନ କରିଥିଲା । ବାଂଲାଦେଶ ୧୩୬ ରନରେ ୯ ୱିକେଟ ହରାଇ ବିପଦରେ ପଡିଥିଲା । ତେବେ ଶେଷ ୱିକେଟରେ ମେହଦୀ ହସନ ମିରାଜ ଓ ମୁସ୍ତାଫିଜୁର ରହେମାନ ୫୪ ରନ କରି ଭାରତକୁ ହରାଇଥିଲେ ।

Leave A Reply

Your email address will not be published.