ନୂଆଦିଲ୍ଲୀ: ଏବେ ବାହାରିବନି ନିଟ୍ ୟୁଜି ରେଜଲ୍ଟ । ପରୀକ୍ଷା ସମୟରେ ବିଦ୍ୟୁତ୍ କାଟ ଯୋଗୁଁ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ ହୋଇଛି ବୋଲି ଜଣେ ଛାତ୍ରୀ ଆବେଦନ କରିବା ପରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ନିଟ୍ ୟୁଜି ଫଳାଫଳ ଘୋଷଣାକୁ ନେଇ କିଛଇ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅସ୍ଥାୟୀ ଭାବରେ ନିଟ୍ ୟୁଜି ୨୦୨୫କୁ ସ୍ଥଗିତ ରଖିଛନ୍ତି । ତେବେ ଏହା ପୂରା ଦେଶର ପରୀକ୍ଷାର୍ଥୀଙ୍କ ପାଇଁ କି କେବଳ ନିର୍ଦ୍ଦିଷ୍ଟ କେନ୍ଦ୍ର ପାଇଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ତେବେ ଗତ ମେ ୪ ତାରିଖରେ ନିଟ୍ ୟୁଜି ୨୦୨୫ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଇନ୍ଦୋରର ଅନେକ ସ୍ଥାନରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଥିଲା । ଯାହାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଛାତ୍ରୀ ଜଣଙ୍କ । ଛାତ୍ରୀ ଜଣକ ଅଭିଯୋଗ ଅନୁଯାୟୀ, ମେ ୪ ତାରିଖରେ ପରୀକ୍ଷା ସମୟରେ ବିଦ୍ୟୁତ୍ ବିଭ୍ରାଟ ତାଙ୍କ ପରୀକ୍ଷାରେ ବାଧା ଦେଇଥିଲା । ଯାହା ଫଳରେ ସେ କୋର୍ଟଙ୍କ ହସ୍ତକ୍ଷେପ ଲୋଡିବାକୁ ବାଧ୍ୟ ହୋଇଛନ୍ତି । ଏଥିସହିତ ଛାତ୍ରୀଙ୍କ ଓକିଲ ବି ଦାବି କରିଛନ୍ତି ଯେ ସହରର ଅନେକ କେନ୍ଦ୍ରରେ ବ୍ୟାକଅପ୍ ପାୱାର ନାହିଁ ଏବଂ କିଛି ଛାତ୍ରଙ୍କୁ ମହମବତୀ ଆଲୋକରେ ପେପର ଲେଖିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା ।
ଯାହାକୁ ଅତି ଗୁରୁତ୍ବର ସହ ନେଇ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଉଲ୍ଲେଖ କରିଛନ୍ତି, ଖରାପ ପାଗ ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ପାଇଁ ପରୀକ୍ଷା ପରିବେଶ ବିପର୍ଯ୍ୟସ୍ତ ହୋଇପଡ଼ିଛି । କିଛି ଛାତ୍ରଙ୍କୁ ମହମବତୀ ଆଲୋକରେ ସେମାନଙ୍କର ପରୀକ୍ଷା ଜାରି ରଖିବାକୁ ପଡିଛି, ଯାହା ମୂଲ୍ୟାୟନ ପ୍ରକ୍ରିୟାରେ ନିରପେକ୍ଷତା ବିଷୟରେ ଚିନ୍ତା ସୃଷ୍ଟି କରିଛି । ଯାହାକୁ ନେଇ ଶୁଣାଣି କରି ଶୁକ୍ରବାର ଜଷ୍ଟିସ୍ ସୁବୋଧ ଅଭୟଙ୍କାର ରାୟ, ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ ଫଳାଫଳ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଚାରି ସପ୍ତାହ ମଧ୍ୟରେ ଜାତୀୟ ପରୀକ୍ଷା ସଂସ୍ଥା, ଏନଟିଏ, କେନ୍ଦ୍ର ସରକାର ଏବଂ ଏମପି ପଶ୍ଚିମ ଜୋନ୍ ବିଦ୍ୟୁତ୍ ବଣ୍ଟନ କମ୍ପାନୀଠାରୁ ଜବାବ ମାଗିଛନ୍ତି ।
ଯାହାର ପରବର୍ତ୍ତୀ ଶୁଣାଣି ଜୁନ ୩୦କୁ ଧାର୍ଯ୍ୟ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଅଧିକାରୀମାନେ ସ୍ପଷ୍ଟ କରିନାହାଁନ୍ତି ଯେ କୋର୍ଟଙ୍କ ଏହି ନିର୍ଦ୍ଦେଶ ସାରା ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ନା କେବଳ କିଛି କେନ୍ଦ୍ରରେ ବିଦ୍ୟୁତ୍ ବିଭ୍ରାଟ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଯୁଜ୍ୟ । ଯାହାକୁ ନେଇ ଏବେ ୨୧ ଲକ୍ଷରୁ ଅଧିକ ନିଟ ୟୁଜି ଆଶାୟୀ ସେମାନଙ୍କ ସ୍କୋର ନେଇ ଅନିଶ୍ଚିତତା ଦେଖାଦେଇଛି। ପୂର୍ବରୁ ଜୁନ ୧୪ ରେ ଫଳାଫଳ ବାହାରିବା ନେଇ ପିଲାମାନେ ଆଶାୟୀ ଥିବା ବେଳେ ଏବେ ଏଥିରେ ଅନିଶ୍ଚିତତା ଦେଖାଦେଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।
Comments are closed.