Latest Odisha News

BREAKING NEWS

୪୧ ପରେ ଅଲିମ୍ପିକ୍ସ ସେମି ଯିବା ଲକ୍ଷ୍ୟରେ ଭାରତୀୟ ହକି ଟିମ୍

ଟୋକିଓ: ଅଲିମ୍ପିକ୍ସରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ଭାରତୀୟ ପୁରୁଷ ହକି ଟିମ୍ । ୪୧ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ସ୍ଥାନ ପକ୍କା କରିବାଠୁ ଆଉ ପାଦେ ଦୂରରେ ରହିଛି । ଆଜି ବ୍ରିଟେନ୍ ବିରୋଧରେ ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲ୍ ମୁକାବିଲା ରହିଛି । ସନ୍ଧ୍ୟା ସାଢ଼େ ୫ଟାରେ ଏହି ମ୍ୟାଚ୍ ଖେଳାଯିବ ।

ଅଲିମ୍ପିକ୍ସରେ ଭାରତ-ବ୍ରିଟେନ୍ ମଧ୍ୟରେ ୮ଟି ମୁକାବିଲା ହୋଇଛି । ଉଭୟ ଦଳ ୪ଟି ଲେଖାଏ ମ୍ୟାଚ୍ ନିଜ ନାଁରେ କରିଛନ୍ତି । ରାଙ୍କିଂ ଅନୁସାରେ ଭାରତ ତୃତୀୟ ଓ ବ୍ରିଟେନ୍ ପଞ୍ଚମ ସ୍ଥାନରେ ଅଛି । ଅଷ୍ଟ୍ରେଲିଆ ନିକଟରୁ ପରାଜୟ ପରେ କ୍ରମାଗତ ତିନିଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ ଯାଇଛି ଟିମ୍ ଇଣ୍ଡିଆ ।

ପୁଲ୍-ଏରେ ୫ଟି ମ୍ୟାଚରୁ ଭାରତ ଜିତିଛି ୪ଟି । ଗ୍ରୁପ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିବା ସହ କ୍ୱାର୍ଟର ଫାଇନାଲକୁ ଆସିଛି । ସେପଟେ ବ୍ରିଟେନ୍ ପୁଲ୍-ବିରେ ଦୁଇଟି ମ୍ୟାଚ୍ ଜିତିଛି । ଦୁଇଟି ହାରିଥିବା ବେଳେ ଗୋଟିଏ ଡ୍ର ରଖି ପୁଲ-ବିରେ ତୃତୀୟ ସ୍ଥାନରେ ରହିଛି ।

୧୯୬୪ ମସିହାରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲା । ଭାରତ ଶେଷ ଥର ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଜିତିଥିଲା ପଦକ । ତାପରଠୁ ଅଲିମ୍ପିକ୍ସ ସଫଳତା ପାଇବାରେ ଫେଲ୍ ମାରିଛି । ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ପଞ୍ଚମ ସ୍ଥାନରେ ରହିଥିଲା ଭାରତ । ୨୦୦୮ ବେଜିଂ ଅଲିମ୍ପିକ୍ସରେ କ୍ୱାଲିଫାଏ କରିପାରି ନଥିଲା ।

ଗତ ଚାରି ପାଞ୍ଚ ବର୍ଷ ହେବ ଦଳର ପ୍ରଦର୍ଶନରେ ସୁଧାର ଆସିଛି । ବିଶ୍ୱ ରାଙ୍କିଂରେ ତୃତୀୟ ସ୍ଥାନରେ ଅଛି ଭାରତ । ଦୁଇ ବର୍ଷ ତଳେ ଅଷ୍ଟ୍ରେଲିଆର ଗ୍ରାହମ ରିଡ୍ କୋଚିଂ ଦାୟିତ୍ୱ ନେବା ପରେ ଖେଳାଳିଙ୍କ ଆତ୍ମବିଶ୍ୱାସ, ମନୋବଳ ଓ ଫିଟନେସ୍ ସ୍ତର ବଢ଼ିଛି । ଶେଷ ମୁହୂର୍ତ୍ତ ଯାଏ ଲଢୁଛି ଟିମ୍ ଇଣ୍ଡିଆ । ଭଲ ପ୍ରଦର୍ଶନ ବଳରେ କ୍ୱାର୍ଟରରୁ ସେମିଫାଇନାଲକୁ ଯିବା ସହ ୪୧ ବର୍ଷ ପରେ ହକିରୁ ପଦକ ଆସିବା ଆଶା ବଢ଼ିଛି ।

Leave A Reply

Your email address will not be published.