ନୂଆଦିଲ୍ଲୀ: ପାକିସ୍ତାନ ଆଗରେ, ଭାରତ ପଛରେ
ବେଶୀ ଆନନ୍ଦରେ ପାକିସ୍ତାନୀ
ଭାରତୀୟଙ୍କ ଠାରୁ ବେଶୀ ଖୁସିରେ ଅଛନ୍ତି
ଦେଶରେ ନା ଅଛି ଭଲ ଶିକ୍ଷା ବ୍ୟବସ୍ଥା, ନା ଚାକିରି କ୍ଷେତ୍ରରେ ଅଛି ଭଲ ସୁଯୋଗ। ସ୍ଥିର ଅର୍ଥନୀତି ତ ଦୂରର କଥା ପେଟକୁ ଦାନା ଟିକକ ଯୋଗାଇବା ପାଇଁ ଯୁଝୁଛି। ବିଶ୍ଵ ଆଗରେ ହାତ ପତାଉଛି କାଙ୍ଗାଳ ପାକିସ୍ତାନ। ତଥାପି ପାକିସ୍ତାନରେ ଲାଗିରହିଥିବା ସଂକଟ ମଧ୍ୟରେ ଏକ ଆଶ୍ଚର୍ଯ୍ୟ ଲାଗିଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଦାରିଦ୍ର୍ୟତା ଭିତରେ ବି ବେଶୀ ଖୁସିରେ ଅଛନ୍ତି ପାକିସ୍ତାନର ଲୋକ। ସୁଖୀ ଦେଶ ରେସରେ ପାକିସ୍ତାନ ଭାରତଠୁ ଆଗରେ ଅଛି।
ତେବେ ବିଶ୍ୱର ସବୁଠାରୁ ଖୁସି ଦେଶଗୁଡ଼ିକର ତାଲିକା ପ୍ରକାଶ ପାଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ତାଲିକାରେ ବିଶ୍ଵର ଗୋଟିଏ ବି ଧନୀ ଦେଶ ନାହାଁନ୍ତି। ଆଉ ପାକିସ୍ତାନ ଭଳି ଦେଶ, ଯେଉଁଠି ଅନ୍ତଃ କନ୍ଦଳ ଏବଂ ଦାରିଦ୍ର୍ୟତା ମୁଣ୍ଡ ବିନ୍ଧାର କାରଣ ପାଲଟିଛି, ସେଠିକାର ଲୋକେ ଭାରତୀୟଙ୍କ ଠାରୁ ବେଶୀ ଖୁସିରେ ଅଛନ୍ତି।
ବିଶ୍ୱ ଖୁସି ରାଙ୍କିଙ୍ଗରେ ଭାରତର ସ୍ଥାନ ବିଶେଷ ଭଲ ନୁହେଁ। ଖୁସି ଦୃଷ୍ଟିରୁ, ଭାରତ ପାକିସ୍ତାନଠାରୁ ମଧ୍ୟ ପଛରେ ଅଛି। ମୋଟ୍ ୧୪୭ ଦେଶ ମଧ୍ୟରେ ଭାରତର ରାଙ୍କିଙ୍ଗ ୧୧୬, ଯେତେବେଳେ କି ପାକିସ୍ତାନର ୧୦୪ ରହିଛି। ଆଉ ପଡ଼ୋଶୀ ନେପାଳ ୯୯ ବାଂଲାଦେଶ ୧୨୭ ସ୍ଥାନରେ ଅଛି। ତଥାପି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏହି ବର୍ଷ ଭାରତର ସ୍ଥାନ ଉନ୍ନତ ହୋଇଛି। ଏହା ୨୦୨୪ରେ ୧୨୬ ଏବଂ ୨୦୨୫ରେ ୧୧୮ ସ୍ଥାନରେ ଥିଲା। ଏହାର ଅର୍ଥ ଧୀରେ ଧୀରେ ନିଜର ସ୍ଥିତିରେ ଉନ୍ନତି ହେଇଥିଲେ ମଧ୍ୟ, ସତ ହେଉଛି ବିଶ୍ଵ ଆଗରେ ଅଗ୍ରଗତି କରୁଥିବା ଦେଶର ଲୋକେ ଖୁସି ରେସରେ ଏବେ ବି ବହୁତ ପଛରେ ଅଛନ୍ତି।
ବିଶ୍ୱରେ ସବୁଠାରୁ ୟୁରୋପୀୟ ଦେଶଗୁଡ଼ିକ ଖୁସିରେ ଅଛନ୍ତି। ଲଗାତାର ନବମ ଥର ପାଇଁ ବିଶ୍ୱର ସବୁଠାରୁ ଖୁସି ଦେଶ ଭାବରେ ନିଜର ନମ୍ୱର ୱାନ୍ ସ୍ଥାନ ବଜାୟ ରଖିଛି ଫିନଲ୍ୟାଣ୍ଡ। ବିଶ୍ୱର ସବୁଠାରୁ ଖୁସି ଦେଶ ତାଲିକାର ଶୀର୍ଷରେ ଥିବା ଫିନଲ୍ୟାଣ୍ଡ ଗତ ବର୍ଷ ତୁଳନାରେ ଏଥର ଏହି ସର୍ଭେରେ ଅଧିକ ଆଗ୍ରହ ଦେଖାଇଛି। ଏହି କାରଣରୁ ସେଠାକାର ଲୋକମାନେ ଏହାକୁ 10 ରୁ 7.764 ରେଟିଂ ଦେଇଛନ୍ତି, ଯାହା ଗତ ବର୍ଷ ତୁଳନାରେ 0.375 ପଏଣ୍ଟ ଅଧିକ। ସେହିପରି ଆଇସଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ଅଛି, ତା’ପରେ ଡେନମାର୍କ ତୃତୀୟ ସ୍ଥାନରେ, କୋଷ୍ଟାରିକା ଚତୁର୍ଥ ସ୍ଥାନରେ ଏବଂ ସ୍ୱିଡେନ ପଞ୍ଚମ ସ୍ଥାନରେ ଅଛି। ନରୱେ ଷଷ୍ଠ ସ୍ଥାନରେ, ନେଦରଲ୍ୟାଣ୍ଡ ସପ୍ତମ ସ୍ଥାନରେ, ଇସ୍ରାଏଲ ଅଷ୍ଟମ ସ୍ଥାନରେ, ଲକ୍ସେମବର୍ଗ ନବମ ସ୍ଥାନରେ ଏବଂ ସ୍ୱିଜରଲ୍ୟାଣ୍ଡ ଦଶମ ସ୍ଥାନରେ ଅଛି।
ୟୁରୋପର ନର୍ଡିକ ଦେଶଗୁଡ଼ିକ ସବୁଠାରୁ ଖୁସି। ଏହା ବ୍ୟତୀତ, ଯୁଦ୍ଧ ଏବଂ ଦାରିଦ୍ର୍ୟ ଦ୍ୱାରା ଜର୍ଜରିତ ଦେଶଗୁଡ଼ିକ ସବୁଠାରୁ ଦୁଃଖୀ। ଆଫଗାନିସ୍ତାନ ଏବଂ ସିଏରା ଲିଓନ ଭଳି ଦେଶ ଦାରିଦ୍ର୍ୟ ଦ୍ୱାରା ଗଭୀର ଭାବରେ କଷ୍ଟ ପାଉଛନ୍ତି। ଏହି କାରଣରୁ ଏହି ଦେଶଗୁଡ଼ିକ ରାଙ୍କିଙ୍ଗର ତଳକୁ ଅଛନ୍ତି।