Latest Odisha News

ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନା

ନୂଆଦିଲ୍ଲୀ: ସୈନ୍ୟଶକ୍ତିକୁ ନେଇ ରାଙ୍କିଂ ସ୍ଥିର କରୁଥିବା ଗ୍ଲୋବାଲ ଫାୟାର ପାଓ୍ବାର ପକ୍ଷରୁ ନୂଆ ତାଲିକା ଜାରି ହୋଇଛି । ତେବେ ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି । ଏହି ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ,ରୁଷିଆ ଦ୍ୱିତୀୟ ସ୍ଥାନରେ ଏବଂ ଚାଇନା ତୃତୀୟ ସ୍ଥାନରେ ରହିଛି। ଭାରତର ଆଧୁନିକ ସାମରିକ ଉପକରଣ, ଉନ୍ନତ ଅସ୍ତ୍ର ପ୍ରଣାଳୀ ଏବଂ ରଣନୀତିକ ଦକ୍ଷତା ହେତୁ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତର ଶକ୍ତି ସୂଚକାଙ୍କ ସ୍କୋର ୦.୧୧୮୪ ରହିଛି ।

୨୦୨୪ ବର୍ଷ ପାଇଁ ଗ୍ଲୋବାଲ ଫାୟାର ପାୱାର ତାଲିକାରେ ଭାରତର ରାଙ୍କିଂ ବିଶ୍ୱର ଚତୁର୍ଥ ସ୍ଥାନରେ ଥିଲା, ଯାହା ଚଳିତବର୍ଷ ମଧ୍ୟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏପଟେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଗତବର୍ଷ ନବମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ଲିଷ୍ଟରେ ଆହୁରି ତଳକୁ ଖସି ୧୨ନଂ ସ୍ଥାନରେ ରହିଛି ।

ତେବେ ଏହି ତାଲିକାରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିବା ଦେଶ ଗୁଡିକ ହେଲା ଆମେରିକା, ରୁଷିଆ, ଚାଇନା, ଭାରତ, ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ, ଜାପାନ, ତୁର୍କୀ ଓ ଇଟାଲୀ ।

ପ୍ରାୟ ୬୦ରୁ ଅଧିକ ସାମରିକ ମାନଦଣ୍ଡକୁ ନେଇ ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି । ସେଥିରେ ପ୍ରତିରକ୍ଷା ଜ୍ଞାନକୌଶଳ, ଆର୍ଥିକ ଶକ୍ତି, ଲଜିଷ୍ଟିକ କ୍ଷମତା, ଭୌଗୋଳିକ ସ୍ଥିତି, ସୈନ୍ୟ ୟୁନିଟ୍‌ ଓ ରଣନୀତିକ ଦକ୍ଷତା ଭଳି ମାନଦଣ୍ଡ ରହିଛି ।

ଭାରତୀୟ ସ୍ଥଳ ସେନାରେ ୧୪ ଲକ୍ଷ ୫୦ ହଜାରରୁ ଅଧିକ ସକ୍ରିୟ ଯବାନ ରହିଥିଲା ବେଳେ ୧୧ ଲକ୍ଷ ୫୦ ହଜାର ସଂରକ୍ଷିତ ସୈନ୍ୟ ଏବଂ ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକ ବାହିନୀର ଯବାନ ରହିଛନ୍ତି । ଟି-୯୦ ଭୀଷ୍ମ ଟ୍ୟାଙ୍କ ଓ ଅର୍ଜୁନ ଟ୍ୟାଙ୍କ, ବ୍ରହ୍ମୋସ ମିସାଇଲ ଏବଂ ପିନାକ ରକେଟ ସିଷ୍ଟମ ଆଦି ଭାରତୀୟ ସ୍ଥଳ ସେନାର ଶକ୍ତି ବଢାଉଛି । ସେହିପରି ଭାରତୀୟ ବାୟୁସେନା ନିକଟରେ ଏବେ ୨୨୯୯ ବିମାନ ଅଛି । ସେଥିମଧ୍ୟରୁ ୬୦୦ ଫାଇଟର ଜେଟ୍‌, ୮୯୯ ହେଲିକପ୍ଟର ଓ ୮୩୧ ସପୋର୍ଟ ବିମାନ ରହିଛି । ରାଫେଲ, ସୁଖୋଇ-୩୦ ଏମ୍‌କେଆଇ ଓ ନେତ୍ର ସର୍ଭେଲାନ୍ସ ବିମାନ ବାୟୁସେନାର ଅନ୍ୟତମ ଶକ୍ତି ।

ଭାରତୀୟ ନୌସେନାରେ ୧ ଲକ୍ଷ ୪୨ ହଜାର ୨୫୧ ନୌସେନା ରହିଛନ୍ତି । ୧୫୦ରୁ ଅଧିକ ଯୁଦ୍ଧଜାହାଜ ଓ ବୁଡାଜାହାଜ ମଧ୍ୟ ରହିଛି ଓ ବର୍ତ୍ତମାନ ୫୦ରୁ ଅଧିକ ଜାହାଜ ନିର୍ମାଣ କରାଯାଉଛି । ଆଇଏନ୍‌ଏସ୍‌ (INS) ବିକ୍ରମାଦିତ୍ୟ, ଆଇଏନ୍‌ଏସ୍‌ ବିକ୍ରାନ୍ତ ଭଳି ବିମାନବାହୀ ଯୁଦ୍ଧ ଜାହାଜ ଏବଂ ଆଣବିକ ବୁଡାଜାହାଜ, ପି-୮ଆଇ, ଏମ୍‌ଏଚ୍‌-୬୦ଆର ହେଲିକପ୍ଟର ନୌସେନାର ଶକ୍ତି ବଢ଼ାଉଛି ।

Comments are closed.