Latest Odisha News

BREAKING NEWS

IAF Beats China: ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ବାୟୁଶକ୍ତି ଭାରତ, ପୁଣି ଚୀନକୁ ପଛରେ ପକାଇଲା IAF

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ପୁଣିଥରେ ବିଶ୍ୱ ମଞ୍ଚରେ ନିଜର ଶକ୍ତିର ପ୍ରମାଣ ଦେଇଛି। ଓ୍ବାଲ୍ଡ ଡିରୋକ୍ଟରୀ ଅଫ୍ ମର୍ଡନ୍ ମିଲିଟାରୀ ଏୟାରକ୍ରାଫ୍ଟ (WDMMA) ପକ୍ଷରୁ ପ୍ରକାଶିତ ୨୦୨୬ ଗ୍ଲୋବାଲ୍ ଏୟାର ପାଓ୍ବର୍ସ ରାଙ୍କିଂରେ ଦେଶ ଭିତ୍ତିକ ମୂଲ୍ୟାଙ୍କନରେ ଭାରତ ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ସାମରିକ ବାୟୁଶକ୍ତି ଭାବେ ସ୍ଥାନ ହାସଲ କରିଛି। ଏହି ତାଲିକାରେ କେବଳ ଆମେରିକା ଓ ରୁଷ ଭାରତଠାରୁ ଆଗରେ ରହିଛନ୍ତି। ସବୁଠୁ ବଡ଼ କଥା ହେଲା, ୨୦୨୨ ପରଠାରୁ ଲଗାତାର ପଞ୍ଚମ ଥର ପାଇଁ ଭାରତୀୟ ବାୟୁସେନା ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଏୟାର ଫୋର୍ସ (PLAAF)କୁ ପଛରେ ପକାଇଛି।

WDMMAର ରିପୋର୍ଟ ଅନୁସାରେ, ସର୍ଭିସ୍ ବ୍ରାଞ୍ଚ (Individual Service Branch) ଆଧାରରେ ରାଙ୍କିଂ କରାଯାଇଥିବା ବେଳେ ଭାରତୀୟ ବାୟୁସେନା ବିଶ୍ୱର ଷଷ୍ଠ ସ୍ଥାନରେ ରହିଛି ଏବଂ ଚୀନର PLAAF ସପ୍ତମ ସ୍ଥାନରେ ରହିଛି। ୨୦୨୨ ପରଠାରୁ ଏହା ପଞ୍ଚମ ଥର ଓ ମୋଟ ଷଷ୍ଠ ଥର ପାଇଁ IAF, PLAAFଠାରୁ ଉଚ୍ଚ ସ୍ଥାନ ହାସଲ କରିଛି।

ରାଙ୍କିଂରେ ଆମେରିକାକୁ ଗୋଟିଏ ଦେଶ ଭାବେ ନୁହେଁ, ବରଂ US ଏୟାର ଫୋର୍ସ, US ନେଭି, US ଆର୍ମି ଏବଂ US ମାରାଇନ୍ କ୍ରପ୍ସକୁ ଅଲଗା ଅଲଗା ଭାବେ ଗଣନା କରାଯାଇଛି। ଏହି କାରଣରୁ ସର୍ଭିସ୍ ବ୍ରାଞ୍ଚ ତାଲିକାରେ IAF ଷଷ୍ଠ ସ୍ଥାନରେ ରହିଛି। କିନ୍ତୁ ଯେତେବେଳେ ସମସ୍ତ ଆମେରିକୀୟ ବାୟୁଶକ୍ତିକୁ ଗୋଟିଏ ଦେଶ ଭାବେ ଗଣନା କରାଯାଏ, ସେତେବେଳେ ଭାରତ ବିଶ୍ୱର ତୃତୀୟ ସ୍ଥାନକୁ ଉଠିଆସିଛି।

IAF ପାଖରେ କେତେ ବିମାନ?

WDMMA ଅନୁସାରେ, ଭାରତୀୟ ବାୟୁସେନା ପାଖରେ ମୋଟ ୧୭୧୬ଟି ବିମାନ ରହିଛି।

  • ୫୪୨ଟି ଫାଇଟର ବିମାନ, ଯାହା ୭ ପ୍ରକାରର।
  • ୪୯୮ଟି ହେଲିକପ୍ଟର, ଯାହା ସମୁଦାୟ ବିମାନ ବହିନୀର ପ୍ରାୟ 30 ପ୍ରତିଶତ।
  • ଏଥିରେ ୨୨୨ଟି Mi-17 ଏବଂ ୧୧୧ଟି HAL Dhruv ଓ Rudra ହେଲିକପ୍ଟର ରହିଛି।
  • ୨୦୨୫ ସେପ୍ଟେମ୍ବରରେ ଅବସର ନେଇଥିବା MiG-21କୁ ମଧ୍ୟ ଏହି ତାଲିକାରେ ଗଣନା କରାଯାଇଛି।

WDMMA କହିଛି, କେବଳ ବିମାନ ସଂଖ୍ୟା ନୁହେଁ, ବରଂ ଯୁଦ୍ଧ ପ୍ରସ୍ତୁତି ଓ ଅପରେସନାଲ୍ କ୍ଷମତା IAFକୁ ଆଗରେ ରଖିଛି।

ଭାରତୀୟ ବାୟୁସେନା ହିମାଳୟର ଉଚ୍ଚ ପାହାଡ଼ିଆ ଅଞ୍ଚଳରୁ ଆରମ୍ଭ କରି ହିନ୍ଦ ମହାସାଗର ପର୍ଯ୍ୟନ୍ତ କଠିନ ପରିସ୍ଥିତିରେ ନିୟମିତ ଅପରେସନ୍ କରିଥାଏ। ବିଶ୍ୱର ବିଭିନ୍ନ ଦେଶ ସହ ଯୁଗ୍ମ ସାମରିକ ଅଭ୍ୟାସ, ଇଣ୍ଟିଗ୍ରେଟେଡ୍ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସିଷ୍ଟମ୍ (IACCS), S-400 Triumf Air Defence System, ସ୍ୱଦେଶୀ ବ୍ରହ୍ମୋସ୍ ଓ ଅସ୍ତ୍ର ମିସାଇଲ୍, ଅତ୍ୟାଧୁନିକ ସେନ୍ସର ଓ ଇଲେକ୍ଟ୍ରୋନିକ୍ ୱାରଫେୟାର ବ୍ୟବସ୍ଥା IAFର କ୍ଷମତାକୁ ଆହୁରି ମଜବୁତ କରିଛି ।

ଚୀନର PLAAF ପାଖରେ ୩୭୦୦ ରୁ ଅଧିକ ବିମାନ ରହିଛି। ଏହା ଭାରତର ୧୭୧୬ ବିମାନ ତୁଳନାରେ ଦୁଇଗୁଣାରୁ ଅଧିକ। ଚୀନ ଦ୍ରୁତ ଗତିରେ J-20 Stealth Fighter ପରି ଆଧୁନିକ ଯୁଦ୍ଧ ବିମାନ ମଧ୍ୟ ସାମିଲ କରୁଛି।

ତେବେ WDMMA ସ୍ପଷ୍ଟ କରିଛି ଯେ, କେବଳ ବିମାନ ସଂଖ୍ୟା ଯୁଦ୍ଧକ୍ଷମତାର ମାପକାଠି ନୁହେଁ। ଅପରେସନାଲ୍ କ୍ଷମତା, ବିମାନ ବହିନୀର ସନ୍ତୁଳନ, ଆଧୁନିକୀକରଣ, ଲଜିଷ୍ଟିକ୍ ସହାୟତା ଓ ଦୀର୍ଘ ସମୟ ଯୁଦ୍ଧ ପରିଚାଳନା କରିବାର କ୍ଷମତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

US ଏୟାର ଫୋର୍ସ ୨୪୨.୯ ଟ୍ରୁଭାଲ୍ ରେଟିଂ (TvR) ସହ ବିଶ୍ୱର ଶୀର୍ଷ ବାୟୁସେନା ଭାବେ ରହିଛି। ଏହା ପରେ US ନେଭି, ରସିୟାନ୍ ଏୟାର ଫୋର୍ସ, US ଆର୍ମି ଏବଂ US ମାରାଇନ୍ କ୍ରପ୍ସ ରହିଛନ୍ତି। ଏହା ପରେ ଷଷ୍ଠ ସ୍ଥାନରେ ରହିଛି ଭାରତୀୟ ବାୟୁସେନା।

କିପରି ପ୍ରସ୍ତୁତ ହୁଏ ଏହି ରାଙ୍କିଂ?

WDMMA ତାହାର TruVal Rating (TvR) ଫର୍ମୁଲା ଆଧାରରେ ଏହି ରାଙ୍କିଂ ପ୍ରସ୍ତୁତ କରେ। ଏଥିରେ କେବଳ ବିମାନ ସଂଖ୍ୟା ନୁହେଁ, ବରଂ ବିମାନ ବହିନୀର ଗଠନ, ଆଧୁନିକୀକରଣ, ଲଜିଷ୍ଟିକ୍ ସହାୟତା, ବିଶେଷ ମିଶନ ବିମାନ, ଏୟାର ରିଫ୍ୟୁଏଲର୍, ଟ୍ରାନ୍ସପୋର୍ଟ ବିମାନ, ଟ୍ରେନର ବିମାନ, ଭବିଷ୍ୟତ କ୍ରୟ ଯୋଜନା ଏବଂ ଘରୋଇ ବିମାନ ନିର୍ମାଣ କ୍ଷମତାକୁ ମଧ୍ୟ ବିଚାର କରାଯାଏ। ଏହି ସମସ୍ତ ମାନଦଣ୍ଡକୁ ଆଧାର କରି 2026 ରାଙ୍କିଂରେ ଭାରତ ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ସାମରିକ ବାୟୁଶକ୍ତି ଭାବେ ସ୍ଥାନ ପାଇଛି।

Leave A Reply

Your email address will not be published.