Latest Odisha News

BREAKING NEWS

ଇସ୍ରୋ ପଛରେ ସାରାଦେଶ, ଏହି କଠିନ ସମୟରେ ଛୁଟୁଛି ସମର୍ଥନର ସୁଅ

ନୂଆଦିଲ୍ଲୀ:: ବିଜ୍ଞାନରେ ନାହିଁ ବିଫଳତାର ସ୍ଥାନ । କେବଳ ପ୍ରୟୋଗ ଏବଂ ପ୍ରୟାସର ଏକ ପାନ୍ଥଶାଳା । ୧୬୦୦ ବୈଜ୍ଞାନିକଙ୍କ ଦିନରାତି ପରିଶ୍ରମ ସହ ୪୮ ଦିନ ସତର୍କତାର ସଙ୍ଘର୍ଷ ଯାତ୍ରା ପରେ ଗତକାଲି ରାତି ୧.୫୫ ମିନିଟ ୪୦ ସେକେଣ୍ଡରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଥିଲା ଚନ୍ଦ୍ରଯାନ-୨ ।

ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଇସ୍ରୋ ସେଣ୍ଟରରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହାସହ କୋଟିକୋଟି ଭାରତୀୟ ମଧ୍ୟ ଏହି ମୁହୂର୍ତ୍ତକୁ ଚାହିଁ ରହିଥିଲେ । ମାତ୍ର ଚନ୍ଦ୍ରପୃଷ୍ଠରୁ ୨ କି.ମି ପୂର୍ବରୁ ଇସ୍ରୋ ଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଲ୍ୟାଣ୍ଡର ବିକ୍ରମର।

ଲ୍ୟାଣ୍ଡର ବିକ୍ରମଠାରୁ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାଙ୍ଗି ପଡିଛନ୍ତି ଇସ୍ରୋ ଅଧ୍ୟକ୍ଷ ଓ ଅନ୍ୟ ବୈଜ୍ଞାନିକ ମାନେ ।

କୋହ ସମ୍ଭାଳି ନପାରି ଇସ୍ରୋ ଅଧ୍ୟକ୍ଷ କାନ୍ଦି ପକାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆଲିଙ୍ଗନ କରି ସମବେଦନା ଦେବା ସହ ବୈଜ୍ଞାନିକଙ୍କ ମନୋବଳ ଦୃଢ଼ କରିବାକୁ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ, ବିଜ୍ଞାନରେ ବିଫଳତାର ଶବ୍ଦ ନାହିଁ । ଇସ୍ରୋ ଭାରତକୁ ଅନେକ ଖୁସି ଆଣିଦେଇ ଭାରତୀୟଙ୍କ ମୁଖରେ ଅନେକ ଥର ହସ ଫୁଟାଇଛି, ନିଜର କାର୍ଯ୍ୟଦକ୍ଷତା ବଳରେ ଆଗକୁ ମଧ୍ୟ ଇସ୍ରୋ ଭାରତୀୟଙ୍କୁ ଗୌରାବାନ୍ୱିତ କରାଇପାରିବ ବୋଲି ମୋଦି କହିଛନ୍ତି ।

ଖାଲି ପ୍ରଧାନମନ୍ତ୍ରୀ ନୁହନ୍ତି ଇସ୍ରୋ ପାଇଁ ସାରାଦେଶରୁ ସମବେଦନାର ସୁଅ ଛୁଟୁଛି । ଚନ୍ଦ୍ରକୁ ଛୁଇଁବାର ଆଶା ଆମର ଅସମ୍ପୂର୍ଣ୍ଣ ରହିଯାଇଥିଲେ ମଧ୍ୟ ଇସ୍ରୋ ପାଇଁ ଭାରତୀୟଙ୍କ ହୃଦୟରେ ସମ୍ମାନ ଦୁଇଗୁଣିତ ହୋଇଯାଇଛି।

ଭାରତବାସୀ ଏହାକୁ ସେମାନଙ୍କ ସଫଳତା ବୋଲି ମାନି ନେଇଥିବା ସୋସିଆଲ ମିଡିଆରେ ଜଣାଉଛନ୍ତି । କାରଣ ପ୍ରଥମ ପ୍ରୟାସରେ ଋଷର ସହଯୋଗରେ ଆମେ ଯେଉଁଠି ପହଞ୍ଚି ଥିଲେ । ବିନା ସହଯୋଗରେ ଏହିଥର ଯଥେଷ୍ଟ ଆଗରେ ପହଞ୍ଚିଛନ୍ତି । ଏହା ‘ଚନ୍ଦ୍ରାୟାନ୍- ୩’ ର ସଫଳତାର ଆଉ ଏକ ଆଭାସ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

କୋଟିକୋଟି ଭାରତୀୟଙ୍କ ଶୁଭେଚ୍ଛା ଓ ଶୁଭକାମନା ଇସ୍ରୋର ଏହି ଦୃଢ଼ମନା ବୈଜ୍ଞାନିକଙ୍କ ସହ ରହିଛି । ଦେଶପାଇଁ ସମର୍ପଣ ଭାବ ରଖି କାର୍ଯ୍ୟ ବଜାୟ ରଖିଥିବା ବୀର ବୈଜ୍ଞାନିକଙ୍କୁ ଶତ ସହସ୍ର ଶୁଭେଚ୍ଛା । ମାଟିରୁ ମହାକାଶ ଯାତ୍ରାରେ ଭାରତ ନିଶ୍ଚୟ ବିଶ୍ଵ ଇତିହାସ ରଚିବ । ଏହିଥର ଅସଫଳ ହେବାର ଅର୍ଥ ଭବିଷ୍ୟତରେ ଇସ୍ରୋକୁ ଅପେକ୍ଷା କରିଥିବା ସ୍ବର୍ଣ୍ଣିମ ସଫଳତା । ଦେଶର ଏହି ବୀର ବୈଜ୍ଞାନିକଙ୍କୁ ଖୋଲା ହୃଦୟରୁ ଶୁଭେଚ୍ଛା ଜଣାଇଛନ୍ତି କୋଟି କୋଟି ଭାରତୀୟ ।

Leave A Reply

Your email address will not be published.