Latest Odisha News

BREAKING NEWS

Govt’s big announcement: ‘ପତାକା କେଉଁ ଦେଶର ବି ହେଉ, ପ୍ରତ୍ୟେକ ଭାରତୀୟ ନାବିକଙ୍କ ଉପରେ ରହିବ ସରକାରଙ୍କ ନଜର…’, ହର୍ମୁଜ ସଙ୍କଟ ପରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଇରାନ-ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ହର୍ମୁଜ ଜଳପଥରେ ବାଣିଜ୍ୟିକ ଜାହାଜ ଉପରେ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିଦେଶୀ ପତାକା ତଳେ ଚାଲୁଥିବା ଜାହାଜ ହେଉ କି ଭାରତୀୟ ଜାହାଜ, ସମୁଦ୍ରରେ କାର୍ଯ୍ୟରତ ପ୍ରତ୍ୟେକ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ଏବେ ସରକାର ରିଅଲ୍-ଟାଇମ୍ ନଜର ରଖିବେ।

ଏହି ପଦକ୍ଷେପ ଏମିତି ସମୟରେ ଆସିଛି, ଯେତେବେଳେ ନିକଟରେ ୟୁଏଇର ଏକ ବାଣିଜ୍ୟିକ ଜାହାଜରେ କାର୍ଯ୍ୟରତ ଭାରତୀୟ କ୍ରୁ ସଦସ୍ୟ ରୋହନ କୁମାରଙ୍କ ଇରାନୀ ମିସାଇଲ୍ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତ ସରକାର ଇରାନର ରାଜଦୂତଙ୍କୁ ତଲବ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ଭାରତୀୟ ନାବିକମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ‘ସିଫେୟାରର-ଫର୍ଷ୍ଟ’ (Seafarer-First) ନାମକ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପାରସ୍ୟ ଉପସାଗର (Persian Gulf), ହର୍ମୁଜ ଜଳପଥ ଓ ଓମାନ ଉପସାଗର ଦେଇ ଯାତାୟାତ କରୁଥିବା ଯେକୌଣସି ଜାହାଜରେ ଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ତଥ୍ୟ ଭାରତ ସରକାରଙ୍କ ପାଖରେ ରହିବ, ଜାହାଜଟି କେଉଁ ଦେଶର ପତାକା ତଳେ ଚାଲୁଥିଲେ ମଧ୍ୟ।

କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି, ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ସମୁଦ୍ରରେ କାର୍ଯ୍ୟରତ ଭାରତୀୟ କ୍ରୁ ସଦସ୍ୟଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା। ସେ ଡିରେକ୍ଟରେଟ୍ ଜେନେରାଲ୍ ଅଫ୍ ଶିପିଙ୍ଗ୍ (DGS)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜାହାଜ-ଭିତ୍ତିକ ଏକ ରିଅଲ୍-ଟାଇମ୍ ଅପରେସନାଲ୍ ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉ, ଯାହା ମାଧ୍ୟମରେ ଏହି ଅଞ୍ଚଳରେ ଚଳାଚଳ କରୁଥିବା ପ୍ରତ୍ୟେକ ଜାହାଜରେ ଥିବା ଭାରତୀୟଙ୍କ ସୂଚନା ତୁରନ୍ତ ମିଳିପାରିବ।

ସରକାରୀ ପ୍ରେସ ବିଜ୍ଞପ୍ତି ଅନୁସାରେ, ଏହି ଡ୍ୟାସବୋର୍ଡରେ ନିମ୍ନଲିଖିତ ସୂଚନା ଉପଲବ୍ଧ ରହିବ,

  • ଜାହାଜର ବର୍ତ୍ତମାନ ସ୍ଥିତି (Location)
  • ଜାହାଜର ମାଲିକାନା ସମ୍ପର୍କିତ ତଥ୍ୟ
  • ଜାହାଜରେ ଥିବା କାର୍ଗୋର ବିବରଣୀ
  • କ୍ରୁ ସଦସ୍ୟଙ୍କ ସଂଖ୍ୟା
  • ଭାରତୀୟ ନାବିକଙ୍କ ସୁରକ୍ଷା ସ୍ଥିତି
  • ସମ୍ଭାବ୍ୟ ବିପଦର ଆକଳନ
  • ଜାହାଜର ପ୍ରସ୍ତାବିତ ଯାତ୍ରା ମାର୍ଗ
  • ପରବର୍ତ୍ତୀ ବନ୍ଦର (Next Port of Call)
  • ଜରୁରୀକାଳୀନ ସହାୟତା ଓ ଉପଲବ୍ଧ ସୁବିଧା

ପଶ୍ଚିମ ଏସିଆରେ ବଢ଼ୁଥିବା ସଂଘର୍ଷ ଯୋଗୁଁ ହର୍ମୁଜ ଜଳପଥରେ ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ପୁଣି ଥରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସମୁଦ୍ର ମାର୍ଗରେ କାମ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଥିଲା। ଏହି ପରିସ୍ଥିତିକୁ ଦେଖି ସରକାର ‘ସିଫେୟାରର-ଫର୍ଷ୍ଟ’ ପଦକ୍ଷେପ ଆରମ୍ଭ କରିଛନ୍ତି, ଯାହା ଜରୁରୀ ସମୟରେ ଦ୍ରୁତ ପଦକ୍ଷେପ ନେବାରେ ସହାୟକ ହେବ। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱର ଯେକୌଣସି ଜାହାଜରେ କାର୍ଯ୍ୟରତ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ସରକାର ଅଧିକ ପ୍ରଭାବଶାଳୀ ଭାବେ ନଜର ରଖିପାରିବ।

Leave A Reply

Your email address will not be published.