Latest Odisha News

BREAKING NEWS

Wangchuk’s Hunger Strike: ସଙ୍କଟରେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ, ୧୮ ଦିନ ହେଲାଣି ପାଟିକୁ ନେଇନାହାନ୍ତି ଦାନା; ‘୨ ଦିନରେ ଯାଇପାରେ ଜୀବନ!’, ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ୍

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ସାମାଜିକ କର୍ମୀ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ବୁଧବାର ୧୮ତମ ଦିନରେ ପହଞ୍ଚିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ଏହି ପରିସ୍ଥିତିରେ ତାଙ୍କୁ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରି ଆବଶ୍ୟକ ହେଲେ ଜବରଦସ୍ତି ପୁଷ୍ଟିକର ତରଳ ଖାଦ୍ୟ ବା ପୋର୍ସିଂ ଫୁଡ୍ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାଖଲ କରାଯାଇଛି।

ସାମାଜିକ କର୍ମୀ ଓ ଆଇନଜୀବୀ ରାକେଶ କୁମାର ସୈନୀ ଦାଖଲ କରିଥିବା ଏହି ପିଆଇଏଲ୍‌ରେ କୁହାଯାଇଛି ଯେ, ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଦେଖାଦେଉଛି ଏବଂ ଅନଶନ ଜାରି ରହିଲେ ଆଗାମୀ ଦୁଇ ଦିନ ମଧ୍ୟରେ ତାଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ। ତେଣୁ ତୁରନ୍ତ କୋର୍ଟ ହସ୍ତକ୍ଷେପ କରିବାକୁ ଆବେଦନ କରାଯାଇଛି।

ଅନଶନର ଆୟୋଜକମାନଙ୍କ ଦାବି ଅନୁଯାୟୀ, ଜୁନ୍ ୨୮ରୁ ଅନଶନ ଆରମ୍ଭ କରିବା ପରଠାରୁ ସୋନମ ୱାଙ୍ଗଚୁକଙ୍କ ଓଜନ ପ୍ରାୟ ୮.୫ କିଲୋଗ୍ରାମ କମିଯାଇଛି, ଯାହାକୁ ନେଇ ତାଙ୍କ ସ୍ୱାସ୍ଥ୍ୟ ଉପରେ ଚିନ୍ତା ବଢ଼ିଛି। ପିଆଇଏଲ୍‌ରେ କୁହାଯାଇଛି ଯେ, ସୋନମ ୱାଙ୍ଗଚୁକଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଭିଟାମିନ୍, ଖଣିଜ ଲବଣ ଓ ଆବଶ୍ୟକ ପୁଷ୍ଟିକର ତତ୍ତ୍ୱ ଥିବା ତରଳ ଖାଦ୍ୟ ଦିଆଯାଉ। ଆବଶ୍ୟକ ପଡ଼ିଲେ ତାଙ୍କ ସମ୍ମତି ବିନା ମଧ୍ୟ ଏପରି ଚିକିତ୍ସା କରାଯିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନରେ କୁହାଯାଇଛି, “ଯଦି ସୋନମ ୱାଙ୍ଗଚୁକଙ୍କର ମୃତ୍ୟୁ ହୁଏ, ତାହା ଦେଶ ଓ ବିଶ୍ୱ ପାଇଁ ଲଜ୍ଜାଜନକ ଘଟଣା ହେବ।”

ଏଥିସହିତ ପିଆଇଏଲ୍‌ରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ବିରୋଧରେ ଅବହେଳାର ଅଭିଯୋଗ କରାଯାଇଛି। ଆବେଦନକାରୀ କହିଛନ୍ତି, ସରକାର ସୋନମ ୱାଙ୍ଗଚୁକଙ୍କୁ ଜଣେ ଅପରାଧୀ, ଆତଙ୍କବାଦୀ କିମ୍ବା ଦେଶଦ୍ରୋହୀଙ୍କ ଭଳି ବ୍ୟବହାର କରୁଛନ୍ତି ଏବଂ ତାଙ୍କ ଜୀବନ ପ୍ରତି କୌଣସି ଚିନ୍ତା ପ୍ରକାଶ କରୁନାହାନ୍ତି। ପିଆଇଏଲ୍‌ରେ ଯୁକ୍ତି ଦିଆଯାଇଛି ଯେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ଅନଶନ ଗଣତାନ୍ତ୍ରିକ ଅଧିକାର ହୋଇଥିଲେ ମଧ୍ୟ ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସୁରକ୍ଷା କରିବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ। ଏଭଳି ପରିସ୍ଥିତିରେ ନିଷ୍କ୍ରିୟ ରହିବା ଆଇନଗତ ଦାୟିତ୍ୱର ଉଲ୍ଲଂଘନ ବୋଲି ଆବେଦନରେ ଉଲ୍ଲେଖ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଆତ୍ମହତ୍ୟାକୁ ପ୍ରେରଣା ସମ୍ବନ୍ଧୀୟ ବ୍ୟବସ୍ଥାର ମଧ୍ୟ ଉଲ୍ଲେଖ କରାଯାଇଛି।

ତେବେ ଏହି ପିଆଇଏଲ୍‌ର ଜରୁରୀ ଶୁଣାଣି ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନ୍ (DHCBA) ଜୁଲାଇ ୧୫ରେ କାର୍ଯ୍ୟ ବର୍ଜନ ଘୋଷଣା କରିଥିବାରୁ ଏହାର ଶୁଣାଣି ହେବ କି ନାହିଁ ସେନେଇ ଅନିଶ୍ଚିତତା ରହିଛି। ଜିଲ୍ଲା ଅଦାଲତର ଆର୍ଥିକ ଅଧିକାର ସୀମାକୁ ୨ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ବିରୋଧ କରି ବାର୍ ଆସୋସିଏସନ୍ ଏହି କାର୍ଯ୍ୟ ବର୍ଜନ କରିଛି।

ତେବେ କହିରଖୁଛୁ, ସୋନମ ୱାଙ୍ଗଚୁକ ଜୁନ୍ ୨୮ରୁ ଦିଲ୍ଲୀର ଜନ୍ତର ମନ୍ତରରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ବସିଛନ୍ତି। ସେ କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଆୟୋଜିତ ଆନ୍ଦୋଳନରେ ସାମିଲ ହୋଇ NEET ସହ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ କଥିତ ଅନିୟମିତତା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି।

ଏହି ମଧ୍ୟରେ ଅନେକ ବିରୋଧୀ ଦଳର ନେତା ସୋନମ ୱାଙ୍ଗଚୁକଙ୍କ ଦାବିକୁ ସମର୍ଥନ କରିଥିବା ବେଳେ ତାଙ୍କୁ ଅନଶନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ସେହିପରି ଲେଖିକା ଅରୁନ୍ଧତୀ ରାୟ, ଅଭିନେତା ନସିରୁଦ୍ଦିନ ଶାହ, ରତ୍ନା ପାଠକ ଶାହ ଏବଂ ଅର୍ଥନୀତିବିଦ୍ ଜୟତୀ ଘୋଷ ମଧ୍ୟ ତାଙ୍କ ଦାବିକୁ ସମର୍ଥନ ଜଣାଇ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି।

Leave A Reply

Your email address will not be published.