ନୂଆଦିଲ୍ଲୀ: ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୭ରେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ସାଉଥ୍ ଏସିଆନ୍ ଫେଡେରେସନ୍ ଗେମ୍ସରେ ଭାଗ ନେବା ପାଇଁ ଭାରତ ସମ୍ମତି ପ୍ରଦାନ କରିଛି । ଏହି କ୍ରୀଡ଼ା ପ୍ରତିଯୋଗିତା ୨୦୨୭ ଏପ୍ରିଲ୍ ୪ ରୁ ୧୧ ମଧ୍ୟରେ ପାକିସ୍ତାନରେ ଅନୁଷ୍ଠିତ ହେବ । ଏହି ସମ୍ମତି ଚୂଡ଼ାନ୍ତ ହେଲେ, ଦୀର୍ଘ ସମୟ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ଗସ୍ତ କରିବେ । ସାଉଥ୍ ଏସିଆନ୍ ଅଲମ୍ପିକ୍ ଆସୋସିଏସନ୍ର ଉଚ୍ଚସ୍ତରୀୟ ବୈଠକରେ ଭାରତ, ପାକିସ୍ତାନର ନିମନ୍ତ୍ରଣକୁ ସ୍ବୀକାର କରିଛି । ନିମନ୍ତ୍ରିତ ଭାରତୀୟ ଦଳରେ କେଉଁ କେଉଁ ଖେଳାଳି ସାମିଲ ହେବେ, ସେ ନେଇ ଆସନ୍ତା ଜାନୁଆରୀ ମାସରେ ସୂଚନା ଦିଆଯିବ । ପହଲଗାମ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।
ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରୀଡ଼ା ଏବଂ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ଏଭଳି ସ୍ଥିତିରେ ଭାରତୀୟ ଆଥଲେଟ୍ମାନଙ୍କର ଏହି ସମ୍ଭାବ୍ୟ ପାକିସ୍ତାନ ଗସ୍ତ ଦୁଇ ଦେଶର କ୍ରୀଡ଼ା ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି । ପାକିସ୍ତାନ ଦୀର୍ଘ ୨୩ ବର୍ଷ ପରେ କୌଣସି ବହୁମୁଖୀ କ୍ରୀଡ଼ା ପ୍ରତିଯୋଗିତା ଗେମ୍ସର ଆୟୋଜନ କରିବାକୁ ଯାଉଛି । ଏହା ପୂର୍ବରୁ ୨୦୦୪ରେ ଇସଲାମାବାଦ୍ରେ ପାକିସ୍ତାନ ଏହି ଖେଳର ଆୟୋଜନ କରିଥିଲା । ୨୦୨୭ରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୮ଟି କ୍ରୀଡ଼ାରେ ପ୍ରତିଯୋଗିତା ହେବ । ଭାରତ ପକ୍ଷରୁ ସମ୍ମତି ମିଳିବା ପରେ ପାକିସ୍ତାନରେ ପ୍ରସ୍ତୁତି ଜୋରଦାର ହୋଇଛି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇଶାକ୍ ଡାର ଏହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

