Latest Odisha News

BREAKING NEWS

ଆଡ଼ିଲେଡ୍ ଟେଷ୍ଟର ୨ୟ ଦିବସରେ ଭାରତୀୟ ବୋଲରଙ୍କ କମାଲ୍ , ଅଷ୍ଟ୍ରେଲିଆ ୧୯୧/୭

ଆଡ଼ିଲେଡ: ନାଟକୀୟ ସ୍ଥିତିରେ ଚାଲିଛି ବହୁ ପରୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ । ମ୍ୟାଚର ୨ୟ ଦିବସରେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇନପାରି କଙ୍ଗାରୁ ଦଳ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ।

ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୭ ୱିକେଟ ବିନିମୟରେ ୧୯୧ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ୧ମ ଇନିଂସରେ ଘରୋଇ ଦଳ ୫୯ ରନର ପଛରେ ରହିଛି ।

ଭାରତୀୟ ବୋଲରମାନେ କଙ୍ଗାରୁ ଦଳକୁ ଟେଷ୍ଟ ମ୍ୟାଚର ୨ୟ ଦିବସରେ ଏକରକମ କବଜା କରି ରଖିଛନ୍ତି । ଅଷ୍ଟ୍ରେଲିଆ ଦଳ ବିଶାଳ ୧ମ ଇନିଂସ ସ୍କୋର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଆକ୍ରମଣରେ ଧରାଶାୟୀ ହୋଇ ପଡ଼ିଛି । ଫିଞ୍ଚ୍ କୌଣସି ରନ୍ କରିବା ପୂର୍ବରୁ ଇଶାନ୍ତ ଶର୍ମା ତାଙ୍କୁ ବୋଲ୍ଡ କରିଦେଇଥିିଲେ । ଅଷ୍ଟ୍ରେଲିଆର ମୂଲ୍ୟବାନ ୪ଟି ୱିକେଟ ମାତ୍ର ୮୭ ରନ ମଧ୍ୟରେ ପଡ଼ିଯାଇଥିଲା । ହ୍ୟାରିସ ଓ ଖ୍ୱାଜା ପିଚରେ ବେଶ୍ ଜମି ଆସୁଥିବା ବେଳେ ଅଶ୍ୱିନଙ୍କ ସ୍ପିନ ବଲରେ ଉଭୟ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିଲେ ।

ଭାରତୀୟ ବୋଲର୍ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ୱିକେଟ, ବୁମରା ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଦ୍ୱିତୀୟ ଦିବସର ସମାପ୍ତି ବେଳକୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ଼ ୬୧ ରନ ଏବଂ ମିଚେଲ୍ ଷ୍ଟାର୍କ ୮ ରନ କରି ଅପରାଜିତ ରହିଛନ୍ତି ।

ଭାରତର ପ୍ରଥମ ଇନିଂସ ସ୍କୋର ୨୫୦ ଜବାବରେ ଅଷ୍ଟ୍ରେଲିଆ ୨ୟ ଦିବସ ଖେଳ ଶେଷ ସୁଦ୍ଧା ୧୯୭/୭ କରିବା ଫଳରେ ୫୯ ରନ ପଛରେ ରହିଛି ।

Leave A Reply

Your email address will not be published.