Latest Odisha News

୧୯ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍: ଆଜି ଭାରତ-ଇଂଲଣ୍ଡ ଫାଇନାଲ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜି ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ୍ । ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଚଳିତ ବିଶ୍ୱକପରେ ଦୁଇ ଦଳ ଅପରାଜେୟ ଅଛନ୍ତି । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୬ଟାରୁ ଆରମ୍ଭ ହେବ । ୮ ଥର ଫାଇନାଲିଷ୍ଟ ଟିମ୍ ଇଣ୍ଡିଆ । ୪ ଥର ବିଶ୍ୱକପ୍ ଚାମ୍ପିଅନ୍ । ୨୦୧୬ରୁ ଲଗାତାର ଚତୁର୍ଥ ଥର ଫାଇନାଲ୍ ଯାଇଛି । ପଞ୍ଚମ ଟ୍ରଫି ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଅଧିନାୟକ ୟଶ ଧୂଳଙ୍କ ନେତୃତ୍ୱରେ ଶକ୍ତିଶାଳୀ ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରି ଆସିଛି । ସେମିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରିଥିବାରୁ ଦଳର ମନୋବଳ ଦୃଢ଼ ରହିଛି । ସେହିପରି ଅଧିନାୟକ ୟଶ ଧୂଳ ଜବରଦସ୍ତ ଫର୍ମରେ ଅଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୦ ରନ୍ ପିଟିଥିଲେ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବି ଅର୍ଦ୍ଧଶତକ ମାରିଥିଲେ ।
ୟଶ ଧୂଳଙ୍କ ସହ ଉପଅଧିନାୟକ ସେକ୍ ରସିଦ ବି ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ସେ ୯୪ ରନ୍ ପିଟିଥିଲେ । ୟଶ ଧୂଳ ଓ ରସିଦଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ଓପ୍‌ନର ରଘୁବଂଶୀ, ହର୍ଣ୍ଣୁର ସିଂହ, ମଧ୍ୟକ୍ରମରେ ୱିକେଟ୍‌ କିପର ଦୀନେଶ ବାନା, ନିଶାନ୍ତ ସିନ୍ଧୁ, ରାଜ୍‌ ବୱା ଦ୍ରୁତ ରନ୍‌ ସଂଗ୍ରହର ସାମର୍ଥ୍ୟ ରଖିଛନ୍ତି । ବୋଲିଂରେ ବି ଭଲ ପ୍ରଦର୍ଶନ କରୁଛି ଟିମ୍ ଇଣ୍ଡିଆ । ଗତକାଲି ଭାରତୀୟ ଦଳକୁ ଟିପ୍ସ ଦେଇଥିଲେ ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ।
ଅନ୍ୟପଟେ ୨୪ ବର୍ଷ ପ‌ରେ ବିଶ୍ୱକପ୍ ଫାଇନାଲ୍‌ ପ୍ରବେଶ କରିଛି ଇଂଲଣ୍ଡ । ଏଥର ବିଜେତା ହେବା ଲକ୍ଷ୍ୟରେ ବି ରହିଛି ଇଂଲିଶ ବାହିନୀ । ୧୯୯୮ରେ ଓଏସିସ୍‌ ଶାହାଙ୍କ ନେତୃତ୍ୱରେ ଶେଷଥର ବିଶ୍ୱକପ୍ ବିଜେତା ହୋଇଥିଲା ଇଂଲଣ୍ଡ । ୨୪ ବର୍ଷ ଅପେକ୍ଷାର ଅନ୍ତ କରିବା ଲକ୍ଷ୍ୟରେ ରହିଛି ଇଂଲିଶ ଦଳ । ସେମି ଫାଇନାଲରେ ଆଫ୍ଗାନିସ୍ତାନକୁ ହରାଇ ପାଇନାଲ୍ ଟିକେଟ ହାତେଇଥିଲା ।

Comments are closed.