ଆଜି ଫାଇନାଲ: ଜିତିବା ପାଇଁ ଲଢ଼ିବେ ପନ୍ଥବାହିନୀ
ବାଙ୍ଗାଲୋର: ଲଗାତାର ୨ଟି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଭାରତ ଆଜି ଫାଇନାଲ ଖେଲିବ । ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୭ ଓ ୮୨ ରନ୍ର ବଡ଼ ବ୍ୟବଧାନରେ ହରାଇଥିବାରୁ ପନ୍ଥବାହିନୀର ମନୋବଳ ବୃଦ୍ଧି ପାଇଛି । ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ଥିବାରୁ ଆଜିର ଫାଇନାଲ ହେବ କଡା ମୁକାବିଲା ।
ଦକ୍ଷିଣ ଆଫ୍ରିକା ବିରୋଧରେ ଆଜି ୫ମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ ଭାରତ। ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ ସେହିଦଳ ଟ୍ରଫି ହାତେଇବ। ଭାରତ ପକ୍ଷରୁ ଓପନର ଋତୁରାଜ ଗାଏକ୍ୱାଡ୍ ଙ୍କୁ ଆଜି ଭଲ ଆରମ୍ଭ କରିବାକୁ ପଡିବ । ପାଓ୍ବାର ପ୍ଲେରେ ଭଲ ଆରମ୍ଭ ହିଁ ଦଳକୁ ଜିତାଇବା ପାଇଁ ବଡ଼ ସୁଯୋଗ ଆଣିଦେବ । ସେପଟେ ଈଶାନ୍ କିଶନ ଏବେ ଶ୍ରେଷ୍ଠ ଫର୍ମରେ ଅଛନ୍ତି। ତାଙ୍କୁ ରୋକିବା ସାଉଥ ଆଫ୍ରିକା ବୋଲରଙ୍କ ପାଇଁ କାଠିକର ପାଠ ହୋଇପାରେ । ସେ ଯଦି ଛକା ଚଉକା ବର୍ଷା କରନ୍ତି ତେବେ ଭାରତ ପାଇଁ ଭଲ ସୁଯୋଗ ରହିବ । ମଧ୍ୟକ୍ରମରେ ଶ୍ରେୟସ ଆୟର ଏବଂ ଋଷଭ ପନ୍ଥଙ୍କୁ ସେମାନଙ୍କ ଦାୟିତ୍ବ ବୁଝିବାକୁ ପଡିବ । ନିଜ ଉଇକେଟ କୁ ପନ୍ଥ ଯେଉଁଭଳି ଭାବେ ବୁଝିବା କଥା ତାହା ତାଙ୍କୁ ଆଜିର ମ୍ୟାଚରେ ବୁଝି ମହତ୍ବପୂର୍ଣ୍ଣ ଇନିଂଶ ଖେଳିବାକୁ ପଡିବ । ଶ୍ରେୟସ ମଧ୍ୟ ବଡ଼ ପାଳି ଖେଳିବାକୁ ଚେଷ୍ଟା କରିବେ ।
ତେବେ ଭାରତ ପାଇଁ ସବୁଠୁ ପ୍ଲସ ପଏଣ୍ଟ ହେଉଛି ସ୍ଲଗ୍ ଓଭରରେ ଦିନେଶ କାର୍ତ୍ତିକଙ୍କ ବ୍ୟାଟ ଚାଳନା । ତାଙ୍କ ବ୍ୟାଟ ଯେପରି ଆଇପିଏଲ ଖେଳଠାରୁ ଚାଲୁଛି ତାକୁ ଦେଖିଲେ ଲାଗୁଛି ସେ ହିଁ ଫିନସର ହେବେ ଭାରତ ପାଇଁ । ଏହା ମଧ୍ୟ ଭାରତ କ୍ରିକେଟ ପାଇଁ ଭଲ ଉଦାହରଣ ହେବ । ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ମଧ୍ୟ ବେଶ ପ୍ରଶଂସନୀୟ । ଦ୍ରୁତ ରନ୍ କରିବାରେ ପାଣ୍ଡ୍ୟା ମାହିର । ସେ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଏସବୁ ଦେଖିଲେ ଭାରତ ନିଶ୍ଚୟ ଆଜି ଭଲ ଖେଳିବ ।
ଏହା ସହିତ ଭାରତ ପାଇଁ ଦୁଇ ପେସ୍ ବୋଲର ଆଭେସ୍ ଖାଁ ଓ ହର୍ଷଲ ପଟେଲ ଏବେ ଫର୍ମ ଫେରି ପାଇଛନ୍ତି। ନୂଆ ବଲ୍ରେ ଭୁବନେଶ୍ବର କୁମାରଙ୍କୁ ଦକ୍ଷିଣ ଆଫ୍ରିକା ଖେଳାଳି ଖେଳିପାରୁନାହାଁନ୍ତି । ଦଳର ୨ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି ।
ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ଆଜିର ମ୍ୟାଚ ଜିତିବାକୁ ପ୍ରାଣପଣେ ଉଦ୍ୟମ କରିବ । ପ୍ରଥମ ୨ ମ୍ୟାଚ୍ର ହିରୋ ରାସି ଭାନ୍ ଡର ଡ୍ୟୁସେନ୍, ଡେଭିଡ୍ ମିଲର ଓ ହେନ୍ରିକ୍ କ୍ଲାସେନ୍ ଆଜିର ମ୍ୟାଚରେ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତା ଆଣିବାକୁ ନିଶ୍ଚୟ ଚେଷ୍ଟା କରିବେ । ଗତ ୨ଟିଯାକ ମ୍ୟାଚ୍ରେ ଭଲ ଖେଳୁଥିବାରୁ ଭାରତୀୟ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କ୍ଷୀଣ। ତେମ୍ବା ବଭୁମା ଆହତ ହୋଇଥିବାରୁ ସେ ଆଜି ଖେଳିବେ କି ନାହିଁ ତାହା ଜଣାପଡିନଥିବା ବେଳେ ତାଙ୍କ ସ୍ଥାନରେ ରିଜା ହେଣ୍ଡ୍ରିକ୍ସ ଇନିଂସ ଓପନ୍ କରିବେ ବୋଲି ଚର୍ଚା ହେଉଛି । ଯଦି କାଗିସୋ ରାବାଡା ଆଜି ଖେଳନ୍ତି ତେବେ ଭାରତର ଶୀଘ୍ର ଉଇକେଟ ଖସାଇବାକୁ ଚେଷ୍ଟା କରିବେ ନିଶ୍ଚୟ । କ୍ବିଣ୍ଟନ ଡି କକ୍ ଙ୍କ ଠାରୁ ଦଳ ଯେପରି ଆଶା କରୁଛି ତାହା ସେ ଦେଖାଇପାରିନଥିବାରୁ ଦଳ ତାଙ୍କଠାରୁ ମଧ୍ୟ ଅଧିକ ଆଶା ରଖିବ । ବାଙ୍ଗାଲୋର ଚିନ୍ନାସ୍ବାମୀ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ଏବଂ ଛୋଟ ବାଉଣ୍ଡରୀ ଯୋଗୁଁ ଅଧିକ ରନ୍ ହେବାର ସଂଭାବନା ରହିଛି । ମ୍ୟାଚ ସଂଧ୍ୟା 7ଟା 30ରେ ଆରମ୍ଭ ହେବ । ଆଜିର ମ୍ୟାଚକୁ ନେଇ ଭାରତୀୟ ପ୍ରଶଂସକମାନେ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି ।
Comments are closed.