Latest Odisha News

ଅନୁବାଦ ଗଳ୍ପ : ବିଭାଜନ

ଆଧୁନିକ ହିନ୍ଦୀ କଥା ସାହିତ୍ୟର ଜଣେ ସୁପରିଚିତ ଶିଳ୍ପୀ । ବହୁ ଗଳ୍ପ ସଙ୍କଳନ ଓ ଉପନ୍ୟାସର ସ୍ରଷ୍ଟା ସ୍ୱୟମ୍‍ ପ୍ରକାଶ ଦେଶ ବିଭାଜନ କଥାବସ୍ତୁ ଉପରେ ଅନେକ ମନୋଜ୍ଞ କାହାଣୀ ଏବଂ ଉପନ୍ୟାସ ରଚନା କରିଛନ୍ତି । ସାମାଜିକ ଶୋଷଣ ବିରୁଦ୍ଧରେ ଲେଖନୀ ଚାଳନା କରିଥିବା ଏହି ଲେଖକଙ୍କ କୃତିରେ ପାଠକ ସାମାଜିକ ସଂହତି ଓ ଭାଇଚାରା ରକ୍ଷାର ଭାବନା ଦେଖିବାକୁ ପାଇଥାନ୍ତି । ନିଜ ରାଜ୍ୟ ରାଜସ୍ଥାନ ସମେତ ଜାତୀୟ ସ୍ତରରେ ଅନେକ ସମ୍ମାନର ଅଧିକାରୀ ଶ୍ରୀ ପ୍ରକାଶଙ୍କର ୨୦୧୯ ମସିହା ଡିସେମ୍ବର ୦୭ ତାରିଖ ଦିନ ପରଲୋକ ଘଟିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୯ 

ମୂଳ ହିନ୍ଦୀ: ସ୍ୱୟମ୍ ପ୍ରକାଶ

ଆପଣମାନେ କୁର୍ବାନ ଭାଇ ନାଁ ଶୁଣିଛନ୍ତି? ଆମ ଏଇ ଛୋଟିଆ ଟାଉନରେ ସେ ହେଲେ ଜଣେ ଅତି ପରିଚିତ ଓ ସମ୍ମାନାସ୍ପଦ ଲୋକ । ଆମ ଟାଉନର କେନ୍ଦ୍ରସ୍ଥଳ ହେଲା ଆଜାଦ ଚୌକ, ଆଉ ସେଇଠି କୁର୍ବାନ ଭାଇଙ୍କର ଛୋଟିଆ ଦୋକାନଟିଏ ଥିଲା । ନିଜ କମିଜ ଓ ପାଇଜାମା ପିନ୍ଧି ସେ ତାଙ୍କ ଦେକାନରେ ସଦାବେଳେ କିଛି ବିକାବିକି କରୁଥିବାର ଯେକେହି ଲକ୍ଷ୍ୟ କରିପାରିବେ । ସଦାବେଳେ ତାଙ୍କ ଦୋକାନରେ ପିଲାଠାରୁ ବୟସ୍କ ସବୁ ବୟସର ଗ୍ରାହକଙ୍କ ଭିଡ଼ ଲାଗିଥିବ । ସେଇମାନଙ୍କ ଗହଣରେ କୁର୍ବାନ ଭାଇ ତାଭ୍‌କ ବେଉସାରେ ଲାଗିଥିବେ । ଆଉ ଯେତେବେଳେ ଦୋକାନରେ କେହି କ୍ରେତାନଥିବେ ସେ ମୁହଁକୁ ତଳକୁ ପୋତି ବସିଥିବେ ଓ କିଛି ଲେଖାଲେଖି କି ପଢ଼ାପଢ଼ି କରୁଥିବେ । ତା’ରି ଭିତରେ ଆଙ୍ଗୁଠିରେ ସେ ଚଷମାକୁ କେତେବେଳେ ଉପର ତଳ କରୁଥିବେ ତ ଆଉ କେତେବେଳେ ନିଜ ଆଙ୍ଗୁଳିକୁ ମୁଣ୍ଡର ଅଲରାବାଳ ଉପରେ ଚଲାଇ ଆଣୁଥିବେ । ତାଙ୍କ ଦୋକାନକୁ ସଦାବେଳେ ସମସ୍ତଙ୍କୁ ଯେମିତି ସ୍ୱାଗତ ଆମନ୍ତ୍ରଣ ଥିଲା । ତାଙ୍କ ଦୋକାନର ଯେକୌଣସି ସାମଗ୍ରୀର ଦର ଉପରେ
ସମସ୍ତଙ୍କର ଅଖଣ୍ଡ ବିଶ୍ୱାସ । ଏପରିକି ଓଜନ ଓ ସେଇ ବସ୍ତୁର ଗୁଣାତ୍ମକ ମାନ ଉପରେ ସୁଦ୍ଧା କାହାରି ତିଳେହେଲେ ଅବିଶ୍ୱାସ
ନଥିଲା । ଯଦି କୌଣସି ଜିନିଷ ଭଲ କି ମନ୍ଦ, ସେ ସମ୍ପର୍କରେ ସେ ନିଜେ ନିଶ୍ଚିତ ନୁହନ୍ତି ତା’ହେଲେ ସେ ଗ୍ରାହକଙ୍କୁ ତାହା କଦାପି ବିକିବେନାହିଁ । ଜିନିଷ ପଛେ ପୋକଲାଗି ଅବା ପଚିସଢ଼ି ନଷ୍ଟ ହେଉ, ଗ୍ରାହକଙ୍କୁ ନଠକିବା ହେଲା କୁର୍ବାନ ଭାଇଙ୍କ ନୀତି ।

‘ଗୋଲମରିଚ? ନାଇଁ ଭାଇ, ଇଏ ତୁମ ଲାଗି ନୁହେଁ । ଏଥିରେ ରଙ୍ଗ ଦିଆଯାଇଛି । ‘ତେଲ? କାଇଁକି କେଜାଣି ଭଲ ଲାଗୁନି । ରେପସିଡ୍ ତେଲ ଭେଜାଲ ହେଇଚି କି କ’ଣ? ଏ ତେଲକୁ ବରଂ ଦୀପ ଜାଳିବା ଲାଗି ଯଦି ନେବାକୁ ଚାହୁଁଛ ନେଇପାର, ଖାଇବାପାଇଁ ନୁହେଁ ।’

କୁର୍ବାନ ଭାଇଙ୍କ ଦୋକାନ ଚାରିକଡ଼କୁ ଲାଗି ସିନ୍ଧୀ ଓ ମାରୱାଡ଼ିମାନଙ୍କର ବଡ଼ ବଡ଼ ଭୁଷାମାଲ ଦୋକାନ ଥିଲା । କିନ୍ତୁ କୁର୍ବାନ ଭାଇ ଦୋକାନରୁ ଯିଏ ଥରେ ଜିନିଷ କିଣିଛି ସିଏ ଆଉ କେଉଁ ଦୋକାନକୁ ଯିବନି । ସେ ଯେତିକି ସଚ୍ଚୋଟ ସେତିକି ନିର୍ଭରଯୋଗ୍ୟ । ତା’ଛଡ଼ା ଲୋକମାନଙ୍କୁ ସେ ବାକିବୁକର ବି ଦେଉଥିଲେ ।

ହେଲେ ସାବଧାନ! କୁର୍ମାନ ଭାଇ ଦୋକାନରୁ କୌଣସି ଜିନିଷ କିଣିଲେ ସେ ଦେଇଥିବା କାଗଜ ଠୁଙ୍ଗା କି ହିସାବ ଚିରକୁଟକୁ ଭୁଲରେ ସୁଦ୍ଧା ଫିଙ୍ଗିଦେବନି । ଏମିତି ହୋଇପାରେ ସେଇ ଛୋଟ କାଗଜ ଖଣ୍ଡିକରେ କି ଠୁଙ୍ଗା ପିଠିାରେ କେଇଧାଡ଼ି ହୃଦୟସ୍ପର୍ଶୀ କି ରକ୍ତକୁ ଗରମ କରିଦେଲାଭଳି କବିତା ପଙ୍‌କ୍ତି ତୁମ ଆଖିରେ ପଡ଼ିଯିବ! ସବୁଲୋକ ତାଙ୍କୁ କେତେଥର ଅନୁରୋଧ କରିଥିବେ ଯେ ଏସବୁ ସଂପଦକୁ ସେ ଗୋଟିଏ ଟିପାଖାତାରେ ଲେଖି ରଖନ୍ତୁ । କୁର୍ବାନ ଭାଇ ସମସ୍ତଙ୍କ କଥା
ଶୁଣନ୍ତି, ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରକଟ କରନ୍ତି ଓ ପୁଣି ଭୁଲିଯାଆନ୍ତି । ହଜେଇଥିବା କବିତା ପଙ୍‌କ୍ତିୁ ନପାଇ ମନଦୁଃଖ କରନ୍ତି । କିନ୍ତୁ ନିଜ ଅଭ୍ୟାସ ଛାଡ଼ି ପାରନ୍ତିନି । ସେଇ ମନଛୁଆଁ କବିତା ପଙ୍‌କ୍ତି ମାଧ୍ୟମରେ ହିଁ କୁର୍ବାନ ଭାଇଙ୍କ ସହିତ ମୋର ପ୍ରଥମ ପରିଚୟ ହୋଇଥିଲା । ଅଫିସରୁ ଫେରିଲାବେଳେ ତାଙ୍କ ଦୋକାନରୁ କିଛି ଗୋଟିଏ ଜିନିଷ ମୁଁ କିଣିଥିଲି । ସେଇ ଠୁଙ୍ଗାରେ ତାଙ୍କ ହାତଲେଖା ଦି’ଧାଡ଼ି ଥିଲା- ଫକତ୍ ପାସ୍‌-ଇ ୱଫାଦାରୀ ହୈ, ବର୍‌ନା କୁଛ୍ ନହିଁ ମୁସକିଲ୍‌ ବୁଝା ସକ୍‌ତା ହୁଁ ଅଙ୍ଗାରେ, ଅଭି ଆଖୋଁ ମେଁ ପାନି ହୈ ।

ଆପଣ ଭାବୁଛନ୍ତି କି ଏମିତି ଭୁଷାମାଲ ଦୋକାନ କରି ସେ ଲୋକଟି ନିଜ ଜୀବନକୁ ବରବାଦ କରୁଥିଲେ ବୋଲି? ସେଇଠି ତ କାହାଣୀର ଅସଲ ମଞ୍ଜି ରହିଚି । କୁର୍ବାନ ଭାଇଙ୍କ ବାପାଙ୍କର ଆଜମେର ସହରରେ ଗୋଯିଏ ବଡ଼ ରଙ୍ଗ ପାଉଡର ଦୋକାନ ଥିଲା । ଭାରତ ଭଲ ବ୍ୟବସାୟ ବି ହେଉଥିଲା । ତାଙ୍କର ସେ ସହରରେ ଦିଓଟି ଘର – ଘର ନୁହେଁ ତ ମହଲ -ଥିଲା । ଆଉ ନୟା ବଜାରରେ ସେଇ ବିରାଟ ଦୋକାନ । ସେତେବଳେ ତାଙ୍କ ଘରେ ସାତ ସାତ ଜଣ ଚାକର ଥିଲେ । ନିଜର ଘୋଡ଼ାଗାଡ଼ି ସାଙ୍ଗକୁ ବେବି ଅଷ୍ଟିନ୍ କାର୍ ସଦାବେଳେ ତାଙ୍କ ଘର ଆଗରେ ଠିଆ ହୋଇଥିବ । ସେମାନେ ଗୋଟିଏ ଯୌଥ ପରିବାରରେ ରହୁଥିଲେ । ତାଙ୍କ ବାପା ଥିଲେ ମୌଲାନା ଅବୁଲ କାଲାମ ଆଜାଦଙ୍କର ଜଣେ ମୁଗ୍ଧ ପ୍ରଶଂସକ । ସେତେବେଳର ଆଉ ନାମୀଦାମୀ ନେତାମାନେ ଆଜମେରକୁ ଆସିଲେ ତାଙ୍କରି ଘରେ ରହୁଥିଲେ । ସେତେବେଳେ କୁର୍ବାନ ଭାଇ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିରେ ପଢ଼ୁଥିଲେ । ଦୁନିଆରେ କୌଣସି କଥା ପାଇଁ କୁର୍ବାନ ଭାଇଙ୍କର ଚିନ୍ତା ନଥିଲା । ଏପରିକି ନିଜ ଭବିଷ୍ୟତ କି ବୁଢ଼ା ବୟସ ପାଇଁ ସୁଦ୍ଧା ନୁହେଁ । କେବଳ ପ୍ରେମ, କବିତା ଆଉ ସ୍ୱପ୍ନ ଦେଖି ଦେଖି ସେ ଜୀବନକୁ ତିଳେ ତିଳେ ଉପଭୋଗ କରି ଚାଲିଥିଲେ । ହଷ୍ଟେଲ ଜୀବନ ମାନେ ତ ଏଇଆ ।

ତା’ପରେ ଆସିଲା ଦେଶ ବିଭାଜନ । ଚାରିଆଡ଼େ ଦଙ୍ଗା ବ୍ୟାପିଲା- ଦୋକାନ ବଜାର ପୋଡ଼ି ସାଙ୍ଗକୁ ବନ୍ଧୁ ପରିଜନ ପାକିସ୍ତାନ ପଳେଇଲେ । କୁରବାନ ଭାଇଙ୍କର ଦି’ ଦି’ଟା ଭେଣ୍ଡା ଭାଇ ଦଙ୍ଗାରେ ପ୍ରାଣ ହରାଇଥିଲେ । ଘରୁ ଜିନିଷପତ୍ର ନେଇ ଚାକରବାକରମାନେ ଚମ୍ପଟ ପାରିଲେ । କିଛି ଉପାୟ ନପାଇ ଶେଷରେ କୁର୍ବାନ ଭାଇ ନାଗପୁର ପଳେଇଗଲେ । ସେଠାରୁ ମେରହଟା ଆଉ ତା’ପରେ ଟୋଙ୍କ୍ । ହେଲେ କେଉଁଠି ଭଲା ଶାନ୍ତି ଅଛି, ନିରାପତ୍ତା ମିଳୁଛି? ପାକିସ୍ତାନରେ ମିଳିବ? ନା, ସେପାକିସ୍ତାନ ନଯିବାକୁ ସ୍ଥି କଲେ । ଭାବିଲେ, ଜୋସ୍‌ (ମଲିହାବାଦୀ) ସା’ବ୍ ତ ପଳେଇନାହାନ୍ତି; ସୁରେୟା ତ କାହିଁ ଯାଇନାହାନ୍ତି? କୁର୍ବାନ ଭାଇ ଭଲ ପାଉଥିବା ଏମିତି ଅନେକ ଲୋକ ପାକିସ୍ତାନ ଯିବାକୁ ଚାହିଁନଥିଲେ । ତା’ହେଲେ ସିଏ କାଇଁକି ଭଲା ଯିବେ?

କୁର୍ବାନ ଭାଇ କିନ୍ତୁ ନିଜପାଇଁ ଖଣ୍ଡିଏ କର୍ମସାସ୍ଥାନ ଯୋଗାଡ଼ କରି ପାରିନଥିଲେ । ସେତେବେଳେ ମୁସଲମାନ ଲୋକଙ୍କ ପାଇଁ ଚାକିରୀ ଖଣ୍ଡେ ଯୋଗାଡ଼ କରିବା କାଠିକର ପାଠ ଥିଲା । କୁର୍ବାନ ଭାଇକୁ ପଚାରେ କିଏ? ଧୀରେ ଧୀରେ ସବୁ ଘରକରଣା ଜିନିଷପତ୍ର ବିକ୍ରିବଟା ସରିଲା । ସେଇ ଟଙ୍କାରେ କିଛି ଦିନ ଚଳିଗଲା । କୁର୍ବାନ ଭାଇ ତ ଦରପାଠୁଆ । ସେ ଅଧାରୁ ପାଠ ଛାଡ଼ିଥିଲେ । ତାଙ୍କ ପାଖରେ ବିଶ୍ୱବିଦ୍ୟାଳୟର ନା ଡିଗ୍ରୀ ଥିଲା ନା ସାର୍ଟିଫିକେଟ୍ । ତେଣୁ ଅଗତ୍ୟା ସିଏ ଜଣେ ମାରୱାଡ଼ି ଶେଠ ପାଖରେ ଚାକିରୀ କଲେ । କିନ୍ତୁ ତାଙ୍କ ସଚ୍ଚୋଟପଣିଆ, ଆଦର୍ଶ ଓ ନିଷ୍ଠା କୁର୍ବାନ ଭାଇପାଇଁ କାଳ ସାଜିଲା । କିଛି ଦିନ ପରେ ଶେଠ ତାଙ୍କୁ ଚାକିରୀରୁ ବିଦା କରିଦେଲେ ।

ଏବେ କୁର୍ବାନ ଭାଇଙ୍କ ପାଇଁ ଦିନକୁ ଦିନ ପରିସ୍ଥିତି ବେଶ୍‌ ଜଟିଳ ହେବାକୁ ଲାଗିଲା । ଯଦି ସେ ହିନ୍ଦୁମାନଙ୍କ ସାଙ୍ଗରେ ଭାବଦୋସ୍ତି କଲେ, ତା’ହେଲେ ନିଜ ଧର୍ମର ଲୋକେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କଲେ । ଆଉ ଯଦି ସେ ମୁସଲମାନ ଭାଇମାନଙ୍କ ସହିତ ଅଧିକ ମିଶାମିଶି ବଢ଼େଇଲେ, ତା’ହେଲେ ମୁସଲିମ୍ ଲିଗଙ୍କ ଧର୍ମୀୟ ଉନ୍ମାଦନା ସଂପର୍କରେ ଅନ୍ୟ ଧର୍ମର ଲୋକମାନେ ତାଙ୍କ ପଚରାଉଚରା କଲେ । ଏମିତି ଦ୍ୱନ୍ଦ୍ୱ ଭିତରେ ତାଙ୍କର ଭାଗ୍ୟ ବିପର୍ଯ୍ୟୟ ଘଟି ଚାଲିଥିଲା । ତେଣୁ ଗୁଜରାଣ ମେଣ୍ଟାଇବାଲାଗି ତାଙ୍କୁ କିଛି କାମ ଖୋଜିବାକୁ ପଡ଼ିଲା ।

ପ୍ରର୍ଥମ ସେ ଦିନ ମଜୁରିଆ ଭାବେ କାମ ଆରମ୍ଭ କଲେ । ତା’ପରେ କୁଲି ହେଲେ । ତା’ପରେ ଗୋଟିଏ ଘରକରଣା ଜିନିଷ ମରାମତି ଦୋକାନରେ ମିସ୍ତ୍ରୀ ଭାବେ ଚାକିରୀ କଲେ । ତା’ପରେ ଟାୟାର ପଙ୍କ୍‌ଚର୍ ଦେକାନରେ, ଛତା ମରାମତି ଦୋକାନରେ, ଲଣ୍ଠନ ଝଳେଇ ଦୋକାନରେ, ଚୁନରୀ- ବନ୍ଦେଜ୍ ରଙ୍ଗକରା ଦୋକାନରେ ଆଉ ହାତୀଦାନ୍ତର ଶଙ୍ଖା ତିଆରି କାରଖାନାରେ । ସେଥିପାଇଁ ତାଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ବାରବୁଲାଙ୍କ ପରି ଘୂରି ବୁଲିବାକୁ ପଡ଼ିଲା ।

ଏବେ କେବଳ ସଂକୀର୍ଣ୍ଣ ଧର୍ମାନ୍ଧ ଲୋକଙ୍କ ଆଡ଼ୁ ତାଙ୍କ ପ୍ରତି ବିପଦ ନଥିଲା । ତା’ସାଙ୍ଗକୁ ଅନ୍ୟ ମେକାନିକ୍‌ମାନେ ବି ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା, ଈର୍ଷା କରିବା ଆରମ୍ଭ କଲେ । ଭାଗ୍ୟ ତାଭ୍‌କ ସହ ଖେଳ ଖେଳିବାକୁ ଲାଗିଲା । ସିଏ ଯେଉଁଥିରେ ହାତ ଦେଲେ, ତାହା ତାଙ୍କ ହାତରୁ ଖସିଯିବାପରି ଲାଗିଲା । ଏଇ ଭିଡ଼ ଓ ଠେଲାପେଲା ଭିତରେ କିଛି ଦିନ ବିତିଗଲା । ତା’ରି ଭିତରେ କେବେ ଓ କେମିତି ଅସ ଆସି ଏ ସହରରେ ପାଦ ଦେଇଥିଲେ ସେକଥା ତାଙ୍କ ବି ଜଣାନଥିଲା । ଏଇଠି ସେ ଜଣେ ଧର୍ମପ୍ରାଣ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କ ଠାରୁ ପଚାଶ ଟଙ୍କା ଉଧାର ନେଇ ଏଇ ଦୋକାନଟି ଆରମ୍ଭ କରିଥିଲେ । ଦୋକାନରେ ଜିନିଷ କହିଲେ କେଇବସ୍ତା ଚାଉଳ ଆଉ ଡାଲି, ଦିଆସିଲି, ବିଡ଼ି ଓ ସିଗାରେଟ କେଇ ମୁଠା ସାଙ୍ଗକୁ କେଇଟା ଚକୋଲେଟ୍ ଡବା ।

କେମିତି କହିବି, କ’ଣ ଅବା କହିବି- ଜଣେ ଲୋକର ପେଟପାଟଣା, ଯନ୍ତ୍ରଣା ଆଉ ସଂଘର୍ଷର କାହାଣୀ? କେମିିତି ଭଲା ଶବ୍ଦରେ କି ବାକ୍ୟରେ ଏ କାହାଣୀ ବଖାଣି ହେବ? ଏହା ସେ ବ୍ୟକ୍ତିଙ୍କ ପ୍ରତି କେବଳ ଅନ୍ୟାୟ ହେବନି ବରଂ ତାଙ୍କ ସଂଘର୍ଷ ପ୍ରତି ଅପମାନ ଭଳି ହେବ । ତାଙ୍କ ପ୍ରତି ଉପହାସ କଲାପରି ହେବ । କିନ୍ତୁ ମୋ ପାଖରେ ଅବା ଆଉ କି ବିକଳ୍ପ ଅଛି? ହେଲେ ମୁଁ ଯେଉଁ କାହାଣୀ ବଖାଣୁଛି ତାହା ଭିନ୍ନ ।

ଯେତେବେଳେ ତାଙ୍କ ବେପାରରେ କିଛିଟା ଉନ୍ନତି ଘଟିଲା କୁର୍ବାନ ଭାଇ ଖଣ୍ଡେ ଦି’ଖଣ୍ଡ ଖବରକାଗଜ ଓ କେଇଟା ପତ୍ରପତ୍ରିକା ମଗେଇଲେ । ମୁଣ୍ଡ ଗୁଞ୍ଜିବାକୁ ଏବେ ତ ତାଙ୍କ ପାଖରେ ଛାତଟିଏ ଅଛି, ଆଉ ପିନ୍ଧିବାକୁ ଦି’ହଳ ପୋଷାକ ବି ଅଛି । ତାଙ୍କ ଦୋକାନକୁ ନିୟମିତ ଭାବେ ଗ୍ରାହକଙ୍କ ଆତଯାତ ଲାଗିଥିଲା । କୁର୍ବାନ ଭାଇ ଏମିତି ଜଣେ ଲୋକ ଯାହାଙ୍କର ଜୀବନରେ କିଛି କି ବୋଲି କିଛି ନଥିଲା । ତାଙ୍କ ପିଲାମାନେ କେବେଠାରୁ ମରି ସାରିଥିଲେ । ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ସେ ଢେର୍ ଦିନରୁ ଭୁଲି ସାରିଥିଲେ । ବାହାରେ ବୁଲାବୁଲି କରି ଫୁର୍ତ୍ତି କରିବା ସେ ଛାଡ଼ିସାରିଥିଲେ । ଆଲ୍ଲାଙ୍କ ଦୟାରୁ ଏବେ ଗଣ୍ଡେ ଖାଇ ଜୀବନ ବଞ୍ଚିବା ଲାଗି ତାଙ୍କ ପାଖରେ ଯଥେଷ୍ଟ କିଛି ଥିଲା । ତା’ହେଲେ ଖଣ୍ଡେ ଖବରକାଗଜ କିଣି କି ପତ୍ରିକା ଖଣ୍ଡିଏ ଆଣି ପଢ଼ାପଢ଼ି କଲେ କ୍ଷତି ଅବା କ’ଣ?

କୁର୍ବାନ ଭାଇଙ୍କ ପାଖରେ ସେସବୁ ପତ୍ରପତ୍ରିକା ବୁକ୍ ପୋଷ୍ଟ କି ଭି.ପି.ପି ଡାକରେ ପହଞ୍ଚୁଥିଲା । ପହଞ୍ଚୁଥିଲା କହିଲେ ଠିକ୍‌ ହେବନି । କୁର୍ବାନ ଭାଇ ନିଜେ ଡାକଘରକୁ ଯାଇ ସେସବୁ ଆଣୁଥିଲେ । ଦୋକାନରେ ତାଙ୍କ ବସିବା ଜାଗା କଡ଼କୁ ସେସବୁ ପତ୍ରପତ୍ରିକାକୁ ସେ ଅତି ଯତ୍ନ ସହକାରେ ସଜେଇ ରଖୁଥିଲେ । ସମୟ ମିଳିଲେ ସେସବୁରେ ଛପିଥିବା ପ୍ରତିଟି ଲେଖା, ପ୍ରତିଟି ଶବ୍ଦକୁ ମନଧ୍ୟାନ ସହକାରେ ପଢ଼ୁଥିଲେ । ଭୋଭିଲା ଲୋକଟିଏ ଯେମିତି ସୁସ୍ୱାଦୁ ଖାଦ୍ୟ ପାଇଲେ ସନ୍ତୋଷ ମନରେ ଖାଇଚାଲେ, ଠିକ୍‌ ସେମିତି । ସାହିତ୍ୟ ପ୍ରତି ତାଙ୍କ ମନରେ ଠିକ୍ ସେମିତି ଆଗ୍ରହ ଥିଲା । ଦେଶର ବିଭିନ୍ନ ସ୍ଥାନରୁ ତାଙ୍କ ପାଖକୁ ପତ୍ରପତ୍ରିକାମାନ ଆସୁଥିଲା । ସେସବୁ ଥିଲା ତାଙ୍କ ପାଇଁ ଅମୂଲ୍ୟ ସମ୍ପଦ । ସେସବୁ କୁର୍ବାନ ଭାଇ ତାଲିକା କରି ରଖୁଥିଲେ । କୁର୍ବାନ ଭାଇଙ୍କଠାରେ ଥିବା ଏହି ଅନ୍ତର୍ନିହିତ ପ୍ରତିଭା ସମ୍ପର୍କରେ ଧୀରେ ଧୀରେ ଲୋକମାନେ ଜାଣିବାକୁ ପାଇଲେ ।

ପୂର୍ବରୁ ସେମାନେ ତାଙ୍କ ଜଣେ ସଚ୍ଚୋଟ ଲୋକ ବୋଲିଚିହ୍ନିଥିଲେ । ସେ ମିଛ କହନ୍ତିନି, କାହାକୁ ଠକନ୍ତିନି, ଦଣ୍ଡି ମାରନ୍ତିନି ଏକଥା ସମସ୍ତଙ୍କୁ ଜଣାଥିଲା । ଏପରିକି ସମସ୍ତଙ୍କ ପ୍ରତି ସେ ଅତି ବିନୟୁ ଥିଲେ, କାହାକୁ ହସ-ପରିହାସରେ ମନଦୁଃଖ ହେଲାଭଳି କଥା କହୁନଥିଲେ । ଏସବୁ ତାଙ୍କ ଧାତୁରେ ନଥିଲା । ତା’ଉପରେ ପୁଣି ସୁବିଧା ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଥିଲା ତାଙ୍କର ବିଶେଷ ଗୁଣ । କଥାବାର୍ତ୍ତା ଓ ବ୍ୟବହାରରେ ସେ ଏତେ ଭଦ୍ର ଓ ମାର୍ଜିତଥିଲେ ଯେ ଚିହ୍ନା ସଭିଏଁ ତାଙ୍କର ତାରିଫ କରୁଥିଲେ ।

ଧୀରେ ଧୀରେ କୁର୍ବାନ ଭାଇ ସହରର ଜଣେ ସମ୍ମାନାସ୍ପଦ ବ୍ୟକ୍ତି ଭାବେ ପରିଚିତ ହୋଇଗଲେ । ସମସ୍ତେ ତାଙ୍କୁ ସମ୍ମାନ ଜଣାଇବାକୁ ଲାଗିଲେ । ସହରର ମାନ୍ୟଗଣ୍ୟ ଲୋକଙ୍କ ସାଙ୍ଗରେ ସେ ବସାଉଠା କଲେ । ବିବାହ ବ୍ରତ ଆଦି ଉତ୍ସାବାନୁଷ୍ଠାନକୁ ତାଙ୍କୁ ବଡ଼ ବଡ଼ ବ୍ୟବସାୟୀମାନେ ନିମନ୍ତ୍ରଣ କଲେ । ତାଙ୍କ ପରି ସମଧର୍ମା ଲୋକମାନେ ତାଙ୍କ ଦୋକାନ ସାମ୍ନାରେ ରୁଣ୍ଡ ହୋଇ ସାହିତ୍ୟ ସଂସ୍କୃତି ଆଲୋଚନା କଲେ । କୁର୍ବାନ ଭାଇ ସେମାନଙ୍କ ଚା’ କଫି ଦେଇ ଆପ୍ୟାୟିତ କଲେ । ସେମାନଙ୍କ ସାଙ୍ଗରେ ଗାଲିବଙ୍କ କବିତା ସମ୍ପର୍କରେ ରେ ସେ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିବାରେ ଲାଗିଲେ ।

ସମୟକ୍ରମେ କୁର୍ବାନ ଭାଇଙ୍କ ଦୋକାନଟି ଆମ ଛୋଟିଆ ଟାଉନଟିର ସବୁ ଶିକ୍ଷିତ ଲୋକଙ୍କ ମିଳନସ୍ଥଳୀରେ ପରିଣତ ହୋଇଗଲା । ସେଥିରେ ଯୁବ ଅଧ୍ୟାପକଙ୍କ ଠାରୁ ନେଇ ବୟୋବୃଦ୍ଧ ପ୍ରଫେସର, ନାମୀଦାମୀ ସାମ୍ବାଦିକ, ଲେଖକ, କବି ସଭିଏଁ ସାମିଲ ଥିଲେ । ସନ୍ଧ୍ୟା ନଇଁବା ମାତ୍ରେ ସେମାନେ ଯାଇ ତାଙ୍କ ଦୋକାନ ସାମ୍ନାରେ ହାଜର ହୋଇଯାଉଥିଲେ । ବାସ୍‌, ତା’ପରେ ଆରମ୍ଭ ହୋଇଯାଉଥିଲା କେତେ ଆଲୋଚନା, ବିତର୍କ । ସମସ୍ତଙ୍କୁ ଆପ୍ୟାୟିତ କରିବା ସକାଶେ କୁର୍ମାନ ଭାଇ ମଝିରେ ମଝିରେ ଚା’ପାଣିର ବ୍ୟବସସ୍ଥା ବି କରୁଥିଲେ । ବେଳେବେଳେ ତାଙ୍କ ଦୋକାନ ବାରଣ୍‌ନାରେ ସତରଞ୍ଜି ଉପରେ ଏଇସବୁ ଲୋକଙ୍କ ଆଲୋଚନାରେ ଗହଗହ ବାଜୁଥିବ । ତା’ରି ଭିତରେ କୁର୍ବାନ ଭାଇ ନିଜ ଦେକାନର ବିକାବିକି ବି ଚଲେଇଥିବେ । ଆଉ କେତେବେଳେ ସେଇ ଅତିଥିମାନଙ୍କୁ କୁର୍ବାନ ଭାଇ କୌଣସି ଗୋଟିଏ ଜିନିଷ ବଢ଼େଇ ଦେବାକୁ କି ଅନ୍ୟ କାହାକୁ କିଲେ ଡାଲି ଚାଉଳ ଓଜନ କରି ଦେବା ଲାଗି କହୁଥିବେ । ବସ୍ତାରୁ ବାହାର କରି କିଲେ ଲୁଣ ଦୋବକୁ କି ଦିଆସିଲି ମୁଠାଏ ବଢ଼େଇ ଦେବାକୁ ବରାଦ କରୁଥିବେ । ତାଙ୍କର ଏପରି ଅନୁରୋଧକୁ କେହି କେବେ ଅନ୍ୟ ଅର୍ଥରେ ନେଇନଥାନ୍ତି । ପୁଣି
ଆଉ କିଏ ଗ୍ରାହକମାନେ କିଣିଥିବା ଜିନିଷର ହିସାବପତ୍ର କରି ଦେଇଥାନ୍ତି ।

ସେମାନଙ୍କୁ ଯଦି କେହି ମନଧ୍ୟାନ ଦେଇ ଶୁଣେ କି ଲକ୍ଷ୍ୟ କରେ ତେବେ ବିସ୍ମିତ ହେବା ସୁନିଶ୍ଚିତ । କେତେବେଳେ ଜଣେ ଇଂରାଜୀ ଅଧ୍ୟାପକ କି ସମାଲୋଚନକ ରସୁଣ ଛଡ଼ାଉଛି ତ ଆଉ କେତେବେଳେ ‘ପ୍ରତି ଘଣ୍ଟାର ମେଲ୍‌’ ପତ୍ରିକାର ସାମ୍ବାଦିକ ପିଣ୍ଡାତଳୁ ମୁଲତାନୀ ମିଟି ବାହାର କରୁଛି । କିମ୍ବା ଜଣେ ଇତିହାସ ପ୍ରଫେସର ଆଉ କିଛି କାମରେ ସାହାଯ୍ୟ କରୁଛନ୍ତି… ଆମମାନଙ୍କ ସହ ମିଶି କୁର୍ବାନ ଭାଇ ସମ୍ପୂର୍ଣ୍ଣ ରୂପେ ବଦଳି ସାରିଥିଲେ । ଜୀବନରେ ପ୍ରଥମ ଥର ପାଇଁ ସେ ନିଜ ଭିତରେ
ସୁପ୍ତଥିବା ସୃଜନ ପ୍ରତିଭାର ସନ୍ଧାନ ପାଇଥିଲେ । ତାଙ୍କ ଭିତରେ ସେ ଆଗ୍ରହ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା । ତାଙ୍କ ନିକଟରେ ଦିନକୁ ଦିନ ବୃଦ୍ଧି ପାଉଥିବା ଉର୍ଦ୍ଦୁ ବହି ଓ ପତ୍ରପତ୍ରିକା ସୌଜନ୍ୟରୁ ଆମେ ବି କିଛି ଉର୍ଦ୍ଦୁ ଶିଖି ପାରିଥିଲୁ । ସେ ତାଙ୍କ ବହି ଓ ପତ୍ରପତ୍ରିକାଗୁଡ଼ିକ ବନ୍ଧେଇ କରି ଅତି ଯତ୍ନରେ ସଜେଇ ରଖିଥିଲେ । କେତେବେଳେ କେମିତି କୁର୍ବାନ ଭାଇଙ୍କୁ ଆମେ ମୁସୈରାକୁ ନେଇ ଯାଉଥିଲୁ । ଯେଉଁ ପତ୍ରପତ୍ରିକା କି ବହି ସେ ପଢ଼ିନଥିଲେ ସେସବୁ ତାଙ୍କୁ ଯୋଗେଇ
ଦେବାର ବନ୍ଦୋବସ୍ତ ବି କରୁଥିଲୁ । ସହରର ନାମୀ ଦାମୀ କବି ଲେଖକଙ୍କ ସାଙ୍ଗରେ ତାଙ୍କୁ ପରିଚୟ କରେଇ ଦେଉଥିଲୁ ।

ଯେଉଁ କବିମାନେ ଏବେ ମଦିରା କି ପିଆଲା ଛୁଉଁନଥିଲେ ସେଭଳି କବିଙ୍କ କବିତା ପଢ଼ି ତାଙ୍କୁ ଶୁଣାଉଥିଲୁ । ଏବେ କୁର୍ବାନ ଭାଇଙ୍କ ଭିତରେ ଢେର୍ ପରିବର୍ତ୍ତନ ଘଟି ସାରିଥିଲା । ସେ ତାଙ୍କର ସୀମିତ ଚିନ୍ତାଧାରା ଭିତରୁ ବାହାରି ଜଣେ ଆଦର୍ଶବାଦୀ ଉଦାର ବ୍ୟକ୍ତିରେ ପରିଣତ ହୋଇ ସାରିଥିଲେ । ଏପରିକି ରାଜନୈତିକ ଓ ସେଇ ଛଟାରେ ଲେଖାଯାଇଥିବା କବିତା ସହ ସେ ପରିଚିତ ହୋଇ ସାରିଥିଲେ । ଖବରକାଗଜମାନଙ୍କରେ ଛପୁଥିବା ସାମ୍ୟବାଦୀ ଚିନ୍ତାଧାରା ବି ତାଙ୍କ ମନକୁ ଛୁଇଁ ସାରିଥିଲା ।

ଏହାର ପରିଶତି ଏଇଆ ହେଲା ବୋଲି ମୁଁ କହିବି ଯେ ସେ ତାଙ୍କ ବଜାର ଇଲାକାରେ ସପ୍ତାହକୁ ଗୋଟିଏ ଦିନ ଛୁଟି ଘୋଷଣା କଲେ । ଏପରିକି ଭୋଜନ ଉପରାନ୍ତ ଟହଲମରା ପାଇଁ ସେ ବେଳେବେଳେ ଆମକୁ ଆମନ୍ତ୍ରଣ କରିବା ଆରମ୍ଭ କଲେ । ଏବେ ତାଙ୍କ ମନକୁ ଭାରାପ୍ରାପ୍ତ କରୁଥିବା କି କ୍ରୋଧ ଜାତ କଲାଭଳି ଅତୀତ କଥା ସେ ଆଉ ଭାବୁନଥିଲେ । ବରଂ ଭବିଷ୍ୟତ  ଆଡ଼କୁ ଦୃଷ୍ଟି ଲମ୍ବେଇଲେ । କାରଣ, ତାଙ୍କ ପାଇଁ ଭବିଷ୍ୟତ କେତୋଟି ଆଶ୍ଚର୍ଯ୍ୟଜନକ ଘଟଣା ସାଇତି ରଖିଥିଲା ।

କୁର୍ବାନ ଭାଇଙ୍କ ସହ ଆମ ସମ୍ପର୍କ ଦିନକୁ ଦିନ ଅଧିକ ଘନିଷ୍ଠ ହେବାରେ ଲାଗିଥିଲା । ଲାଗୁଥିଲା, ସତେ ଯେମିତି ସେ ତାଙ୍କ ହଜିଲା ଯୁବାବସ୍ଥାକୁ ପୁଣି ଥରେ ଫେରି ପାଇଚନ୍ତି! ଏବେ ଆମମାନଙ୍କ ସହ ସେ ଏତେ ପରିଚିତ ହୋଇସାରିଥିଲେ ଯେ ଫି’ଦିନ ସନ୍ଧ୍ୟାରେ ଆମମାନଙ୍କୁ ସେ ଅପେକ୍ଷା କରି ରହୁଥିଲେ । ଯଦି ଠିକଣା ସମୟରେ ଆମେ ତାଙ୍କ ଦୋକାନ ସାମ୍ନାରେ ପହଞ୍ଚୁନଥିଲୁ, ଆମମାନଙ୍କ ବାଟକୁ ସେ ବାରମ୍ବାର ଚାହିଁ ରହୁଥିଲେ । ଏକଥା ମୁଁ ନିର୍ଦ୍ଦିଷ୍ଟ ଭାବେ କହି ପାରିବିନି, କୁର୍ବାନ ଭାଇଙ୍କ ସଚ୍ଚୋଟପଣିଆ ଓ ସୁଖ୍ୟାତିରୁ ଆମେ ବେଶୀ ଉପକୃତ ହେଉଥିଲୁ ନା ଆମମାନଙ୍କ ପରିଚୟରୁ ସେ ଲାଭବାନ ହୋଇଥିଲେ । ଆଜିକାଲି ଆମମାନଙ୍କ ଗହଣରେ ହିଁ ତାଙ୍କର ଅଧିକ ସମୟ ବିତୁଥିଲା । ତାଙ୍କ ପୁରୁଣା ସାଙ୍ଗ ଲତିଫ୍ ସା’ବ, ଆଜି ସା’ବ କି ଇମାମ ସା’ବଙ୍କ ନିକଟକୁ ସେ କ୍ୱଚିତ୍ ଯାଉଥିଲେ । ଆଗରୁ ସେ ପ୍ରତି ଶୁକ୍ରବାର ଦିନ ନମାଜ ପଢ଼ିବାକୁ ଯାଉଥିଲେ ।

ଆଜିକାଲି ସେ ସେତକ ସୁଦ୍ଧା ବନ୍ଦ୍ କରିସାରିଥିଲେ । ତାଜିଆ ଶୋଭାଯାତ୍ରାରେ ଯିବାଲାଗି ତାଙ୍କ ଆଗରୁ କେହି କହିନଥିଲେ । ତେଣୁ ଏବେ ତାକୁ ଏଡ଼ାଇବାରେ ତାଙ୍କର କିଛି ଅସୁବିଧା ହୋଇନଥିଲା । କିନ୍ତୁ ମଦ୍ରାସା ମରାମତି ଲାଗ ସେ ଯଥାରୀତି ତାଙ୍କ ସାହାଯ୍ୟ ରାଶି ଦେଇ ଚାଲିଥିଲେ । ହେଲେ ଯେତେବେଳେସେ ରାଜନୈତିକ ସଭାସମିତିରେ ଯୋଗ ଦେବା ଓ ଟାଉନ ମାମଲାରେ ମୁଣ୍ଡ ଖେଳେଇବା ଆରମ୍ଭ କଲେ, ତାଙ୍କ ମୁସଲମାନ ଭାଇମାନେ କିଛି ବିପଦର ଆଶଙ୍କା କରି କୁର୍ବାନ ଭାଇଙ୍କୁ ଆକଟ କଲେ ।

‘ଆରେ ଭାଇ, ରାଜନୀତି ଆମମାନଙ୍କ ବେଉସା ନୁହେଁ । କାଇଁକି ଅଯଥାରେ ସେଥିରେ ମୁଣ୍ଡ ଖେଳଉଚ କହିଲ? ଆମ କତା ଟିକେ ହେଜ । ଗଣ୍ଡାଏ ଖାଇ ଆଲ୍ଲାଙ୍କୁ ପ୍ରାର୍ଥନା କରି ଜୀବନ ବଞ୍ଚିଲେ କଥା ସରିଲା । ଏତେ ଅଡ଼ୁଆରେ ପଶିବା କି ଦରକାର? ଯଦି ଶାନ୍ତିରେ ବଞ୍ଚିବାକୁ ଚାହୁଁଚ ସେସବୁ ମାମଲାରେ ଦଖଲ ଦଲଖ ଦିଅନି । ଦେଖିବ, ଦିନେ ବିନା ଦୋଷର ଜେଲ୍ ଯିବାକୁ ପଡ଼ିପାରେ । ତୁମ ଲାଗି ଆମେ ବି ବନ୍ଧାହେବୁ । ଏବେ ଆମକୁ ଯଦି ଏଠାରେ ଶାନ୍ତିରେ ବଞ୍ଚବାକୁ ପଡ଼ିବ, ତା’ହେଲେ
ଏତେ ଅଡ଼ୁଆ ଭିତରେ ମୁଣ୍ଡ ଖେଳେଇବା କି ଦରକାର…?’

ଆମେମାନେ ନିଜ ନିଜ ଚିନ୍ତାରେ ଏତେ ମାତ୍ରାରେ ଡୁବି ରହିଥିଲୁ ଯେ ଆମେ କି କୁର୍ବାନ ଭାଇ କେହି ସୁଦ୍ଧା ଏକଥା ଭାବିନଥିଲୁ ଯେ ସ୍ଥାନୀୟ ଇମାମ୍ବରା ଓ ଶାଖାର ଲୋକମାନେ ତାଙ୍କ ପ୍ରତି ମନରେ ଏକ ବିଚିତ୍ର ଧାରଣା ଆଣି ସାରିଥିଲେ । ଏକଥା ସୁଦ୍ଧା ଆମମନକୁ ଆସିନଥିଲା ଯ ଦେଶପ୍ରେମୀ ବୋଲାଉଥିବା ଲୋକମାନେ ଆଜିକାଲି କାହିଁକି କୁର୍ବାନ ଭାଇଙ୍କ ଦୋକାନକୁ ଯିବାଆସିବା ବନ୍ଦ୍ କରି ଦେଇଥିଲେ । ପରିଶେଷରେ ଏକରି କିଛି ଘଟଣା ଘଟିଥିଲା ଯାହା ଏ କାହାଣୀର ଶେଷ ପରିଣତିକୁ ଅସ୍ୱାଭାବିକ ଓ କରୁଣରେ ପରିଣତ କରିଦେଇଥିଲା ।

ଦିନେ କେହି ଜଣେ ଲୋକ ନିଜ ଶଗଡ଼କୁ ଆଣି କୁର୍ବାନ ଭାଇଙ୍କ ଦୋକାନ ସାମ୍ନରେ ଥୋଇଦେଲା । ଶଗଡ଼ରୁ ବଳଦକୁ ଫିଟେଇ ତାଙ୍କରି ପାହାଚ ମୁହଁରେ ବାନ୍ଧିଦେଲା । ସଦାବେଳେ ଯିଏ ବି ଶଗଡ଼ ଆଣନ୍ତି, ସେମାନେ ପାଖ ଗୋଲେଇ ଛକ ନିକଟରେ ସେସବୁ ରଖନ୍ତି । ବଳଦମାନଙ୍କୁ ସେଇଠି ଫିଟେଇ ବାନ୍ଧିଦିଅନ୍ତି । ତା’ପରେ ଗାଁରୁ ଶଗଡ଼ ଧରି ଆସିଥିବା ସେଇ ଲୋକମାନେ ବଜାରକୁ ନିଜ ନିଜ କାମରେ ଯାଇଥାନ୍ତି । ସନ୍ଧ୍ୟାସୁଦ୍ଧା ବଜାରରୁ କାମସାରି ଫେରି ପୁଣି ଯେଝା ଯେଝା ଶଗଡ଼ରେ ବଳଦ ଯୋଚି ଘରକୁ ଲେଉଟି ଯାଇଥାନ୍ତି । କେହି ନିଜ ଶଗଡ଼କୁ ଆଣି କାହା ଦୋକାନ ସାମ୍ନାରେ ବାନ୍ଧିା ଏହା ଥିଲା ପ୍ରଥମ ଘଟଣା ।

କାହା ଦୋକାନ ଦୁଆର ମୁହଁରେ ବଳଦଙ୍କୁ ବାନ୍ଧବା ଆହୁରି ବିଚିତ୍ର ଲାଗୁଥିଲା । ଏମିତି କରିବା ଫଳରେ ନା ଗ୍ରାହକମାନେ ଦୋକାନକୁ ଆସିପାରିବେ ନା ଦୋକାନୀ ପଦାକୁ ବାହାରି ପାରିବ । ସେଦିନ କୁର୍ବାନ ଭାଇ ଦୋକାନ ସାମ୍ନାରେ ଏଇ ଘଟଣା ହିଁ ଘଟିଥିଲା । ନିଜ ଦୋକାନରୁ ବାହାରିବା ଲାଗି ତାଙ୍କୁ ପାଖ ଦୋକାନର ପିଣ୍ଡା ଉପରେ ଚଢ଼ି ପାହାଚକୁ ଓହ୍ଲେଇବାକୁ ପଡ଼ିଥିଲା ।

ଏଭଳି କାଣ୍ଡ ଘଟାଇଥିବା ଶଗଡ଼ିଆଟି ଥିଲା ଉଖଚାନ୍ଦଙ୍କ ଚାକର । ଉଖଚାନ୍ଦ ହେଲେ ଟାଉନର ନାଁକରା ଓକିଲ । ଲୋକଟି ସନ୍ଧ୍ୟାବେଳକୁ ବଜାରରୁ ଫେରିବ ବୋଲି ଅନୁମାନ କରି ଶଗଡ଼ ଓ ବଳଦଙ୍କୁ ଆଉ ଟିକେ ଦୂରକୁ ନେଇ ରଖିବାକୁ କୁର୍ବାନ ଭାଇ ତାକୁ କହିଲେ । କିନ୍ତୁ ଲୋକଟି ତାଙ୍କ କଥାପ୍ରତି ସାମାନ୍ୟ କର୍ଣ୍ଣପାତ ସୁଦ୍ଧା କଲାପରି ଲାଗୁନଥିଲା । କୁର୍ବାନ ଭାଇ ଯେତେବେଳେ ସେଇ କଥା ଆଉ ଥରେ ଦୋହରାଇ କହିଲେ, ସେ ତାଙ୍କ ଆଡ଼େ କେମିତି ଏକ ବିଦ୍ରୂପ ଚାହାଣୀ ଦେଇ ବଜାରକୁ ଚାଲିଗଲା । ଶେଷକୁ କୁର୍ବାନ ଭାଇ ଦୋକାନରୁ ବାହାରି ଶଗଡ଼ର ଦଣ୍ଡାକୁ ଉଛେଇ ତାକୁ ସାମାନ୍ୟ ଦୂରକୁ ଘୁଞ୍ଚାଇବାକୁ ଉଦ୍ୟତ ହେଲା ବେଳକୁ ଶଗଡ଼ିଆଟି ହଠାତ୍ ଫେରିଆସି କୁର୍ବାନ ଭାଇ ଗଳାକୁ ହଠାତ୍ ଜିପିଧରିଲା । ତାଙ୍କୁ ଅଶ୍ରାବ୍ୟ ଭାଷାରେ ମନଇଚ୍ଛା ଗାଳି ଫଜିତ୍ କରିଚାଲିଲା ।

କୁର୍ବାନ ଭାଇଙ୍କ ଆଖିରୁ ଚଷମାକୁ ଭିଡ଼ିନେଇ ତାଙ୍କ ପଛରୁ ଗୋଟିଏ ନିର୍ଘାତ ଧକ୍କା ଦେଲା । ସେତିକିବେଳେ ଓକିଲ ଉଖଚାନ୍ଦ ସେଇ ବାଟ ଦେଇ ଯାଉଥିଲେ । କିଛି ନଜାଣିଲା ପରି ସେ ପଚାରିଲେ, ‘କ’ଣ ହେଲାରେ ଗୋମିଆ?’ ଗୋମିଆ କହିଲା, ‘ଏ ଲୋକଟା ମୋତେ ବାଡ଼ଛି ।’

ଉଖଚାନ୍ଦ ପଚାରିଲେ, ‘କିଏ?’
ଗୋମିଆ କହିଲା, ‘ଏଇ ମିଆଁ ।’

କୁର୍ବାନ ଭାଇ ସ୍ତବ୍ଧ ହୋଇଗଲେ । ଦି ହାତକୁ ମୁଣ୍ଡରେ ଧରି ଲଥ୍‌କରି ତଳେ ବସିପଡ଼ିଲେ । ହଠାତ୍ ତାଙ୍କ ଛାତି ଭିତରୁ ଗୋଟାଏ କୋହ ଉଠିଆସିଲା ଓ ତାହା ତାଙ୍କ କଣ୍ଠକୁ ରୁଦ୍ଧ କରିଦେଲା । ବର୍ଷ ବର୍ଷ ଧରି ଅଟକି ରହିଥିବା ଲୁହ ଆଖିରୁ ନିଗିଡ଼ି ଆସିଲା ।

କାହିଁକି ଅବା କେମିତି ଏ ଘଟଣା ଘଟିପାରିଲା! ଗୋବିଆ କ’ଣ ତାକୁ ଚିହ୍ନିନି? ଗୋଟିଏ ମିନିଟ ଭିତରେ ସେ ‘କୁର୍ବାନ ଭାଇ’ରୁ ‘କୁର୍ବାନ ମିଆଁ’ ପାଲଟିଗଲେ! ବର୍ଷ ବର୍ଷ ଧରି ନିଜର ନିଷ୍ଠା ଓ ସଚ୍ଚୋଟପଣିଆ ଦେଖେଇ ସେ ଏଇ ମାନସମ୍ମାନ, ଇଜ୍ଜତ ଟିକକ ଅର୍ଜନ କରିଥିଲେ ।

ସେଇଥିପାଇଁ ତାଙ୍କୁ କେତେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ନପଡ଼ିଛି! କେତେ କଷ୍ଟ କରିବାକୁ ନହୋଇଛି! ପ୍ରତି ମୁହୂର୍ତ୍ତ, ପ୍ରତି ଦିନ ସେ ତିଳ ତିଳ କରି ଲୋକମାନଙ୍କ ସ୍ନେହ ଆଦର ସାଉଁଟି ଆସିଥିଲେ । ଶ୍ରଦ୍ଧା, ସମ୍ମାନ, ଶୁଭେଚ୍ଛା ଲାଭ କରିଥିଲେ ।

ପ୍ରତିଦିନ ସେ ନିଜକୁ ବୁଝେଇ ଆସିଥିଲେ ଯେ ଏଠାରେ ଲୋକମାନେ ତାଙ୍କୁ ଯେତିକି ଭଲ ପାଆନ୍ତି, ପାକିସ୍ତାନରେ ତାଙ୍କୁ ସେତିକି ଶ୍ରଦ୍ଧା ମିଳିନଥାନ୍ତା । ଜୀବନ ସେତିକି ସହଜ ହୋଇନଥାନ୍ତା । ସେଇ ବିଶ୍ୱାସ ତ ତାଙ୍କ ମନକୁ ଶାନ୍ତି ଦେଇ ଆସିଥିଲା । କିନ୍ତୁ ଆଜି… ସବୁ ଘଟଣାର ସାକ୍ଷୀ ସେଇ ଆଲ୍ଲା! ଜୋସ୍ ସା’ବ୍ ଯାଆନ୍ତୁ, ସୁରେୟା ସେଠାକୁ ଯାଇ ବରବାଦ୍ ହୁଅନ୍ତୁ । ଯେତେ ସାଙ୍ଗସାଥୀ ଯିବା କଥା ଯାଆନ୍ତୁ । ଏତେ ବଡ଼ ବେପାର ତ ବରବାଦ୍‌ ହୋଇଗଲା । ଗୁଣ୍ଡା ବଦମାସମାନେ ତାଙ୍କ କୋଠାକୁ ଅକ୍ତିଆର କରିନେଲେ । କାହିଁ କେଉଁ ଅଜଣା ସ୍ଥାନରେ ଭାଇମାନେ କବର ତଳେ ମରି ଶୋଇଲେ । ଦିନେ ଯେଉଁ ଘର ଏତେ ଲୋକଙ୍କ ସୁଖସ୍ୱପ୍ନରେ ଭରି ଉଠୁଥିଲା ସେସବୁ ତ ଧୂଳିସାତ୍ ହୋଇଗଲା । ଛାତିକୁ ପଥର କରି ସବୁକିଛି ସହ୍ୟ କରି ସେ ଏଠାରେ ରହିଥିଲେ । ଧୀରେଧୀରେ ନିଜ ହୃତ ମର୍ଯ୍ୟାଦାକୁ ପୁଣି ଥରେ ଫେରି ପାଇଥିଲେ । କେଇଜଣ ସାଙ୍ଗସାଥୀଙ୍କ ଆସ୍ଥା ତାଙ୍କ ମନରେ ପୁଣି ଥରେ ବିଶ୍ୱାସ ସୃଷ୍ଟି କରିଥିଲା । ତାଙ୍କ ମନରେ ନିରାପତ୍ତା, ବିଶ୍ୱାସ ଓ ଶାନ୍ତି ଜନ୍ମାଇଥିଲା । ଏଇ ତ ତାଙ୍କର ସବୁଠୁ ବଡ଼ ସମ୍ପତ୍ତି । ଆଉ ଆଜି – ବର୍ଷ ବର୍ଷ ଧରି ସଞ୍ôଚତ ବିଶ୍ୱାସର ସେଇ ପାହାଡ଼ ଗୋଟିଏ ମୁହୂର୍ତ୍ତରେ ଗୋଟିଏ ଧକ୍କାରେ ଭାଙ୍ଗିରୁଜି ମାଟିରେ ମିଶିଗଲା! କୁଆଡ଼େ ମିଳେଇଗଲା…!

‘ନିପଟ ନିରକ୍ଷର ମୂର୍ଖଟା!’ କୁର୍ବାନ ଭାଇ ମନେ ମନେ ଭାବିଲେ ।

‘କିନ୍ତୁ ସେ ମୂର୍ଖ ଓ ବୋକାଟା କିଏ – ସିଏ ନା ମୁଁ ନିଜେ?

ମୁଁ କାହିଁକି ଅବା ଚିନ୍ତା ନକଲି ଯେ ମୁହୂର୍ତ୍ତକ ଭିତରେ ମୁଁ

‘କୁର୍ବାନ ଭାଇ’ରୁ ‘କୁର୍ବାନ ମିଆଁ’ ପାଲଟି ଯାଇପାରେ! ବାସ୍ତବତା ମୋ ମୁଣ୍ଡକୁ ଢୁକିଲାନି କାହିଁକି ଯେ ଏ ଲୋକମାନେ ଆମମାନଙ୍କୁ ସେମାନଙ୍କ ମୁଣ୍ଡ ଉପରେ ବୋଝ ବୋଲି ଭାବୁଛନ୍ତି, ଯଦିବା ଆମେ ମୁଣ୍ଡଝାଳ ତୁଣ୍ଡରେ ମାରି ପେଟକୁ ଗଣ୍ଡାଏ ଦାନା ଯୋଗାଡ଼ କରୁଛୁ! କାହିଁକି ମୁଁ ପାକିସ୍ତାନକୁ ଚାଲିନଗଲି? ସେଠାରେ ହୁଏତ ମୋତେ ଅତି ଦରିଦ୍ର ଦୀନହୀନ ଅବସ୍ଥାରେ ଜୀବନ ବିତେଇବାକୁ ପଡ଼ିଥାନ୍ତା । କିନ୍ତୁ ଏମିମତି ଗାଳିଫଜିତ ତ ଶୁଣିବାକୁ ପଡ଼ିନଥାନ୍ତା । ବେଜିତ୍ ହେବାକୁ ପଡ଼ିନଥାନ୍ତା । ମୋ ମୁହଁକୁ ଧିକ୍‌! ମୋ ବଞ୍ଚିବାବାକୁ ଧିକ୍‌! ଏଭଳି ଜୀବନକୁ ଧିକ୍‌! ୟା’ ଆଲ୍ଲା!’

ଓକିଲ ଉଖଚାନ୍ଦ ଶଗଡ଼ିଆ ଗୋମିଆକୁ ଡାକିନେଇ ଚାଲିଗଲେ, ଶଗଡ଼ ଓ ବଳଦ ହଳକ ସେଇଠି ସେମିତି ବନ୍ଧାହୋଇ ରହିଲେ । ପାଖଆଖ ଦୋକାନୀମାନେ କୁର୍ମାନ ଭାଇକୁ ବୁଝାଶୁଝା କଲେ । ତାଙ୍କ ପ୍ରତି ସମବେଦନା ଜଣାଇଲେ । ସେତେବେଳକୁ ରାଗରେ ତାଙ୍କ ଦାନ୍ତ ଭିଡ଼ି ହୋଇଯାଇଥିଲା ଓ ଓଠକଡ଼ରୁ ଫେଣ ବାହାରି ପଡ଼ିଥିଲା । ବଜାରର କେଇଜଣ ଲୋକ ଶଗଡ଼ ଓ ବଳଦ ହଳକୁ ନେଇ ଟିକେ ଦୂରରେ ବାନ୍ଧିଦେଲେ । ସେମାନେ ଚଉତରା ଉପରେ କୁର୍ବାନ ଭାଇକୁ ଶୁଆଇ ପକାଇ ସାଷ୍ଟମ କଲେ । ତାଙ୍କୁ ବିଞ୍ଚବିଂଛି କଲେ, ମୁହଁରେ ପାଣି ଛାଟିଲେ । କୁର୍ବାନ ଭାଇର ମନ ଖୁସି କରିବା ସକାଶେ ଓକିଲ ଉଖଚାନ୍ଦଙ୍କୁ ମନଇଚ୍ଛା ବହେ ଗାଳିଦେଲେ । କିନ୍ତୁ କୁର୍ବାନ ଭାଇଙ୍କ ମନ ଭିତରେ ଯେଉଁ ଲ୍‌ଜ୍ଜା, ଗ୍ଳାନି, ଅପମାନ ଓ ଅନ୍ତଦ୍ୱର୍ନ୍ଦ ସୃଷ୍ଟି ହୋଇଥିଲା, କେହି ହେଲେ ସେକଥା ଠଉରାଇ ପାରିନଥିଲେ । ଗଲା ଏତେ ବର୍ଷ ଧରି ସିଏ ତ ଏଇ ଆଶଙ୍କା ଓ ମାନସିକ ଦ୍ୱନ୍ଦ୍ୱ ଭିତରେ ଜୀବନ ବଞ୍ଚି ଆସିଥିଲେ ।

ସଙ୍ଗେ ସଙ୍ଗେ ବଜାରସାରା ଏଇ ଖବର ପ୍ରସାରିତ ହୋଇଗଲା । ସବୁ ଲୋକ ଦୌଡ଼ାଦୌଡ଼ି ହୋଇ ଆସିଲେ । ସେମାନଙ୍କ ଭିତରେ ସବୁପ୍ରକାର ଲୋକ ଥିଲେ । ସମସ୍ତେ ନିଜ ନିଜର ମତ ମନ୍ତବ୍ୟ ଦେଇ ଚାଲିଲେ । ତା’ପରେ ଅନେକ ପ୍ରକାର ବାଦ ବିସମ୍ବାଦ ଭିତରେ ସ୍ଥିର ହେଲା ଯେ ଏ ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯିବ ।

ପଞ୍ଝାଏ ଲୋକ ଥାନା ଅଭିମୁଖେ ପଟୁଆର ବାହାରକରି ଚାଲିଲେ । କିନ୍ତୁ ବାଟରେ ଜଣ ଜଣ କରି କାମ ବାହାନାରେ ଯିଏ ଯାହାର ଖସି ରହିଗଲେ । କିଏ କହିଲା ତାକୁ ଝାଡ଼ା ମାଡ଼ୁଚି, ଆଉ କିଏ କହିଲା ଅଗତ୍ୟା ଜରୁରି କାମଟିଏ ଆସି ପହଞ୍ଚିଗଲା, ଏମିମତି କହି ସେମାନେ ନିଜ ନିଜ ଘରକୁ ଚାଲିଗଲେ । ଆମେ ଥାନାରେ ପହଞ୍ôଚଲା ବେଳକୁ କୁର୍ବାନ ଭାଇଙ୍କ ସାଙ୍ଗରେ ମାତ୍ର ହାତଗଣତି କେଇଜଣ ଲୋକ ଥିଲୁ ।

ଆମେ ପହଞ୍ଚିବାର କିଛି ସମୟ ପୂର୍ବରୁ ଥାନାବାବୁ ତାଙ୍କ ମଟର ସାଇକେଲ ଧରି କୁଆଡ଼େ ବାହାରି ଯାଇଥିଲେ । ରାଇଟର ରିପୋର୍ଟ ଲେଖିବାକୁ ରାଜି ହେଲାନାହିଁ । କେମିତି ଅବା ରାଜି ହୁଅନ୍ତା? ସେତେବେଳକୁ ଓକିଲ ଉଖଚାନ୍ଦ ଥାନାକୁ ଫୋନକରି ସବୁ କଥା କହି ସାରିଥିଲେ । ଉଖଚାନ୍ଦ ହେଲେ ଶାସକ ଦଳର ଜଣେ ଟାଣୁଆ ମନ୍ତ୍ରୀ । ଆଉ କୁର୍ବାନ ଭାଇ କିଏ? ଆମେ କିଏ?

ଦେଢ଼ଘଣ୍ଟା କାଳ ଥାନା ବାରଣ୍ଡାରେ ଥାନାବାବୁଙ୍କୁ ଅପେକ୍ଷା କରି ଟହଲ ମାରିବା ପରେ ଶେଷରେ କାନମୁଣ୍ଡା ଆଉଁଷି ଆମକୁ ଅଲାଜୁକ ଭଳିଆ ଲେଉଟିବାକୁ ପଡ଼ିଲା । ସନ୍ଧ୍ୟାବେଳେ ପୁଣି ଥରେ ଥାନାକୁ ଯିବାକୁ ଆମେ ଯେତେବେଳେ ସ୍ଥିରକଲୁ, କୁର୍ବାନ ଭାଇ ନିଜେ ଯିବାକୁ ରାଜି ହେଲେନାହିଁ । ସେ ତାଙ୍କ ଦୋକାନରେ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି ବୋଲି ବାହାନା କଲେ । ଆମକୁ ଲାଗିଲା ସତେକି ଆମଲାଗି ସମୟ କାଢ଼ିବାକୁ ତାଙ୍କ ହାତରେ ଫୁରସତ ନାହିଁ! ଏଣିକି ଆମ ଭିତରେ ଏକ ଆତ୍ମଗ୍ଳାନି ଜନ୍ମନେଲା ଯାହା ଆମକୁ କୁର୍ବାନ ଭାଇଙ୍କ ପାଖକୁ ପୂର୍ବଭଳି ଯିବାରୁ ବିରତ ରଖିଲା । ସତ କହିଲେ, ଏତେ ବ୍ୟସ୍ତ ବିବ୍ରତ ହେବା ଲାଗି ଏଇ ମାମୁଲି ଘଟଣାଟି ପର୍ଯ୍ୟପ୍ତ ନଥିଲା । ବୋକାମୀ କହି ଯେକେହି ଏ ଘଟଣାକୁ ଏଡ଼ାଇ ଦେଇ ପାରିଥାନ୍ତେ । ତେଣୁ ପୁଲିସ ନଜରକୁ ଏଭଳି ମାମଲା ନଆଣିବା ବିଜ୍ଞତାର ପରିଚୟ ହୋଇଥାନ୍ତା । କିନ୍ତୁ ଆମ ବନ୍ଧୁ ମାଡ଼ ଖାଇଛନ୍ତି, ଆମ ବନ୍ଧୁଙ୍କ ମନ ଦୁଖ ହୋଇଛି, ସେଇ ଭାବାବେଗରେ ଆମେ ଥାନାକୁ ଦୌଡ଼ି ଯାଇଥିଲୁ । ଆମେ ବନ୍ଧୁଙ୍କ ଲାଗି କିଛି କରିକାରୁନାହୁଁ ସେଇ ଦୁଃଖ ଆମକୁ ମ୍ରିୟମାଣ କରି ମପାଉଥିଲା । ସେହି ସମୟରେ ଏଭଳି ଭାବାବେଗର ବଶବର୍ତ୍ତୀ ହୋଇ କାର୍ଯ୍ୟ କରିବା ବିପଜ୍ଜନକ ଘଟଣା ଥିଲା । ବିଶେଷକରି କୁର୍ବାନ ଭାଇଙ୍କ ସ୍ୱାର୍ଥ ଦୃଷ୍ଟିରୁ । ଏ ଘଟଣାରେ ପୁଲିସ ହସ୍ତକ୍ଷେପ କରିବ ଓ ତାଙ୍କୁ ସାହାଯ୍ୟ କରିବ ବୋଲି ଭାବିବା ସମ୍ପୂର୍ଣ୍ଣ ମୂର୍ଖାମୀ ଥିଲା । ଏସବୁ କଥାକୁ ରାଜନୈତିକ ସ୍ତରରେ ହିଁ ମୁକାବିଲା କରିବା ଉଚିତ ହୋଇଥାନ୍ତା । ଆଉ ସେଥିପାଇଁ କ୍ଷମତା, ପ୍ରତିପତ୍ତି, ସାମର୍ଥ୍ୟ ଓ ସମର୍ଥନ ଲୋଡ଼ା ଯାହା କୁର୍ବାନ ଭାଇ କି ଆମମାନଙ୍କ ପାଖରେ ନଥିଲା । ଏସବୁ କେବଳ ବାହାନା ଥିଲା । ନିଚ୍ଛକ ସତ କଥାଟି ହେଲା, ଆମେ କୁର୍ବାନ ଭାଇର ହାତ ଛାଡ଼ି ଦେଇଥିଲୁ । ତାଙ୍କୁ ନିଜ ଭାଗ୍ୟ ନିଜେ ଭୋଗ କରିବାକୁ ଏକୁଟିଆ ଛାଡ଼ି ଦେଇଥିଲୁ । ସମ୍ଭବତଃ ଆମେ ତାଙ୍କ ମାନସିକ ଯନ୍ତ୍ରଣାରେ ସହଭାଗୀ ହେବାକୁ ଚାହୁଁନଥିଲୁ, ଯଦିବା ଆମେ ସେପରି ଚେଷ୍ଟା କରିଥିଲୁ ।

ଏଇ ଘଟଣା ପରେ କୁର୍ବାନ ଭାଇଙ୍କ ଦୋକାନ ଆଗରେ ସ୍ୱାଭାବିକ ଗହଳଚହଳ ଥମି ଯାଇଥିଲା । ପୂର୍ବଭଳି ଆଉ ଆମେ ସେଠାକୁ ଫି’ଦିନ ସନ୍ଧ୍ୟାରେ ଯିବା ଆସିବା କଲୁନାହିଁ । ସେ ବି କେମିତି ଗୁମ୍‌ସୁମ୍ ରହିଲେ । ଆମମାନଙ୍କ ସାଙ୍ଗରେ କ୍ୱଚିତ୍‌ କଥାବାର୍ତ୍ତା କଲେ । ସତେ ଯେମିତି କାର୍ଯ୍ୟବ୍ୟସ୍ତ ଥିବାର ବାହାନାନ କରୁଥିଲେ । କିନ୍ତୁ ଆମେ ଜାଣିପାରୁଥିଲୁ ଭିତରେ ଭିତରେ ସେ ରାଗରେ କୁହୁଳୁଛନ୍ତି । ଥରୁଛନ୍ତି । ହେଲେ କାହାରି ଆଗରେ ସେକଥା ଖୋଲି କହିପାରୁନାହାନ୍ତି । ଆମେ ଯେତେ ଚେଷ୍ଟା କଲେ ସୁଦ୍ଧା ତାଙ୍କୁ ସ୍ୱାଭାବିକ ଭାବେ କଥାବାର୍ତ୍ତା କରେଇ ପାରିଲୁନାହିଁ । ତାଙ୍କ କ୍ରୋଧ କୌଣସି ବାଟେ ହେଉ, ମନଭିତରୁ ବାହାରୁ, ସେଥିରେ ଆମେ ବିଫଳ ହୋଇଥିଲୁ । ଦିନେ ମୁଁ ତାଙ୍କ ଦୋକାନ ପାଖରେ ପହଞ୍ଚିଲି । କୁର୍ବାନ ଭାଇ ମୋ ଆଡ଼କୁ ପଛକରି ଠିଆ ହୋଇଥିଲେ ଓ କାହାକୁ ଗାଳି ଦେଇଚାଲିଥିଲେ – ‘ଇତିହାସ ଗାଁରେ ତୁମେ କି ବାଜେ କଥାସବୁ ପଢ଼ଉଚ? ତୁମେ କହୁଚ କ’ଣ ନା ଦେଶ ବଣ୍ଟା ହୋଇଗଲା । ସେକଥା ଅତୀତ କାଳ ଲଗେଇ କୁହନା । ଭାଗବଣ୍ଟା ଏଯାଏ ସରିନି । ସେ ବଣ୍ଟା ଚାଲିଛି – ପ୍ରତି ମୁହୂର୍ତ୍ତରେ, ପ୍ରତି ଘଣ୍ଟାରେ ।’ ମୋ ଉପରେ ନଜର ପଡ଼ିବା ମାତ୍ରେ ସେ ହଠାତ୍ ତୁନି ପଡ଼ିଗଲେ ଓ ପୁଣି ନିଜ କାମରେ ମଜ୍ଜିଗଲେ ।

ଏ କାହାଣୀର ଅନ୍ତ ସେତେଟା ସୁଖକର ନୁହେଁ । ତେଣୁ ମୁଁ ଚାହେଁ, ଆପଣମାନେ ତାହା ନପଢ଼ନ୍ତୁ । କିନ୍ତୁ ଯଦି ପଢ଼ନ୍ତି, ତା’ହେଲେ ଭାବିଦେଖନ୍ତୁ ଏହାକୁ ଭିନ୍ନ ଭାବେ ପଢ଼ାଯାଇ ପାରିଥାନ୍ତା କି? ଯେମିତି ସୁଖର ସମାପ୍ତି? ଯଦି ହଁ ବୋଲି ଭାବୁଛନ୍ତି, ତା’ହେଲେ କେମିତି? ଆଉ ଯାହା ବଖାଣିବାର ଅଛି ତାହା ଏଇଭଳି: ଏହାର କିଛିଦିନ ପରେ ଥରେ ମୁଁ ଆଜାଦ ଚୌକ ବାଟଦେଇ ଯିବା ବେଳେ କୁର୍ବାନ ଭାଇଙ୍କ ଦୋକାନ ଆଗରେ ଲତିଫ ଭାଇ ଠିଆ ହୋଇଥିବାର ମୋ ନଜର ପଡ଼ିଲା । ସେଦିନ ଶୁକ୍ରବାର ।

କୁର୍ବାନ ଭାଇ ସର୍ଟର ପକାଇ ତାଙ୍କ ଦୋକାନ ବନ୍ଦ୍ କରୁଥିଲେ ।… ମୁଣ୍ଡରେ ଟୋପିଟିଏ ପିନ୍ଧିଥିଲେ । … ତା’ପରେ ଦୁହେଁ ମିଶି ମସଜିଦ୍ ମୁହାଁ ଚାଲିଲେ ।

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.