Latest Odisha News

୧ମ ଟେଷ୍ଟ: ଗୋଟିଏ ଇନିଂସ ଓ ୧୩୦ ରନରେ ଭାରତର ଦମଦାର୍ ବିଜୟ

ଇନ୍ଦୋର: ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲଙ୍କ ଦମଦାର୍ ଦ୍ୱିଶତକ ପରେ ଦଳର ନିର୍ଭରଯୋଗ୍ୟ ସିମର୍ ମହମ୍ମଦ ସାମିଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ବାଂଲାଦେଶ ଦଳ ଏକ ଇନିଂସ ଓ ୧୩୦ ରନରେ ପରାସ୍ତ ହୋଇଛି । ବାଂଲାଦଳ ୧ମ ଦୁଇଟି ଇନିଂସରେ ଯଥାକ୍ରମେ ୧୫୦/୨୧୩ ରନ କରି ଭାରତର ୧ମ ଇନିଂସ ସ୍କୋର ୪୯୩/୬ ଅତିକ୍ରମ କରି ନପାରି ୧୩୦ ରନରେ ପରାସ୍ତ ହୋଇଛି ।

ବାଂଲାଦେଶ ଦଳ ପକ୍ଷରୁ ମୁସଫିକର୍ ରହିମ ସର୍ବାଧିକ ୬୪ ରନ ସ୍କୋର କରିଥିବା ବେଳେ ଲିଟନ ଦାସ ୩୫ ଏବଂ ମେହେଦି ହାସନ ୩୮ ରନ କରିପାରିଥିଲେ । ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ସ୍ୱଳ୍ପ ରନରେ ପ୍ୟାଭିଲିୟନର ରାସ୍ତା ଦେଖିଥିଲେ ।

ଭାରତୀୟ ବୋଲର୍ ମହମ୍ମଦ ସାମି ୪ଟି ୱିକେଟ ଅକ୍ତିଆର କରି ବାଂଲାଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ସେହିପରି କ୍ଲାସିକ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ଟି ବାଂଲା ୱିକେଟ ଶିକାର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ ୨ଟି ଏବଂ ଈଶାନ୍ତ ଶର୍ମା ଗୋଟିଏ କରି ୱିକେଟ ବାଣ୍ଟି ନେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଟିମ୍ ଇଣ୍ଡିଆ ଓପନର୍ ମୟଙ୍କ ଅଗ୍ରୱାଲ୍ ୨୪୩ ରନ କରି ରେକର୍ଡ଼ କରିଥିବା ବେଳେ ଭାରତୀୟ କପ୍ତାନ ୪୯୩ ରନରେ ପାଳି ସମାପ୍ତି ଘୋଷଣା କରିଥିଲେ ।

ଆକର୍ଷଣୀୟ ଦ୍ୱିଶତକ ହାସଲ କରିଥିବା ମୟଙ୍କ ଅଗ୍ରୱାଲ୍ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।

ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହିତ ଶୃଙ୍ଖଳାରେ ୧-୦ ଅଗ୍ରଣୀ ହାସଲ କରିଛି । ଆସନ୍ତା ୨୨ ତାରିଖ ଦିନ କୋଲକାତାଠାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚ ଦିବା-ରାତ୍ର ମ୍ୟାଚ ଭାବେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.