Latest Odisha News

BREAKING NEWS

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ୧୯୦୫ ମସିହା ନଭେମ୍ବର ୧୬ ତାରିଖ ତଥା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକ । ସେ ପୁରୀ ଜିଲ୍ଲାର କଣାସ ନିକଟସ୍ଥ ଡିମିରି ଗ୍ରାମର ବାସିନ୍ଦା ।

ଶ୍ରୀ ପଟ୍ଟନାୟକ ଥିଲେ ଏକାଧାରରେ ଜଣେ ଅଗ୍ରଗଣ୍ୟ ମୁକ୍ତିଯୋଦ୍ଧା, କୃଷକ ଓ ସମାଜବାଦୀ ଆନ୍ଦୋଳନର ଆଦ୍ୟ ପୁରୋଧା । ଏହାବ୍ୟତିତ ରାଜ୍ୟରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଓ ଶିକ୍ଷାର ବିକାଶ ଲାଗି ନିଜକୁ ସମର୍ପିତ ମଧ୍ୟ କରିଥିଲେ ।

ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଭାଗରେ ଅଂଶ ଗ୍ରହଣ କରି ମାତ୍ର ୧୨ ବର୍ଷ ବୟସରେ ସେ ଜେଲ୍ ଯାଇଥିଲେ । ଏପରିକି ସେ ପାଖାପାଖି ୧୦ଥର କାରାବରଣ ମଧ୍ୟ ହୋଇଥିଲେ ।

ଆହୁରି ମଧ୍ୟ ସେ ବନାରସର ପ୍ରସିଦ୍ଧ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରିବା ପରେ ଧିରେଧିରେ ସାମ୍ୟବାଦୀ ଓ ସମାଜବାଦୀ ଚିନ୍ତାଧାର ପ୍ରତି ଆକୃଷ୍ଟ ହୋଇପଡିଥିଲେ । ଓଡିଶା କଂଗ୍ରେସ ସମାଜବାଦୀ ଦଳ ଗଠନ ସମୟରେ ପ୍ରାଣନାଥ ଏହାର ପ୍ରଥମ ସମ୍ମିଳନୀରେ ସଭାପତିତ୍ୱ ମଧ୍ୟ କରିଥିଲେ ।

ପରେପରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ରଘୁ ଦିବାକର ଓ ଅନ୍ୟ ବନ୍ଦୀମାନଙ୍କୁ ସୁରକ୍ଷା ଦେବାପାଇଁ ସେ ଡିଫେନ୍ସ କମିଟି ମଧ୍ୟ ଗଠନ କରିଥିଲେ । ବିଭିନ୍ନ ରାଜନୈତିକ କାର୍ଯ୍ୟକଳାପରେ ନିୟୋଜିତ ରହିଥିଲେ ମଧ୍ୟ ସାହିତ୍ୟ ସାଧନାକୁ ନିଜ ଜୀବନର ବ୍ରତ କରିଥିଲେ ।

ତାଙ୍କ ରଚିତ ପୁସ୍ତକ ‘ଆସନ୍ତାକାଲିର ସାହିତ୍ୟ’ ପ୍ରଗତିଶୀଳ ଗଦ୍ୟ ସାହିତ୍ୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।
ସ୍ୱାଧୀନତା ପୂର୍ବରୁ ଓ ପରେ ସେ ଜଣେ ଦକ୍ଷ ବିଧାୟକ ଭାବେ ଗରୀବମାନଙ୍କ ସ୍ୱରକୁ ବିଧାନସଭାରେ ମଧ୍ୟ ଉପସ୍ଥାପିତ କରିଥିଲେ ।

ଖାଲି ଏତିକି ନୁହେଁ, ରାଜ୍ୟରେ ଶିକ୍ଷାର ବିକାଶ ଲାଗି ଜଟଣୀରେ ଏକ ହାଇସ୍କୁଲ ସହ ଖୋର୍ଦ୍ଧାରେ କଲେଜ ମଧ୍ୟ ସ୍ଥାପନା କରିଥିଲେ ।

 

Leave A Reply

Your email address will not be published.