ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ର ରବିବାର ଦିନଟି ଭାରତୀୟ ଆଥଲେଟିକ୍ସ ପାଇଁ ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ରହିଛି । ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଇଭେଣ୍ଟଗୁଡ଼ିକରେ ଭାରତୀୟ ଆଥଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୫ଟି ପଦକ (୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ) ନିଜ ନାମରେ କରିଛନ୍ତି । ମହିଳା ୨୦୦ ମିଟର ଦୌଡ଼ରେ ଭାରତର ୨୩ ବର୍ଷୀୟା ଆଥଲେଟ୍ ହରିତା ଭାଦ୍ରା ୨୩.୨୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ମାତ୍ର ୦.୦୧ ସେକେଣ୍ଡର ବ୍ୟବଧାନରେ ଜାପାନର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସିଙ୍ଗାପୁରର ଭେରୋନିକା ଶାନ୍ତି ପରେରା (୨୨.୭୮ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚୀନ୍ର ଚେନ୍ ୟୁଜି ରୌପ୍ୟ ପଦକ ହାସଲ କରିଛନ୍ତି । ୨୦୧୮ ଏସିଆନ୍ ଗେମ୍ସରେ ଦୁତୀ ଚାନ୍ଦଙ୍କ ପରେ ଏହି ଇଭେଣ୍ଟରେ ପଦକ ଜିତିବାରେ ହରିତା ଭାରତର ୬ଷ୍ଠ ମହିଳା ଆଥଲେଟ୍ ହୋଇଛନ୍ତି । ଭାରତର ଷ୍ଟାର ଆଥଲେଟ୍ ତେଜସ୍ବିନ୍ ଶଙ୍କର ପୁରୁଷ ଡେକାଥଲନ୍ ଇଭେଣ୍ଟରେ ମୋଟ ୭,୯୩୪ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଦୁଇ ଦିନ ଧରି ଚାଲିଥିବା ଏହି କଠିନ ପ୍ରତିଯୋଗିତାର ଶେଷ ଇଭେଣ୍ଟ (୧୫୦୦ ମିଟର ଦୌଡ଼)ରେ ସେ ୪:୩୩.୦୯ ସମୟ ନେଇ ନିଜର ପଦକ ପକ୍କା କରିଥିଲେ । ଏସିଆନ୍ ଗେମ୍ସରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ପଦକ ।
ମହିଳା ଲମ୍ପଡିଆଁ ରେ ଏନ୍ସି ସୋଜନ୍ ୬.୫୩ ମିଟରର ଶ୍ରେଷ୍ଠ ଡିଆଁ ମାରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ଶେଷ ପ୍ରୟାସରେ ଚୀନ୍ର ହୁଆଙ୍ଗ ୟିଙ୍ଗ୍ୟିଙ୍ଗ୍ ୬.୫୫ ମିଟର ଡେଇଁ ମାତ୍ର ୨ ସେଣ୍ଟିମିଟର ବ୍ୟବଧାନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ଇଭେଣ୍ଟରେ ଭାରତର ଶୈଳୀ ସିଂହ ୬.୪୨ ମିଟର ସହ ୪ର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି । ମହିଳା ୩୦୦୦ ମିଟର ସ୍ଟିପଲଚେଜ୍ରେ ପାରୁଲ ଚୌଧୁରୀ ୯:୦୮.୬୭ ସମୟ ନେଇ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ (ଚରକ୍ସଗ୍ଦକ୍ଟଦ୍ଭବକ୍ଷ ଈରଗ୍ଦଗ୍ଧ)। ବହରିନ୍ର ୱିନ୍ଫ୍ରେଡ୍ ୟାଭି ସ୍ୱର୍ଣ୍ଣ ଓ କାଜାଖସ୍ତାନର ନୋରା ଜେରୁଟୋ ରୌପ୍ୟ ପଦକ ଜିତିଛନ୍ତି। ଭାରତର ଅନ୍ୟଜଣେ ଧାବିକା ଅଙ୍କିତା ୪ର୍ଥ ସ୍ଥାନରେ ରହିଥିଲେ ।
ପୁରୁଷ ଉଚ୍ଚଡିଆଁରେ ବର୍ଷା ମଧ୍ୟରେ ଭାରତର ସରବେଶ କୁଶାରେ ୨.୨୫ ମିଟର ଉଚ୍ଚତା ପାର୍ କରି ରୌପ୍ୟ ପଦକ ଜିତିଛନ୍ତି । ଚାଇନିଜ୍ ତାଇପେଇର ଚାଓ ଶୁଆନ୍-ଫୁ ମଧ୍ୟ ୨.୨୫ ମିଟର ଉଚ୍ଚତା ପାର୍ କରିଥିଲେ, କିନ୍ତୁ ପ୍ରଥମ ପ୍ରୟାସରେ ସଫଳ ହୋଇଥିବାରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଦ୍ୱିତୀୟ ପ୍ରୟାସରେ ସଫଳ ହୋଇଥିବା ସରବେଶଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ପୁରୁଷ ୨୦୦ ମିଟର ଫାଇନାଲ୍ରେ ଭାରତର ଅନିମେଷ କୁଜୁର ୨୦.୮୦ ସେକେଣ୍ଡ ସମୟ ସହ ୫ମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି। ଥାଇଲ୍ୟାଣ୍ଡର ପୁରୀପୋଲ ବୁନ୍ସନ୍ (୧୯.୮୮ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

