Latest Odisha News

BREAKING NEWS

ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ବ୍ୟର୍ଥ ହେଲା ବ୍ରେସୱେଲଙ୍କ ଶତକ

ହାଇଦ୍ରାବାଦ: ଶୁଭମନ ଗିଲଙ୍କ ଆକର୍ଷଣୀୟ ଦ୍ୱିଶତକ ସହାୟତାରେ ଭାରତ ୧୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଦତ ୩୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୪୯.୧ ଓଭରରେ ୩୩୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତ ଏକତରଫା ମ୍ୟାଚକୁ ଜିତିନେବ ବୋଲି ଭାବିଥିଲେ ମଧ୍ୟ ମାଇକେଲ ବ୍ରେସୱେଲଙ୍କ ସ୍ମରଣୀୟ ବ୍ୟାଟିଂ ଯୋଗୁ ମ୍ୟାଚ ରୋମାଂଚପୂର୍ଣ୍ଣ ହୋଇଥିଲା । ବ୍ରେସୱେଲ ୭୮ ବଲରେ ୧୪୦ ରନର ଇନିଂସ ଖେଳିଥିଲେ । ମିଚେଲ ସାଂଟେନର ୫୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି ଏବଂ କୁଲଦୀପ ଯାଦବ ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଁଏ ୱିକେଟ ନେଇଥିଲେ ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୩୪୯ରନ କରିଥିଲା । ମ୍ୟାନ ଅଫ ଦି ମ୍ୟାଚ ଶୁଭମନ (୧୪୯ ବଲ, ୧୯ ଚୌକା, ୨ଛକା) ସବୁଠାରୁ ଯୁବ କ୍ରିକେଟର( ୨୩ ବର୍ଷ ୧୩୨ ଦିନ) ଭାବେ ସୀମିତ ଓଭର କ୍ରିକେଟରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ଈଶାନ କିଶାନଙ୍କ ନାମରେ ଥିଲା । ଗିଲ ତାଙ୍କ ଦ୍ୱିଶତକୀୟ ଇନିଂସ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୫ମ ୱିକେଟରେ ୭୪, ସୂର୍ଯ୍ୟକୁମାର ଯାଦବଙ୍କ ସହ ୪ର୍ଥ ୱିକେଟରେ ୬୫ ଓ ରୋହିତଙ୍କ ସହ ପ୍ରଥମ ୱିକେଟରେ ୬୦ ରନ ଯୋଗ କରିଥିଲେ ।

ସେ ୫ମ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥ୍‌ାପନ କରିଛନ୍ତି । ଓଭରାଲ ଦିନିକିଆ କ୍ରିକେଟରେ ୧୦ଟି ଦ୍ୱିଶତକ ମରାଯାଇଛି । ଏଥିରେ ୭ଜଣ ଭାରତୀୟ କ୍ରିକେଟର ଏହି ସଫଳତା ହାସଲ କରିଛନ୍ତି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ତେନ୍ଦୁଲକର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପରେ ବୀରେନ୍ଦ୍ର ସେହ୍ୱାଗ(୨୦୧୧), ରୋହିତ ଶର୍ମା (୨୦୧୩, ୨୦୧୪, ୨୦୧୭), ମାର୍ଟିନ ଗୁପଟିଲ (୨୦୧୫), କ୍ରିସ ଗେଲ (୨୦୧୫), ପଖର ଜମାନ (୨୦୧୮) ଓ ଈଶାନ କିଶାନ (୨୦୨୨) ଏହି ସଫଳତା ହାସଲ କରିଥିଲେ ।

Leave A Reply

Your email address will not be published.