Latest Odisha News

BREAKING NEWS

୩ ବର୍ଷରୁ ଚେସ ଗୋଟି ଚାଳନରେ ଧୂରନ୍ଧର, ଏବେ ଚାମ୍ପିୟନଙ୍କ ପାଇଁ ସେ ସାଜିଛନ୍ତି ଚ୍ୟାଲେଞ୍ଜ

ଭାରତର ୧୮ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନନ୍ଦଙ୍କ ଚର୍ଚ୍ଚା ଏବେ ସବୁଠାରେ । ବିଶ୍ୱ ଚେସ ଚାମ୍ପିୟନଶିପର ଫାଇନାଲରେ ନରୱେର ମାଗ୍ନସ କାର୍ଲସେନଙ୍କୁ କଡା ଟକ୍କର ଦେଇଛନ୍ତି । ଅଳ୍ପକେ ସେ ଚାମ୍ପିୟନରୁ ରହି ଯାଇଥିଲେ । ୧୦ ଅଗଷ୍ଟ ୨୦୦୫ରେ ଚେନ୍ନାଇରେ ପ୍ରଜ୍ଞାନନନ୍ଦ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ରମେଶବାବୁ ବ୍ୟାଙ୍କରେ ଚାକିରୀ କରନ୍ତି । ପୋଲିସଗ୍ରସ୍ତ ବାପାଙ୍କ ପ୍ରଜ୍ଞାନନନ୍ଦଙ୍କୁ ନେଇ ଥିଲା ବହୁତ ସ୍ୱପ୍ନ । ପିଲାବେଳେ କାର୍ଟୁନ ପ୍ରତି ତାଙ୍କର ଆଗ୍ରହ ପରିବାରଲୋକଙ୍କୁ ଚିନ୍ତାରେ ପକାଇ ଦେଇଥିଲା ।

ଏହି ନିଶାରୁ ଛଡେଇବା ପାଇଁ ତାଙ୍କୁ ଦିଆଯାଇଥିଲା ଚେସ ବୋର୍ଡ । ପ୍ରଜ୍ଞାନନନ୍ଦଙ୍କ ବଡ ଭଉଣୀ ତାଙ୍କୁ ଚେସ ଶିଖାଇଥିଲେ । ୩ ବର୍ଷ ବୟସରେ ତାଙ୍କ ଗୋଟି ଚାଳନା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ସବୁ ନିଶା ଗୋଟେ ପଟେ ଆଉ ଚେସର ୬୪ ଘରର ରହସ୍ୟମୟ ଚାଳନା ତାଙ୍କୁ ପାଗଳ କରିଥିଲା । ସେ ଆଉ ପଛକୁ ଚାହିଁ ନ ଥିଲେ । ଏଥିରେ ତାଙ୍କ ମାଆ ଭରପୂର ସହଯୋଗ କରିଥିଲେ । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ମାତ୍ର ୧୨ ବୟସରେ ସେ ଭାରତର ସର୍ବ କନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇ ଯାଇଥିଲେ ।

ଏପରିକି ଏଥିରେ ସେ ମହାନ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ଦେଇଥିଲେ । ଆନନ୍ଦ ୧୮ ବର୍ଷ ବୟସରେ ଜିଏମ ହୋଇଥିଲେ । ଏହା ପରେ ୨୦୨୧ରେ ସେ ଆଇଏମ ନର୍ମ ମଧ୍ୟ ହାସଲ କରି ନେଇଥିଲେ । ଚେସ ବ୍ୟତୀତ ସେ କ୍ରିକେଟକୁ ଭଲ ପାଆନ୍ତି । ଏବେ କିନ୍ତୁ କ୍ୟାରିୟର ଦୃଷ୍ଟିକୋଣରୁ ସେ ଅନ୍ୟ ଆଡେ ମନ ବଳାଉ ନାହାନ୍ତି । ୭ ବର୍ଷରୁ କମ ଇଣ୍ଡିଆନ ଚେସ ଚାମ୍ପିୟନଶିପରେ ଦ୍ୱିତୀୟ, ଏସିଆନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ, ବିଶ୍ୱ ଯୁବ ଚେସ ୮ ଓ ୧୦ ବର୍ଷରୁ କମ ବିଭାଗରେ ଚାମ୍ପିୟନ, ୨୦୧୬ରେ ଭୁବନେଶ୍ୱରର କିଟ ଇଂଟରନ୍ୟାଶନାଲ ଚେସ ଫେଷ୍ଟିଭାଲରେ ସେ ରଚିଥିଲେ ଇତିହାସ । ସମୟର ସ୍ରୋତରେ ସବୁ କିଛି ବଦଳିଯାଇଛି ।

ଯେଉଁ କୁନି ପିଲାଟି ପାଇଁ ତାଙ୍କ ବାପା ମାଆ ସ୍ୱପ୍ନ ଦେଖୁଥିଲେ । ସେ ଏବେ ତାଙ୍କ ପାଇଁ ଷ୍ଟାର ସାଜିଛି । ଧନ, ସମ୍ମାନ, ଲୋକପ୍ରିୟତା ସବୁ କିଛି ପ୍ରଜ୍ଞାନଙ୍କ ପାଦ ଚୁମୁଛି । ଏହାର ସମସ୍ତ ଶ୍ରେୟ ତାଙ୍କ ଭଉଣୀ ଏବଂ ମାଆଙ୍କୁ ଯିବ । ଚେସ ବିଶ୍ୱକପର ଏହି ପରାଜୟ କିନ୍ତୁ ତାଙ୍କୁ ଅନେକ ଆତ୍ମ ବିଶ୍ୱାସ ପ୍ରଦାନ କରିଛି । ଆଗକୁ ଦେଖିବା ଏହି ତାରକା ଭାରତୀୟଙ୍କୁ କେତେ ଗୌରବାନ୍ୱିତ କରୁଛନ୍ତି ।

Leave A Reply

Your email address will not be published.