Latest Odisha News

BREAKING NEWS

ଆଜି ପବିତ୍ର ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।

ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ ।

ତେବେ ଏହି ପର୍ବକୁ ସମଗ୍ର ଭାରତ ବର୍ଷରେ ପାଳନ କରାଯାଏ । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ଏହା ଦକ୍ଷିଣ ଭାରତର ଏକ ବଡ ପର୍ବ ଅଟେ । ସେହିପରି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତିର ଅନେକ ନାମ ରହିଛି, ଜମ୍ମୁ ରେ ଉତ୍ତରାୟଣ ବା ମାଘୀ ସଙ୍ଗରାଦ କୁହାଯାଉଥିବାବେଳେ, ପଞ୍ଜାବରେ ଲୋହଡି, ଗୁଜୁରାଟ ଓ ରାଜସ୍ଥାନରେ ଉତ୍ତରାୟଣ, ଡୋଗ୍ରୀ ଏବଂ ହିମାଚଳପ୍ରଦେଶରେ ଖିଚଡି ପର୍ବ, ଉତ୍ତରାଖଣ୍ଡରେ ଘୁଘୁତୀୟା ପର୍ବ, ଆସାମରେ ମାଘ ବିହୁ ବା ଭୋଗଲୀ ବିହୁ, ବିହାରରେ ଦହିଚୁରା, ମିଥିଳାରେ ତିଲସଂକ୍ରାନ୍ତି, ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା, ଉତ୍ତରପ୍ରେଦେଶରେ ଏହି ଦିନୁ ମାଘ ମେଳା ଆରମ୍ଭ ହୋଇଥାଏ । ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକରେ ସୁଗଗୀ ହକ୍କା, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରାନ୍ତି, ଓଡିଶାରେ ମକର ସଂକ୍ରାନ୍ତି ଭାବରେ ପ୍ରସିଦ୍ଧ ଅଟେ ।

ଏହି ଦିନ ପୁରୀ ଶ୍ରୀମନ୍ଦିରରେ ଅରୁଆ ଚାଉଳ, ଗୁଡ, କ୍ଷୀର, ନଡିଆ, ଛେନା, କଦଳୀ, ଗୋଲମରିଚ ଆଦି ପଡି ମକରଚାଉଳ ଭୋଗଲାଗେ । ପ୍ରତ୍ୟେକ ଓଡିଆଙ୍କ ଘରେ ଘରେ ମଧ୍ୟ ଏହି ମକରଚାଉଳ ପ୍ରସ୍ତୁତ କରାଯାଇ ଭୋଗ ଲାଗିଥାଏ । ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକର ସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି । ଲୋକମାନେ ପରସ୍ପରକୁ ମକର ଚାଉଳ ଖୁଆଇ ମକର ମିତ ବସିଥାନ୍ତି । ଏହି ଦିନରେ ଗୁଡି ଉଡା ଯାଏ ତେଣୁ କେହି କେହି ଆକୁ ଗୁଡିଉଡା ପର୍ବ ବୋଲି ମଧ୍ୟ କହିଥାନ୍ତି ।

Leave A Reply

Your email address will not be published.